ଦେଶ ବିଦେଶ

Citizenship rules 2026: ସୀମାନ୍ତ ଅଞ୍ଚଳରେ ନାଗରିକତା ଦେବା କ୍ଷମତା ଜିଲ୍ଲାପାଳଙ୍କୁ ଦେଲା କେନ୍ଦ୍ର

ନାଗରିକତା ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ କମାଇବା ପାଇଁ କେନ୍ଦ୍ର ସରକାର ସୀମାନ୍ତ ଅଞ୍ଚଳର ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ନିୟମ, ୨୦୦୯ରେ ସଂଶୋଧନ କରି ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାର...

ନୂଆଦିଲ୍ଲୀ: ନାଗରିକତା ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ କମାଇବା ପାଇଁ କେନ୍ଦ୍ର ସରକାର ସୀମାନ୍ତ ଅଞ୍ଚଳର ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ନିୟମ, ୨୦୦୯ରେ ସଂଶୋଧନ କରି ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାର ଜିଲ୍ଲାପାଳଙ୍କ ସହ ଜମ୍ମୁ-କାଶ୍ମୀର ଓ ଲଦାଖର ଜିଲ୍ଲାପାଳଙ୍କୁ ନାଗରିକତା ଆବେଦନ ଗ୍ରହଣ, ଯାଞ୍ଚ ଓ ନିଷ୍ପତ୍ତି ନେବାର କ୍ଷମତା ଦେଇଛନ୍ତି। ତେବେ ଆସାମ ଓ ତ୍ରିପୁରାର ଜନଜାତି ଅଞ୍ଚଳ ଏହି ବ୍ୟବସ୍ଥାରୁ ବାଦ ପଡ଼ିଛି। ଗୁରୁବାର ଏନେଇ ନୂଆ ନିୟମ ସୂଚିତ କରାଯାଇଛି।

ଗୃହ ମନ୍ତ୍ରଣାଳୟ ‘ସିଟିଜେନସିପ୍‌ (ଥାର୍ଡ ଆମେଣ୍ଡମେଣ୍ଟ) ରୁଲ୍ସ, ୨୦୨୬’ ଜାରି କରି ଏହି ପରିବର୍ତ୍ତନ କରିଛି। ଏହା ଅଧୀନରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସାଧାରଣ ଭାବେ ବସବାସ କରୁଥିବା ଯୋଗ୍ୟ ଆବେଦନକାରୀଙ୍କୁ ଜିଲ୍ଲାପାଳ ଭାରତୀୟ ନାଗରିକତା ପ୍ରଦାନ କରିପାରିବେ। ନାଗରିକତା ଆଇନର ଧାରା ୬ବି ଅନୁଯାୟୀ ନାଗରିକତା ପାଇଁ ଆବେଦନ କରୁଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ ଓ ପାର୍ସୀ ସମ୍ପ୍ରଦାୟର ଯୋଗ୍ୟ ଲୋକଙ୍କ ଆବେଦନ ଏହି ପ୍ରକ୍ରିୟାରେ ବିଚାର କରାଯିବ।

ନୂଆ ନିୟମ ଅନୁସାରେ ଆବେଦନକାରୀ ନିଜ ଅଞ୍ଚଳର ଜିଲ୍ଲାପାଳଙ୍କ ନିକଟରେ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ନାଗରିକତା ପାଇଁ ଆବେଦନ କରିପାରିବେ। ଆବେଦନ ଦାଖଲ ହେବା ପରେ ସ୍ୱୟଂଚାଳିତ ଭାବେ ଏକ ସ୍ୱୀକୃତିପତ୍ର ଜାରି ହେବ। ଜିଲ୍ଲାପାଳ ଆବେଦନ ସହ ଦିଆଯାଇଥିବା ଦଲିଲପତ୍ର ଯାଞ୍ଚ କରିବେ ଏବଂ ଆବେଦନକାରୀ ନାଗରିକତା ପାଇବାକୁ ଯୋଗ୍ୟ କି ନୁହେଁ, ସେନେଇ ଆବଶ୍ୟକ ତଦନ୍ତ ମଧ୍ୟ କରିପାରିବେ। ଆବେଦନକାରୀ ‘ଯୋଗ୍ୟ ଓ ଉପଯୁକ୍ତ’ ବ୍ୟକ୍ତି ବୋଲି ନିଶ୍ଚିତ ହେଲେ ଜିଲ୍ଲାପାଳ ନାଗରିକତା ପ୍ରଦାନ କରିପାରିବେ।

ଏହା ପୂର୍ବରୁ ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ ଗଠିତ କ୍ଷମତାପ୍ରାପ୍ତ କମିଟି ଓ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକ ନାଗରିକତା ପ୍ରଦାନ କରୁଥିଲେ। ଏବେ ଉକ୍ତ ଅଞ୍ଚଳଗୁଡ଼ିକରେ ସେହି କମିଟିଗୁଡ଼ିକ ନିକଟରେ ବିଚାରାଧୀନ ଥିବା ସମସ୍ତ ଆବେଦନ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ସରକାର କହିଛନ୍ତି। ଏହା ଫଳରେ ଆବେଦନର ନିଷ୍ପତ୍ତି ପ୍ରକ୍ରିୟା ସ୍ଥାନୀୟ ସ୍ତରରେ ଶୀଘ୍ର ହେବ ବୋଲି ଆଶା କରାଯାଉଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button