Police and security forces: ଶିଳ୍ପ ଖୋଜୁଛି ପୁଲିସ ସୁରକ୍ଷା ବଳ: ୬ ହଜାର ପଦରେ ସୁଯୋଗ ଥାଇ ବି ବର୍ଷେ ହେଲା ହୋଇପାରୁନି ନିଯୁକ୍ତି
ରାଜ୍ୟର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ଏବେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ଓଆଇଏସ୍ଏଫ୍)ର ସୁରକ୍ଷା ଖୋଜୁଛି। ଓଏମ୍ସି, ଏମ୍ସିଏଲ୍, ଉଡ଼ାଣ ଯୋଜନାରେ ଆରମ୍ଭ ହୋଇଥିବା ଝାରସୁଗୁଡ଼ା, ରାଉରକେଲା, ଉତ୍କେଲା, ଜୟପୁର ବିମାନବନ୍ଦର...

କଟକ(ଚିରଞ୍ଜୀବୀ କର): ରାଜ୍ୟର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ଏବେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ଓଆଇଏସ୍ଏଫ୍)ର ସୁରକ୍ଷା ଖୋଜୁଛି। ଓଏମ୍ସି, ଏମ୍ସିଏଲ୍, ଉଡ଼ାଣ ଯୋଜନାରେ ଆରମ୍ଭ ହୋଇଥିବା ଝାରସୁଗୁଡ଼ା, ରାଉରକେଲା, ଉତ୍କେଲା, ଜୟପୁର ବିମାନବନ୍ଦର, ନୂଆ ଡ୍ୟାମ୍, ତଟସୁରକ୍ଷା, କ୍ଷୁଦ୍ର ଓ ବୃହତ୍ ଖଣିଗୁଡ଼ିକରେ ଓଆଇଏସ୍ଏଫ୍ ନିଯୁକ୍ତି ପାଇଁ ଓଡ଼ିଶା ପୁଲିସ ନିକଟରେ ଆବେଦନ କରିଛନ୍ତି। ଫଳରେ ପାଖାପାଖି ୧୦ ହଜାର ଓଆଇଏସ୍ଏଫ୍ ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ପୁଲିସ ୧୦ଟି ବାଟାଲିୟନ୍ ଗଠନ ପାଇଁ ସୁପାରିସ କରିଥିଲା। କିନ୍ତୁ ରାଜ୍ୟ ସରକାର ୩ଟି ବାଟାଲିୟନ୍କୁ ମଞ୍ଜୁର କଲେ। କିନ୍ତୁ ମଞ୍ଜୁର ହେବାର ବର୍ଷେ ହେବ ନିଯୁକ୍ତି ହୋଇ ପାରି ନଥିବାରୁ ଓଡ଼ିଶା ପୁଲିସ ଆବଶ୍ୟକତା ଅନୁଯାୟୀ ଫୋର୍ସ ଯୋଗାଣ କରିପାରୁନାହିଁ। ପ୍ରାଥମିକ ଭାବେ ୬ ହଜାରରୁ ଅଧିକ ନିଯୁକ୍ତିର ସୁଯୋଗ ଥାଇ ବି ଏ ଦିଗରେ ପଦକ୍ଷେପ ନିଆନଯିବା ଉଦ୍ବେଗର କାରଣ ହୋଇଛି।
୬ ହଜାର ପଦରେ ସୁଯୋଗ ଥାଇ ବି ବର୍ଷେ ହେଲା ହୋଇପାରୁନି ନିଯୁକ୍ତି
୧୦ ଓଆଇଏସ୍ଏଫ୍ ବାଟାଲିୟନ୍ ପାଇଁ ଓଡ଼ିଶା ପୁଲିସର ସୁପାରିସ
୩ ବାଟାଲିୟନ୍କୁ ସରକାରଙ୍କ ମଞ୍ଜୁରି
ଓଡ଼ିଶା ପୁଲିସର ସ୍ପେସାଲ ଆର୍ମଡ୍ ଫୋର୍ସ (ଏସ୍ଏପି) ପକ୍ଷରୁ ଓଆଇଏସ୍ଏଫ୍ର ପ୍ରଥମେ ଗୋଟିଏ ବାଟାଲିୟନ୍ ଖୋରଧାରେ ଖୋଲିଥିଲା। ସେଥିରେ ୧ ହଜାର ୩୯୦ ପୁଲିସ ଫୋର୍ସ କାର୍ଯ୍ୟ କରୁଛନ୍ତି। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଢଙ୍ଗରେ ଓଡ଼ିଶା ସରକାର ଓଡ଼ିଶାର ଘରୋଇ କମ୍ପାନି ଓ ପବ୍ଲିକ୍ ସେକ୍ଟର ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏଭଳି ବାଟାଲିୟନ୍ ଆରମ୍ଭ କରିଥିଲେ। କମ୍ପାନିରେ ନିୟୋଜିତ ହେଉଥିବା ଏହି ପୁଲିସ କର୍ମଚାରୀଙ୍କ ମାସିକ ଦରମା ସହିତ ଟିଏ, ଡିଏ ସମେତ ଅନ୍ୟ ଖର୍ଚ୍ଚ ଇତ୍ୟାଦି କମ୍ପାନି କର୍ତ୍ତୃପକ୍ଷ ବହନ କରିଥାନ୍ତି। ଏହି ବାଟାଲିୟନ୍ ରାଜ୍ୟ ସରକାରଙ୍କ ଦ୍ବାରା ବିଧିବଦ୍ଧ ଭାବେ ତାଲିମ ନେଇଥିବାରୁ ଘରୋଇ ସୁରକ୍ଷାକର୍ମୀଙ୍କ ତୁଳନାରେ ଅଧିକ ଦକ୍ଷ। ସେଥିପାଇଁ ଘରୋଇ କମ୍ପାନି ଓ ପବ୍ଲିକ୍ ସେକ୍ଟର ସଂସ୍ଥାଗୁଡ଼ିକ ଘରୋଇ ସଂସ୍ଥାର ସୁରକ୍ଷା କର୍ମୀଙ୍କ ଅପେକ୍ଷା ଏହି ଓଆଇଏସ୍ଏଫ୍କୁ ସୁରକ୍ଷା ପାଇଁ ବ୍ୟବହାର କରିବାକୁ ଆଗ୍ରହ ଦେଖାଇଥାନ୍ତି। ଏବେ ନୂଆ ଶିଳ୍ପ ସଂସ୍ଥାଗୁଡ଼ିକ ଓଡ଼ିଶାମୁହାଁ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷା ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ଅନୁଗୋଳ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଫୋର୍ସ ମୁତୟନ ପାଇଁ ଏହି ନୂଆ ନିଯୁକ୍ତିର ଆବଶ୍ୟକତା ରହିଛି।
ସୌଜନ୍ୟ ସମ୍ବାଦ




