FCRA: ବିଦେଶୀ ଅନୁଦାନ ଆଇନକୁ ନେଇ ଆମେରିକା ସମାଲୋଚନା; ଜବାବ ଦେଲା ଭାରତ
ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍ସିଆର୍ଏ) ସଂଶୋଧନ ବିଲ୍କୁ ନେଇ ଆମେରିକାର ରିପବ୍ଲିକାନ୍ ସାଂସଦ ରିଲି ମୁରଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ଭାରତ। ବିଦେଶ ମନ୍ତ୍ରଣାଳୟ କହିଛି, ପ୍ରସ୍ତାବିତ ଏଫ୍ସିଆର୍ଏ ସଂଶୋଧନ ବିଲ୍ ଭାରତର ସମ୍ପୂର୍ଣ୍ଣ...

ନୂଆଦିଲ୍ଲୀ: ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍ସିଆର୍ଏ) ସଂଶୋଧନ ବିଲ୍କୁ ନେଇ ଆମେରିକାର ରିପବ୍ଲିକାନ୍ ସାଂସଦ ରିଲି ମୁରଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ଭାରତ। ବିଦେଶ ମନ୍ତ୍ରଣାଳୟ କହିଛି, ପ୍ରସ୍ତାବିତ ଏଫ୍ସିଆର୍ଏ ସଂଶୋଧନ ବିଲ୍ ଭାରତର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବିଷୟ। ଏହା ଉପରେ ଦେଶର ସଂସଦରେ ବିଚାର ହୋଇ ନିଷ୍ପତ୍ତି ନିଆଯିବ। ବିଦେଶୀ ଅର୍ଥର ପ୍ରବାହକୁ କେବଳ ଭାରତ ନୁହେଁ, ଆମେରିକା ସମେତ ବହୁ ଦେଶ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି।
ଶୁକ୍ରବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ, ବିଦେଶୀ ଅର୍ଥ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶରେ ଆଇନ ରହିଛି। ତେଣୁ ଏହାକୁ ନେଇ ଭାରତକୁ ଅଲଗା ଭାବେ ସମାଲୋଚନା କରିବାର କୌଣସି ଯୁକ୍ତି ନାହିଁ। ସେ କହିଥିଲେ, ଭାରତର ଆଇନ ପ୍ରଣୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ଓ ସଂସଦୀୟ ବ୍ୟବସ୍ଥା ଅନୁସାରେ ହୋଇଥାଏ।
ନିକଟରେ ଆମେରିକାର କଂଗ୍ରେସ ସଦସ୍ୟ ରିଲି ମୁର ଅଭିଯୋଗ କରିଥିଲେ ଯେ, ପ୍ରସ୍ତାବିତ ଏଫ୍ସିଆର୍ଏ ସଂଶୋଧନ ବିଲ୍ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ବିରୋଧୀ ଏବଂ ଏହା ଭାରତ-ଆମେରିକା ସମ୍ପର୍କ ଉପରେ ପ୍ରଭାବ ପକାଇପାରେ। ତାଙ୍କ ଦାବି ଥିଲା, ଏହି ବିଲ୍ ଲାଗୁ ହେଲେ ଚର୍ଚ୍ଚ ଓ ଧାର୍ମିକ ସଂସ୍ଥାଗୁଡ଼ିକ ଉପରେ ସରକାରଙ୍କ ନିୟନ୍ତ୍ରଣ ବଢ଼ିପାରେ। ତେବେ ଭାରତ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସରକାରଙ୍କ ମତରେ, ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ କୌଣସି ଧର୍ମ ବା ସମ୍ପ୍ରଦାୟକୁ ନିଶାଣ କରିବା ନୁହେଁ। ବରଂ ବିଦେଶରୁ ଆସୁଥିବା ଅର୍ଥର ବ୍ୟବହାରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ବ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହାର ଲକ୍ଷ୍ୟ। ସରକାର ଏହା ମଧ୍ୟ କହିଛନ୍ତି ଯେ, ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଓ କାନାଡା ପରି ଦେଶରେ ମଧ୍ୟ ବିଦେଶୀ ଅର୍ଥ ଓ ବିଦେଶୀ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ସମାନ ଆଇନ ରହିଛି। ତେଣୁ ଏହି କ୍ଷେତ୍ରରେ ଭାରତ କୌଣସି ବ୍ୟତିକ୍ରମ ନୁହେଁ।
ସୌଜନ୍ୟ ସମ୍ବାଦ




