Cattle smuggling: ବେଆଇନ୍ ଗୋଚାଲାଣ କଣ୍ଟେନର୍କୁ ଧରିଲେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ, ୩୦ରୁ ଅଧିକ ଗୋରୁ ଉଦ୍ଧାର
ବିଶେଷ ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ଦେଇ ବେଆଇନ ଭାବେ ଗୋରୁ ପରିବହନ ଅଭିଯୋଗରେ ରାତି ପ୍ରାୟ ୧୨ଟା ସମୟରେ ଏକ କଣ୍ଟେନରକୁ ପିଛା କରି ଅଟକାଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ କର୍ମୀ।

ବୈଶିଙ୍ଗା: ବିଶେଷ ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ଦେଇ ବେଆଇନ ଭାବେ ଗୋରୁ ପରିବହନ ଅଭିଯୋଗରେ ରାତି ପ୍ରାୟ ୧୨ଟା ସମୟରେ ଏକ କଣ୍ଟେନରକୁ ପିଛା କରି ଅଟକାଇଥିଲେ ବିଶ୍ୱ ହିନ୍ଦୁ ପରିଷଦ କର୍ମୀ। ଅନ୍ୟପଟେ ବେତନଟୀ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ୨୦ରୁ ଅଧିକ ଯୁବକ ଏହି ଘଟଣାରେ ସାମିଲ ଥିବା ଜଣାପଡ଼ିଥିଲା। ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନଙ୍କୁ ପ୍ରଶଂସା କରୁଛନ୍ତି।
ହାତୀଝୁରି ନିକଟରେ କଣ୍ଟେନରକୁ ଅଟକାଇଥିଲେ
ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ବିହାର ନମ୍ବର(BR06GG-4603) ଥିବା ଏକ କଣ୍ଟେନରରେ ବହୁ ସଂଖ୍ୟାରେ ଗୋରୁ ଗାଈଙ୍କୁ ନେଇ ଯାଉଥିବା ନେଇ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ସନ୍ଦେହ କରିଥିଲେ। ଏହାପରେ ବେତନଟୀ ଅଞ୍ଚଳରୁ କଣ୍ଟେନରଟିକୁ ପିଛା କରିଥିଲେ। ଦୀର୍ଘ ସମୟ ପିଛା କରିବା ପରେ ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ହାତୀଝୁରି ନିକଟରେ କଣ୍ଟେନରକୁ ଅଟକାଇଥିଲେ।
ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତେ ମିଶି କଣ୍ଟେନର ଖୋଲି ଯାଞ୍ଚ କରିଥିଲା। ଏଥିରେ ୩୦ରୁ ଅଧିକ ଗାଈ ବାଛୁରୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବୋଝେଇ ହୋଇଥିବା ଦେଖାଯାଇଥିଲା। ପରେ ପୁଲିସ କଣ୍ଟେନରକୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଚାଳକର କହିବା ଅନୁଯାୟୀ କଣ୍ଟେନର ନେଇ ସେ ବିହାର ମୁଜାଫରପୁର ଅଞ୍ଚଳରୁ ବିଶାଖାପାଟଣା ଯାଉଥିଲା l
ତେବେ ଗୋରୁମାନଙ୍କୁ କେଉଁଠାରୁ ଅଣାଯାଇଥିଲା, କେଉଁଠାକୁ ନିଆଯାଉଥିଲା ଏବଂ ପରିବହନ ପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି। ଘଟଣାରେ କଣ୍ଟେନରକୁ ଜବତ ପୂର୍ବକ କଣ୍ଟେନର ଚାଳକ ଓ ତାଙ୍କ ସହିତ ଥିବା ଅନ୍ୟ ୩ଜଣଙ୍କୁ ପୁଲିସ ଅଟକ ରଖି ସେମାନଙ୍କ ଭୂମିକା ଯାଞ୍ଚ କରୁଛି । ଅନ୍ୟପଟେ ରାତିରେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ୱାରା ସମସ୍ତ ଗାଈ ଓ ବାଛୁରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପରେ ସୁରକ୍ଷିତ ଭାବେ ବାଲେଶ୍ୱର ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଛି l
ସୌଜନ୍ୟ ସମ୍ବାଦ




