Judgement: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଏଫ୍ଆଇଆର୍ ଓ ତଦନ୍ତ ଦାବି ଖାରଜ
ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ଫୌଜଦାରି ତଦନ୍ତ କରିବାକୁ ଦାବି କରି ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମ୍କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି।

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ଫୌଜଦାରି ତଦନ୍ତ କରିବାକୁ ଦାବି କରି ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମ୍କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହି ଆବେଦନକୁ ‘ଶସ୍ତା ପ୍ରଚାର ପାଇଁ କରାଯାଇଥିବା ପ୍ରୟାସ’ ବୋଲି କହି ଅଦାଲତ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।
ବିଚାରପତି ପିଏସ୍ ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଆବେଦନକାରୀ ଓକିଲ ଘନଶ୍ୟାମ ଉପାଧ୍ୟାୟଙ୍କ ପକ୍ଷରୁ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବାସଭବନରୁ ନଗଦ ଟଙ୍କା ମିଳିଥିବା ଅଭିଯୋଗକୁ ଆଧାର କରି ତାଙ୍କ ବିରୋଧରେ ତୁରନ୍ତ ଏଫ୍ଆଇଆର୍ ରୁଜୁ କରି ସ୍ୱାଧୀନ ତଦନ୍ତର ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। ତେବେ ଖଣ୍ଡପୀଠ କହିଥିଲେ, ବିଚାରପତିମାନଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ସମ୍ବିଧାନ ଓ ଆଇନରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେହି ପ୍ରକ୍ରିୟାକୁ ଏଡ଼ାଇ ସିଧାସଳଖ ଏଫ୍ଆଇଆର୍ ଦାବି କରିବା ଗ୍ରହଣଯୋଗ୍ୟ ନୁହେଁ।
ଶୁଣାଣି ବେଳେ ଅଦାଲତ କହିଥିଲେ, ଏଭଳି ଆବେଦନ ଦାଖଲ କରିବା ପୂର୍ବରୁ ଆବେଦନକାରୀଙ୍କ ଆଇନଗତ ବ୍ୟବସ୍ଥା ଓ ସମ୍ବିଧାନିକ ପ୍ରକ୍ରିୟା ସମ୍ପର୍କରେ ଜ୍ଞାନ ରହିବା ଦରକାର। କେବଳ ପ୍ରଚାର ପାଇବା ଉଦ୍ଦେଶ୍ୟରେ ଏଭଳି ଜନସ୍ୱାର୍ଥ ମାମଲା ଦାଖଲ କରାଯାଉଛି। ଏହାକୁ ବିଚାରଯୋଗ୍ୟ ବୋଲି ଧରାଯାଇପାରିବ ନାହିଁ। ଏହା ପରେ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଥିଲେ।
ସୌଜନ୍ୟ ସମ୍ବାଦ




