ଭବାନୀପାଟଣା: ଅଧାରୁ ପାଠପଢ଼ା ଛାଡ଼ିଥିବେ, ସ୍କୁଲ୍ ମୁହଁ ମାଡ଼ି ନଥିବେ, ଏମିତି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ପାଇଁ ବ୍ୟାପକ ଅଭିଯାନ ହାତକୁ ନିଆଯାଇଥିଲା। ସଚେତନତା ସହ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ମୁହାଁ କରାଇବା ପାଇଁ ଉତ୍ସାହିତ କରାଯାଇଥିଲା। ତେବେ କଳାହାଣ୍ଡି ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସ୍କୁଲ୍ମୁହାଁ ହେବେ କ’ଣ, ଜିଲ୍ଲାରେ ୩୮୨୦ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ବହି ବସ୍ତାନି ଧରି ଘରକୁ ଫେରି ଆସିଥିବା ଜଣାପଡ଼ିଛି। ବିଦ୍ୟାଳୟମୁହାଁ କରାଇବା ପାଇଁ ମାଗଣା ବହି, ପୋଷାକ, ମଧ୍ୟାହ୍ନ ଭୋଜନ ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ହେୟଜ୍ଞାନ କରି ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ିବା ଘଟଣା ଜିଲ୍ଲା ଶିକ୍ଷା ବିଭାଗକୁ ଚିନ୍ତାରେ ପକାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାର ସ୍କୁଲମାନଙ୍କରେ ଡ୍ରପ୍ ଆଉଟ୍ ବୃଦ୍ଧି ପାଇବା ଉଦ୍ବେଗର ବିଷୟ ହୋଇଛି।
ଜିଲ୍ଲାର ୧୩ଟି ବ୍ଲକ୍ରେ ବର୍ତ୍ତମାନ ୩୮୨୦ ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ଅଛନ୍ତି। ଥୁଆମୂଳ ରାମପୁର ବ୍ଲକ୍ରେ ସର୍ବାଧିକ ୬୭୮ ଜଣ ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ଥିବାବେଳେ କର୍ଲାମୁଣ୍ଡା ବ୍ଲକ୍ରେ ସର୍ବନିମ୍ନ ୨୩ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି। ପରିସଂଖ୍ୟାନ ହିସାବରେ ଭବାନୀପାଟଣା ସଦର ବ୍ଲକ୍ରେ ୭ରୁ ୧୪ ବର୍ଷ ୧୬୪ ଜଣ, ୧୪ରୁ ୧୬ ବର୍ଷ ୩୩୬ ଜଣଙ୍କୁ ମିଶାଇ ମୋଟ ୫୦୦ ଜଣ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଧର୍ମଗଡ଼ ବ୍ଲକ୍ରେ ୭ରୁ ୧୪ ବର୍ଷ ୪୦ ଜଣ, ୧୪ରୁ ୧୬ ବର୍ଷ ୧୯୨ ଜଣ ସମୁଦାୟ ୫୦୦ ଜଣ, ଗୋଲାମୁଣ୍ଡା ବ୍ଲକ୍ରେ ୭ରୁ ୧୪ ବର୍ଷ ୪୦ ଜଣ, ୧୪ରୁ ୧୬ ବର୍ଷ ୧୯୨ ଜଣଙ୍କ ସମେତ ୨୩୨ ଜଣ, ଜୟପାଟଣା ବ୍ଲକ୍ରେ ୭ରୁ ୧୪ ବର୍ଷ ୧୧୦ ଜଣ, ୧୪ରୁ ୧୬ ବର୍ଷ ୨୮୩ ଜଣଙ୍କୁ ନେଇ ସମୁଦାୟ ୩୯୩ ଜଣ, ଜୁନାଗଡ଼ ବ୍ଲକ୍ରେ ୭ରୁ ୧୪ ବର୍ଷ ୭୭ ଜଣ, ୧୪ରୁ ୧୬ ବର୍ଷ ୩୩୩ ଜଣଙ୍କ ସହିତ ୪୧୦ ଜଣ, କଲମପୁର ବ୍ଲକ୍ରେ ୭ରୁ ୧୪ ବର୍ଷ ୧୩ ଜଣ, ୧୪ରୁ ୧୬ ବର୍ଷ ୮୫ ଜଣଙ୍କ ସମେତ ୯୮ ଜଣ, କର୍ଲାମୁଣ୍ଡା ବ୍ଲକ୍ରେ ୭ରୁ ୧୪ ବର୍ଷ ୧, ୧୪ରୁ ୧୬ ବର୍ଷ ୨୨ ଜଣଙ୍କୁ ମିଶାଇ ୨୩ ଜଣ, କେସିଙ୍ଗା ବ୍ଲକ୍ରେ ୭ରୁ ୧୪ ବର୍ଷ ୩୭ ଜଣ, ୧୪ରୁ ୧୬ ବର୍ଷ ୧୩୧ ଜଣଙ୍କ ସହିତ ସମୁଦାୟ ୧୬୮ ଜଣ, କୋକସରା ବ୍ଲକ୍ରେ ୭ରୁ ୧୪ ବର୍ଷ ୫୪ ଜଣ, ୧୪ରୁ ୧୬ ବର୍ଷ ୨୨୯ ଜଣଙ୍କ ସହିତ ୨୮୩ ଜଣ, ଲାଞ୍ଜିଗଡ଼ ବ୍ଲକ୍ରେ ୭ରୁ ୧୪ ବର୍ଷ ୧୯୬ ଜଣ, ୧୪ରୁ ୧୬ ବର୍ଷ ୨୯୫ ଜଣଙ୍କ ସମେତ ୪୯୧ ଜଣ, ମଦନପୁର ରାମପୁର ବ୍ଲକ୍ରେ ୭ରୁ ୧୪ ବର୍ଷ ୨୭ ଜଣ, ୧୪ରୁ ୧୬ ବର୍ଷ ୯୨ ଜଣଙ୍କ ସହିତ ୧୧୯ ଜଣ, ନର୍ଲା ବ୍ଲକ୍ରେ ୭ରୁ ୧୪ ବର୍ଷ ୪୫ ଜଣ, ୧୪ରୁ ୧୬ ବର୍ଷ ୧୪୮ ଜଣଙ୍କୁ ମିଶାଇ ୧୯୩ ଜଣ, ଥୁଆମୂଳ ରାମପୁର ବ୍ଲକ୍ରେ ୭ରୁ ୧୪ ବର୍ଷ ୩୧୧ ଜଣ, ୧୪ରୁ ୧୬ ବର୍ଷ ୩୬୭ ଜଣଙ୍କ ସମେତ ୬୭୮ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି।