Nirmala Sitharaman: ୟୁପିଆଇ ଟିକସ ବିଲ୍ ସଂସଦରେ ଗୃହୀତ, ୟୁପିଆଇରେ ଲାଗିବନି ଟିକସ: ନିର୍ମଳା
ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁୁପିଆଇ) ଉପରେ ଟିକସ ଲଗାଇବା ସମ୍ପର୍କିତ ଟିକସ ଓ ଅନ୍ୟାନ୍ୟ ନିୟମ (ସଂଶୋଧନ) ୨୦୨୬ ବିଲ୍ ସଂସଦରେ ଗୃହୀତ ହୋଇଛି। ଗତ ସପ୍ତାହରେ ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଆଜି ରାଜ୍ୟସଭାରେ ଏହା ଉପରେ ଆଲୋଚନା ହୋଇଥିଲା।

ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁୁପିଆଇ) ଉପରେ ଟିକସ ଲଗାଇବା ସମ୍ପର୍କିତ ଟିକସ ଓ ଅନ୍ୟାନ୍ୟ ନିୟମ (ସଂଶୋଧନ) ୨୦୨୬ ବିଲ୍ ସଂସଦରେ ଗୃହୀତ ହୋଇଛି। ଗତ ସପ୍ତାହରେ ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଆଜି ରାଜ୍ୟସଭାରେ ଏହା ଉପରେ ଆଲୋଚନା ହୋଇଥିଲା। ସେଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାଗ ନେଇ ୟୁପିଆଇ ଉପରେ ଟିକସ ଲଗାଇବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ବାଚନିକ ଭୋଟ୍ ସହ ଏହି ବିଲ୍କୁ ରାଜ୍ୟସଭା ଫେରାଇ ଦେଇଥିଲା। ବିଲ୍ ସଂକ୍ରାନ୍ତରେ ହେଉଥିବା ଆଲୋଚନାକୁ ଖଣ୍ଡନ କରି ଶ୍ରୀମତୀ ସୀତାରମଣ କହିଥିଲେ ଯେ ୟୁପିଆଇ ଆରମ୍ଭ ହେବା ଦିନଠାରୁ ଗ୍ରାହକମାନଙ୍କ ପାଇଁ ନିଃଶୁଳ୍କ ରହିଛି।
ସମସ୍ତ ଭାରତୀୟ କୌଣସି ଶୁଳ୍କ ନ ଦେଇ ଏହି ଡିଜିଟାଲ ପେମେଣ୍ଟ୍ ସୁବିଧାକୁ ବ୍ୟବହାର କରିବା ଜାରି ରଖିବେ। ପେମେଣ୍ଟ୍ ଆଣ୍ଡ୍ ସେଟଲ୍ମେଣ୍ଟ୍ ଆକ୍ଟ ଓ ଆୟକର ନିୟମ ମଧ୍ୟରେ ରହୁଥିବା ସମ୍ପର୍କକୁ ଏହି ସଂଶୋଧିତ ବିଲ୍ରେ ହଟାଇ ଦିଆଯାଇଛି। ୟୁପିଆଇ ଓ ରୁପେ କାର୍ଡ କାରବାର ପାଇଁ ଶୂନ ମର୍ଚାଣ୍ଟ୍ ଡିସ୍କାଉଣ୍ଟ୍ ରେଟ୍ (ଜିରୋ ଏମ୍ଡିଆର୍) ଫ୍ରେମ୍ୱର୍କକୁ ବଦଳାଇବା ପାଇଁ ଏଥିରେ ସରକାରଙ୍କୁ କ୍ଷମତା ଦିଆଯାଇଛି। ବର୍ତ୍ତମାନ ୟୁପିଆଇ ଓ ରୁପେ କାର୍ଡ କାରବାର ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ୍ ସେବା ପ୍ରଦାନକାରୀ ସଂସ୍ଥା କୌଣସି ଶୁଳ୍କ ଲଗାଉ ନାହାନ୍ତି।
କିନ୍ତୁ ସଂସଦରେ ପାରିତ ହୋଇଥିବା ବିଲ୍ରେ ସରକାରଙ୍କୁ ଶୁଳ୍କ ଲଗାଇବା ଅନୁମତି ଦେବାର କ୍ଷମତା ପ୍ରଦାନ କରାଯାଇଛି। ଏହି ବିଲ୍ରେ ଅଧିକ ବିଦେଶୀ ପୁଞ୍ଜି ହାସଲ କରିବା, ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପ୍ରୋତ୍ସାହିତ କରିବା ଓ ଭାରତୀୟ ଡାଟା ସେଣ୍ଟରକୁ ବ୍ୟହବାର କରିବା ପାଇଁ ବିଦେଶୀ କ୍ଲାଉଡ୍ କମ୍ପାନିଗୁଡ଼ିକୁ ଅନୁମତି ଦେବାକୁ ଲକ୍ଷ୍ୟ ରଖାଯାଇଛି। ଭାରତକୁ ଆସିବାକୁ ଚାହୁଥିବା ଫଣ୍ଡ୍ ମ୍ୟାନେଜରମାନଙ୍କ ଲାଗି ରହିଥିବା କଠୋର ସର୍ତ୍ତଗୁଡ଼ିକୁ ମଧ୍ୟ ଏହି ବିଲ୍ ଜରିଆରେ କୋହଳ କରାଯାଇଛି।
ସୌଜନ୍ୟ ସମ୍ବାଦ




