Weather Forecast: ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର ୧୯/୦୮: ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବ । ୨୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଆଗରୁ ବର୍ଷା ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୨୨ ତାରିଖରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୩ ଓ ୨୪ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ । ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୫ ରୁ ୨୮ ତାରିଖ ଭିତରେ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହୋଇପାରେ । ଏବେ ସକ୍ରିୟ ଥିବା ଲଘୁଚାପ ଆଭ୍ୟନ୍ତରୀଣ ଭାରତକୁ ଅତିକ୍ରମ କରିବା ପରେ ୨୦ ରୁ ୨୪ ଯାଏ ବାୟୁମଣ୍ଡଳୀୟ ସାମୟିକ ବିରାମ ସ୍ଥିତି ସୃଷ୍ଟି ହେବ । କିନ୍ତୁ ମୌସୁମୀ ଟ୍ରଫ୍ର ପୂର୍ବ ଭାଗ ପୁଣି ସକ୍ରିୟ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜଳୀୟବାଷ୍ପ ଓ ବାୟୁ ସଞ୍ଚାଳନକୁ ବଢ଼ାଇବ ।
ସୌଜନ୍ୟ ପ୍ରମେୟ




