ଭୁବନେଶ୍ବର/ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟର ପ୍ରଥମ ସ୍ବତନ୍ତ୍ର କ୍ଷେତ୍ର ଆଧାରିତ ନିବେଶ ରୋଡ୍ ସୋ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ରେ ରାଜ୍ୟ ସରକାର ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଏହି ଅବସରରେ ୨୭ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ଓ ୧୨ଟି ନିବେଶ ଆଗ୍ରହ ଫର୍ମ (ଆଇଆଇଏଫ୍) ମିଳିଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୩,୩୧୬ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆସୋଚାମ୍ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଖାଦ୍ୟ ପ୍ରକ୍ରିୟାକରଣ କେବଳ ଏକ ଶିଳ୍ପ ନୁହେଁ। ଏହା ହେଉଛି ଆମ ଚାଷୀଙ୍କ ସମୃଦ୍ଧି, ଗ୍ରାମୀଣ ରୂପାନ୍ତରଣ ଓ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ସେତୁ। ଏହି କ୍ଷେତ୍ରରେ ହେଉଥିବା ପ୍ରତିଟି ନିବେଶ ଦ୍ବାରା ଚାଷରେ ମୂଲ୍ୟ ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ ଓ ଏକ ଦୃଢ଼ ଅର୍ଥନୀତି ଗଠନ ହୋଇଥାଏ। ଖାଦ୍ୟ ପ୍ରକ୍ରିୟାକରଣରେ ନିବେଶର ସବୁଠୁ ପସନ୍ଦର ସ୍ଥାନ ହେବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏହି କ୍ଷେତ୍ରରେ ଆମର ସହଯୋଗୀ ହୋଇ ଯୋଡ଼ି ହୁଅନ୍ତୁ। ଏଭଳି କହି ସେ ନିବେଶକମାନଙ୍କୁ ଓଡ଼ିଶା ଆମନ୍ତ୍ରଣ କରିଥିଲେ।
ନିବେଶକମାନଙ୍କ ପାଇଁ ରାଜ୍ୟରେ ରହିଥିବା ସୁଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ପର୍ଯ୍ୟାପ୍ତ କଞ୍ଚାମାଲ, ୧୦ଟି କୃଷି ଜଳବାୟୁ ଜୋନ୍, ୫୭୫ କିଲୋମିଟରର ବେଳାଭୂମି, ସଫଳ ମତ୍ସ୍ୟଚାଷ, ବନ୍ଦର ଭିତ୍ତିଭୂମି, ଉନ୍ନତ ଲଜିଷ୍ଟିକ୍ସ ସୁବିଧା ରହିଛି। ନିବେଶକମାନଙ୍କୁ ସବୁପ୍ରକାର ସହଯୋଗ ପ୍ରଦାନ କରିବାକୁ ଟିମ୍ ଓଡ଼ିଶା ପ୍ରତିବଦ୍ଧ ରହିଛି। ସ୍ବଚ୍ଛ ଶାସନ, ଦ୍ରୁତ ମଞ୍ଜୁରି ଓ ନିୟମିତ ଭାବେ ସହାୟତା ଜରିଆରେ ପ୍ରକଳ୍ପ ପରିକଳ୍ପନାଠାରୁ ଆରମ୍ଭ କରି କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ ସହଯୋଗ କରିବାକୁ ଆମ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
୨୭ ଏମ୍ଓୟୁ, ୧୨ ଆଇଆଇଏଫ୍
୪୩,୩୧୬ ନିଯୁକ୍ତି ସୃଷ୍ଟି ଆଶା
ଖାଦ୍ୟ ପ୍ରକ୍ରିୟାକରଣ ରୋଡ୍ମ୍ୟାପ୍ ଉନ୍ମୋଚିତ
ଏହି ଅବସରରେ ସେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ରୋଡ୍ମ୍ୟାପ୍ ଉନ୍ମୋଚନ କରିଥିଲେ। ସେଥିରେ ପାଞ୍ଚଟି ସ୍ତମ୍ଭ ରହିଛି। ତାହା ହେଉଛି ସ୍ବତନ୍ତ୍ର ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର୍ର ବିକାଶ, ସମନ୍ବିତ ଶୀତଳଭଣ୍ଡାର ଓ ଗୋଦାମଘର ଭିତ୍ତିଭୂମିର ବିକାଶ, ଖାଦ୍ୟର ମାନ ଓ ସାର୍ଟିଫିକେସନ୍ର ସୁଦୃଢ଼ୀକରଣ, ସଂଗଠିତ ଶିଳ୍ପ ସହିତ ଏଫ୍ପିଓ, ଏମ୍ଏସ୍ଏମ୍ଇ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କୁ ଯୋଡ଼ିବା ଓ ଏକ ବିଶ୍ବସ୍ତରୀୟ ଦକ୍ଷ ଶ୍ରମଶକ୍ତି ଗଠନ କରିବା। ଏହି ରୋଡ୍ମ୍ୟାପ୍ ମାଧ୍ୟମରେ ଆଗାମୀ ଦଶନ୍ଧିରେ ଓଡ଼ିଶା ମୂଲ୍ୟଯୁକ୍ତ ଖାଦ୍ୟ ଉତ୍ପାଦନର ଏକ ପ୍ରମୁଖ ହବ୍ରେ ପରିଣତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ। ସେ ଚିରିପାଲ୍ ପଲିଫିଲ୍ମସର ସିିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ର ସିିଇଓ ଓ ନିର୍ଦ୍ଦେଶକ ହେମନ୍ତ ରୁପାନି, ବାଲାଜୀ ୱାଫର୍ସର ନିର୍ଦ୍ଦେଶକ ଶ୍ୟାମ ଭିରାନି ଓ କେୟୁର ଭିରାନି, ଲେଟ୍ସ ଟ୍ରାଏର ସିଇଓ ତଥା ପ୍ରତିଷ୍ଠାତା ବିନୋଦ କାଲ୍ରା, ବିୟଣ୍ଡ ସ୍ନାକ୍ସର ପ୍ରତିଷ୍ଠାତା ମାନସ ମଧୁ ଆଦିଙ୍କୁ ଭେଟିବା ସହ ଆଲୋଚନା କରିିଥିଲେ।
ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ କହିଥିଲେ ଯେ କୃଷିଠାରୁ ଆରମ୍ଭ କରି ସାମୁଦ୍ରିକ ଉତ୍ପାଦ ପର୍ଯ୍ୟନ୍ତ ରହିଥିବା ସମ୍ଭାବନାକୁ ଉପଯୋଗ କରି ମୂଲ୍ୟଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବିଶ୍ବର ଏକ ପ୍ରତିଯୋଗିତାପୂର୍ଣ୍ଣ ହବ୍ରେ ପରିଣତ ହେବାକୁ ଆମେ ଲକ୍ଷ୍ୟ ରଖିଛୁ। ପ୍ରଗତିଶୀଳ ସଂସ୍କାର, ଦକ୍ଷ ମାନବ ସମ୍ବଳ, ବିଶ୍ବସ୍ତରୀୟ ଭିତ୍ତିଭୂମି ଓ ପ୍ରତିକ୍ରିୟାଶୀଳ ଶାସନ କଳ ଜରିଆରେ ଓଡ଼ିଶା ନିବେଶକମାନଙ୍କୁ କେବଳ ସୁଯୋଗ ନୁହେଁ, ବରଂ ନବସୃଜନ କରିବା ଓ ଆଗକୁ ବଢ଼ିବା ପାଇଁ ବିଶ୍ବାସ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ଅନୁ ଗର୍ଗ କହିଥିଲେ ଯେ ଓଡ଼ିଶାର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ୍ ଡଲାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଥିଲେ, ଶିଳ୍ପ ପାଇଁ ପୁଞ୍ଜି ନିବେଶ କରିବାରେ ଭୌଗଳିକ ଦୃଷ୍ଟିରୁ ସବୁଠାରୁ ଶ୍ରେଷ୍ଠ ରାଜ୍ୟ ହେଉଛି ଓଡ଼ିଶା। ଏହି ଅବସରରେ ୩୦୦ରୁ ଅଧିକ ନିବେଶକ, ଶିଳ୍ପ ପ୍ରତିନିଧି, ଆସୋଚାମ୍ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ