Bofors case: ବୋଫର୍ସ ମାମଲା: ଆଇନଗତ ଅଧ୍ୟାୟର ଅନ୍ତ ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ ରାୟ ବିରୋଧରେ ଆବେଦନ ଖାରଜ
ଚାରି ଦଶନ୍ଧି ଧରି ଚର୍ଚ୍ଚାରେ ଥିବା ବୋଫର୍ସ ତୋପ କିଣା ମାମଲାରେ ସୁପ୍ରିମ୍କୋର୍ଟ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଏହାର ଆଇନଗତ ଅଧ୍ୟାୟର ପରିସମାପ୍ତି ଘଟାଇଛନ୍ତି। ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ....

ନୂଆଦିଲ୍ଲୀ: ଚାରି ଦଶନ୍ଧି ଧରି ଚର୍ଚ୍ଚାରେ ଥିବା ବୋଫର୍ସ ତୋପ କିଣା ମାମଲାରେ ସୁପ୍ରିମ୍କୋର୍ଟ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଏହାର ଆଇନଗତ ଅଧ୍ୟାୟର ପରିସମାପ୍ତି ଘଟାଇଛନ୍ତି। ହିନ୍ଦୁଜା ଭ୍ରାତାମାନଙ୍କୁ ଦୋଷମୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ମସିହାର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। ଏହା ସହ ବହୁଚର୍ଚ୍ଚିତ ଏହି ମାମଲାର ଆଇନଗତ ପ୍ରକ୍ରିୟା ଶେଷ ହୋଇଛି। ବିଚାରପତି ଜେବି ପାର୍ଦ୍ଦିୱାଲା ଓ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଆବେଦନକାରୀ ଓକିଲ ଅଜୟ କୁମାର ଅଗ୍ରୱାଲ ଯୁକ୍ତି ଉପସ୍ଥାପନ କରିଥିଲେ। ଆବେଦନରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା। ସୁପ୍ରିମ୍କୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବା ପାଇଁ କୌଣସି ଯଥେଷ୍ଟ ଆଇନଗତ କାରଣ ନାହିଁ।
୧୯୮୬ରେ ସ୍ୱିଡେନ୍ର ଏବି ବୋଫର୍ସ କମ୍ପାନିଠାରୁ ୧୫୫ ମିମି ୪୦୦ ହାୱିଜର୍ ତୋପ କ୍ରୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏଥିପାଇଁ ୧,୪୩୭ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ପ୍ରାୟ ୬୪ କୋଟି ଟଙ୍କାର କମିସନ କାରବାର ହୋଇଥିବା ଅଭିଯୋଗ ଉଠିଥିଲା। ଏହା ୧୯୮୦ ଦଶକର ସବୁଠାରୁ ବଡ଼ ରାଜନୈତିକ ଦୁର୍ନୀତି ଭାବେ ଗଣା ହେଉଥିଲା। ସେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ। ୧୯୯୯ରେ ସିବିଆଇ ଶ୍ରୀଚନ୍ଦ, ଗୋପୀଚନ୍ଦ ଓ ପ୍ରକାଶ ହିନ୍ଦୁଜାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିଥିଲା। ପରେ ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ପ୍ରମାଣ ଅଭାବ ଦର୍ଶାଇ ସମସ୍ତ ଅଭିଯୁକ୍ତଙ୍କ ଆପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଥିଲେ।
ଶୁଣାଣି ବେଳେ ସୁପ୍ରିମ୍କୋର୍ଟ କହିଥିଲେ, ଦୀର୍ଘ ବର୍ଷ ପରେ ଏହି ମାମଲାକୁ ପୁଣି ଥରେ ଖୋଲିବାର କୌଣସି ଆଧାର ନାହିଁ। ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ରାୟ ବିରୋଧରେ ସିବିଆଇ ସେତେବେଳେ ଯଥା ସମୟରେ ଅପିଲ କରିବାରେ ବିଫଳ ହୋଇଥିଲା। ତେଣୁ ଏହି ପର୍ଯ୍ୟାୟରେ ମାମଲାକୁ ପୁନର୍ଜୀବିତ କରିବା ଉଚିତ ନୁହେଁ।
ସୌଜନ୍ୟ ସମ୍ବାଦ




