ଦେଶ ବିଦେଶ

୧୦ ହଜାର ପ୍ରାଥମିକ ସ୍କୁଲ ବନ୍ଦ

ନୂଆଦିଲ୍ଲୀ : ଗୋଟିଏ ବର୍ଷ ମଧ୍ୟରେ ଭାରତରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ପ୍ରାୟ ୧୦ ହଜାର ହ୍ରାସ ପାଇଛି। ଏନେଇ ସୋମବାର ଲୋକସଭାରେ ସରକାର ସୂଚନା ଦେଇଛନ୍ତି। ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୪-୨୫ରେ ଭାରତରେ ୮ ଲକ୍ଷ ୮୯ ହଜାର ୮୦୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଥିଲା। ମାତ୍ର ୨୦୨୫-୨୬ରେ ଏହି ସଂଖ୍ୟା ୮ ଲକ୍ଷ ୭୯ ହଜାର ୯୪୦କୁ ଖସି ଆସିଛି। ଅଥାତ୍‌ ଗୋଟିଏ ବର୍ଷରେ ୯,୮୬୬ ଟି ଅର୍ଥାତ୍‌ ୧.୧ ପ୍ରତିଶତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପଛରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ କି ବୋଲି ଲୋକସଭାରେ ଡିଏମ୍‌କେ ସାଂସଦ ଟିଆର ବାଲୁ ପ୍ରଶ୍ନ କରିଥିଲେ। ଏଥିସହ ପିଲାମାନେ ଯେପରି ବିଦ୍ୟାଳୟ ଛାଡ଼ି ନ ଯିବେ ସେଥିନିମନ୍ତେ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ସାଂସଦ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା​‌ ହ୍ରାସ ଯୋଗୁଁ କେତେ ବିଦ୍ୟାଳୟ ବନ୍ଦ ହୋଇଛି ସେ ସମ୍ପର୍କରେ ସୂଚନା ନ ଦେଇ ଗୋଟିଏ ବର୍ଷରେ ପ୍ରାୟ ୧୦ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟ କମିଥିବା ତଥ୍ୟ ପ୍ରଦାନ କରିଥିଲେ। ଅନେକ ବିଦ୍ୟାଳୟରେ ପିଲା ସଂଖ୍ୟା କମ୍‌ ହେତୁ ତାହାକୁ ନିକଟସ୍ଥ ସ୍କୁଲରେ ମିଶାଇ ଦେବା, କେଉଁଠି ଅନ୍ୟାନ୍ୟ କାରଣରୁ ବିଦ୍ୟାଳୟ ସ୍ଥାନାନ୍ତର ତଥା ଉଚ୍ଚପ୍ରାଥମିକ ସହ ମିଶାଇବା ଆଦି କାରଣ ଥିବା କୁହାଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ମେଘାଳୟରେ ସର୍ବାଧିକ ମେଘାଳୟରେ ୨୧୭୪ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ତେଲଙ୍ଗାନାରେ ୧୯୬୧, ଆନ୍ଧ୍ରପ୍ରଦେଶରେ ୧୪୪୬, ମଧ୍ୟପ୍ରଦେଶରେ ୧୦୪୩, କର୍ଣ୍ଣାଟକରେ ୬୧୫, ପଶ୍ଚିମବଙ୍ଗରେ ୫୮୭, ରାଜସ୍ଥାନରେ ୪୭୩, ମହରାଷ୍ଟ୍ରରେ ୩୫୭, ହିମାଚଳ ପ୍ରଦେଶରେ ୨୫୯, ଆସାମରେ ୨୦୯ଟି ବିଦ୍ୟାଳୟ ବନ୍ଦ ହୋଇଛି। ଅନ୍ୟପକ୍ଷରେ ବିହାରରେ ପୂର୍ବରୁ ୬ ହଜାର ୮୦୩ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ଏହି ସଂଖ୍ୟା ୨୦୨୫-୨୬ରେ ୬ହଜାର ୯୧୫ରେ ପହଞ୍ଚିଛି। ସେହିପରି ଛତିଶଗଡ଼ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୪୩ ହଜାର ୮୩୬ରୁ ବଢ଼ି ୪୩ ହଜାର ୮୫୩ରେ ପହଞ୍ଚିଛି। ଜାମ୍ମୁ-କାଶ୍ମୀର, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବାରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ସ୍ଥିର ରହିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଓ ପିଏମ୍‌ ପୋଷଣ ଯୋଜନାରେ ସହାୟତା ଯୋଗାଇ ଦେଉଛନ୍ତି। ୟୁଡାଇଜ୍‌ ରିପୋର୍ଟ ଅନୁଯାୟୀ, ୨୦୨୩-୨୪ରୁ ୨୦୨୪-୨୫ ଶିକ୍ଷାବର୍ଷରେ ଦେଶରେ ସରକାରୀ ବିଦ୍ୟାଳୟ ଗୁଡିକରେ ୮୬ ଲକ୍ଷ ପିଲାଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ଏହି ସମୟ ମଧ୍ୟରେ ଘରୋଇ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୮ ଲକ୍ଷ ବୃଦ୍ଧି ପାଇଥିଲା। ମୋଟାମୋଟି ଦେଖିଲେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଖାପାଖି ସ୍ଥିର ରହିଥିଲା।

 

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button