ରାଜ୍ୟ

Ganjam: ଗଞ୍ଜାମରେ ଲଘୁଖଣିଜ ସିଣ୍ଡିକେଟ୍‌ର ଆତଙ୍କ: ମାଫିଆ ଖୋଳୁଛନ୍ତି, ସରକାର ଦେଖୁଛନ୍ତି, ଶୋଇପଡ଼ିଛି ଖଣି ବିଭାଗ

ବର୍ଷକୁ ୨ହଜାର କୋଟିର ଲଘୁ ଖଣିଜ ଲୁଟ୍। ମୋରମ, ବାଲି ଓ ମାଟି ଭଳି ଲଘୁଖଣିଜକୁ ନେଇ ଗଢ଼ି ଉଠିଥିବା ଏକ ବଡ଼ ସିଣ୍ଡିକେଟ୍‌ ଏହା ପଛରେ କାମ କରୁଛି। ଅସାଧୁ ଅଧିକାରୀ ଓ କିଛି ନେତା ଏଥିରେ ହାତ ମିଳାଇଛନ୍ତି।

ବ୍ରହ୍ମପୁର: ବର୍ଷକୁ ୨ହଜାର କୋଟିର ଲଘୁ ଖଣିଜ ଲୁଟ୍। ମୋରମ, ବାଲି ଓ ମାଟି ଭଳି ଲଘୁଖଣିଜକୁ ନେଇ ଗଢ଼ି ଉଠିଥିବା ଏକ ବଡ଼ ସିଣ୍ଡିକେଟ୍‌ ଏହା ପଛରେ କାମ କରୁଛି। ଅସାଧୁ ଅଧିକାରୀ ଓ କିଛି ନେତା ଏଥିରେ ହାତ ମିଳାଇଛନ୍ତି। ବିଭିନ୍ନ ବିଭାଗର ଜାଣତରେ ସଞ୍ଜ ନଇଁବା କ୍ଷଣି ମାଫିଆଙ୍କ ହାଇୱା ଗାଁ ରାସ୍ତାରେ ଗଡ଼ୁଛି। ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଜିଲ୍ଲା ଗଞ୍ଜାମରେ ମାଫିଆଙ୍କ ସିଣ୍ଡିକେଟ୍ ଉପରେ ରୋକ୍ ଲାଗିପାରୁନି। ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ଖଣି ବିଭାଗ ଯେମିତି ଶୋଇ ପଡ଼ିଛି। ଗତକାଲି ଖଲ୍ଲିକୋଟ ତହସିଲର ଶ୍ୟାମସୁନ୍ଦରପୁର ଓ ବାଘୁଆ ପାହାଡ଼ରେ ଚାଲିଥିବା ବେଆଇନ ମୋରମ ଖାଦାନକୁ ବିଭାଗ ସିଲ୍‌ କରିଥିଲା।

ଗଞ୍ଜାମରେ ଲଘୁଖଣିଜ ସିଣ୍ଡିକେଟ୍‌ର ଆତଙ୍କ
ହାତ ମିଳାଇଛନ୍ତି ଅସାଧୁ ଅଧିକାରୀ ଓ ନେତା
ଶୋଇପଡ଼ିଛି ଖଣି ବିଭାଗ

ତେବେ କେବଳ ଖଲ୍ଲିକୋଟ ନୁହେଁ, ପୂରା ଜିଲ୍ଲାକୁ ଏହି ସିଣ୍ଡିକେଟ୍‌ର ଚେର ଲମ୍ବିଛି। ସରକାରୀ ସୂଚନାନୁସା‌ରେ ଜିଲ୍ଲାରେ ୨୮ଟି ପଥରଖାଦାନ, ୪ଟି ମୋରମ୍‌ ଖାଦାନ ଓ ୧୧ଟି ବାଲିଘାଟ କାର୍ଯ୍ୟକ୍ଷମ ରହିଛି। ଲିଜ୍‌ଧାରୀଙ୍କ ପାଖରେ ଇ-ପାସ୍‌ ସମେତ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ରହିଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ସମଗ୍ର ଜିଲ୍ଲାରେ ମାଫିଆ ସେମାନଙ୍କ ନେଟ୍‌ୱର୍କକୁ ସକ୍ରିୟ କରିଛନ୍ତି। ଅବାଧରେ ଚାଲିଛି ଲଘୁ ଖଣିଜ ଲୁଟ୍। ପାହାଡ଼ ଖୋଳା ହେଉଛି। ଚୋରି ହେଉଛି ମୋରମ। ଖଣି, ରାଜସ୍ୱ ଓ ବନ ବିଭାଗ ନିଜ ନିଜ ମୁଣ୍ଡରୁ ଦୋଷ ଖସେଇବାରେ ବ୍ୟସ୍ତ। ଅନ୍ୟପଟେ, ପରିବେଶ ଧ୍ୱଂସ ଓ ଆଇନଶୃଙ୍ଖଳାର ପ୍ରଶ୍ନ ବି ଜଡ଼ିତ ରହିଛି। ଖଣିଜ ଉତ୍ତୋଳନ ପାଇଁ ଅନୁମତି, ରୟାଲଟି ଓ ଆବଶ୍ୟକ କାଗଜପତ୍ର ଦରକାର। ହେଲେ ନିୟମକୁ ବାଇପାସ୍‌ କରି ନିର୍ଦ୍ଧାରିତ ସୀମାଠାରୁ ଅଧିକ ଉତ୍ତୋଳନ ସହ ବିନା ଅନୁମତିରେ ଚାଲିଛି ଲଘୁଖଣିଜ ଚାଲାଣ ହେଉଛି। ଶ୍ୟାମସୁନ୍ଦରପୁର ଓ ବାଘୁଆ ଭଳି ପାହାଡ଼ରେ ଜାତୀୟ ପକ୍ଷୀ ମୟୂର ମରିଯାଉଥିବାର ନଜିର ରହିଛି। ତା’ ସତ୍ତ୍ବେ ବିଭାଗର ନିଦ ଭାଙ୍ଗୁନି। ତେବେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଏହାର ଦାୟିତ୍ବ ଦିଆଯାଇଥିବା ଚର୍ଚ୍ଚା ହେଉଛି। ସେ ମାଫିଆ ସିଣ୍ଡିକେଟ୍‌ ସହ ଯୋଗସୂତ୍ର ରକ୍ଷା କରୁଛନ୍ତି। ଭିଜିଲାନ୍ସ ଏଥିରେ ହସ୍ତକ୍ଷେପ କରିବା ସହ ଉକ୍ତ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କଲେ ସିଣ୍ଡିକେଟ୍‌ ଭାଙ୍ଗିବ ବୋଲି କୁହାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button