ରାଜ୍ୟ

Dead: ଖଣିଅଞ୍ଚଳ‌ରେ ୬ ମାସରେ ୧୩ ଖଣି କର୍ମଚାରୀ ସହ ୨୨ ମୃତ

ଯାଜପୁର ଜିଲ୍ଲା କାଳିଆପାଣି ଖଣିଅଞ୍ଚଳରେ ଆତଙ୍କ ହେଲାଣି ଆକସ୍ମିକ ମୃତ୍ୟୁ। ଗତ ୬ ମାସ ମଧ୍ୟରେ ମେଡିକାଲ ପହଞ୍ଚିବା ପୂର୍ବରୁ ହାରାହାରୀ ୩୯ ବର୍ଷ ବୟସରେ ୨୫ ଜଣଙ୍କ ମୃତ୍ୟୁ ହେଲାଣି।

କାଳିଆପାଣି (ରବି ନାରାୟଣ କର): ଯାଜପୁରଜିଲ୍ଲା କାଳିଆପାଣି ଖଣିଅଞ୍ଚଳରେ ଆତଙ୍କ ହେଲାଣି ଆକସ୍ମିକ ମୃତ୍ୟୁ। ଗତ ୬ ମାସ ମଧ୍ୟରେ ମେଡିକାଲ ପହଞ୍ଚିବା ପୂର୍ବରୁ ହାରାହାରୀ ୪୧ ବର୍ଷ ବୟସରେ ୨୨ ଜଣଙ୍କ ମୃତ୍ୟୁ ହେଲାଣି। ସେମାନଙ୍କ ମଧ୍ୟରେ ୧୩ ଜଣ ଖଣି କର୍ମଚାରୀ ଅଛନ୍ତି। ୧୨ ଘଣ୍ଟା ପୂର୍ବରୁ ପତ୍ନୀ ଓ ପରିବାରକୁ ଫୋନକରି ଭଲମନ୍ଦ ବୁଝିଥିବା ଜଣେ ଖଣି କର୍ମଚାରୀଙ୍କର ଆଜି ସକାଳ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଇମ୍ଫା ମହାଗିରି କ୍ରୋମାଇଟ୍‌ ଖଣିରେ ନିୟୋଜିତ ଏନ୍‌ଏସ୍‌ଆଇପିଏଲ୍‌ କମ୍ପାନିର ମେକାନିକ୍‌ ଅରୁଣ ମହାରଣା(୩୯)। ସେ କାଳିଆପାଣି ଏଟିଏମ୍‌ ଛକ ହାଟପଡ଼ିଆ ପାଖ ସୁନିଲ ହାଁସଦାଙ୍କ ଭଡ଼ାଘରେ ରହୁଥିଲେ। ପୁଲିସ ସେଠାରୁ ତାଙ୍କ ମୃତଦେହ ଜବତ କରିଛି।

ବୁଧବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସେ ଖଣିରେ ସ୍ବାଭାବିକ କାମ କରିଥିଲେ। ଭଡ଼ାଘରକୁ ଫେରି ଆସିଥିଲେ। ରାତି ଭ‌ୋଜନ ପରେ ଶୋଇଯାଇଥିଲେ। ସେହି କୋଠରୀରେ ରହୁଥିବା ଅନ୍ୟ ୨ ସହକର୍ମୀ ଦେବାଶିଷ ପଣ୍ଡା ଓ ଭାଗ୍ୟ ବେହେରାଙ୍କର ଖଣିରେ ରାତି ଡ୍ୟୁଟି ଥିଲା। ଏଣୁ ତାଙ୍କ ମୃତ୍ୟୁର ସମୟ ଓ କାରଣ ଅସ୍ପଷ୍ଟ ରହିଛି। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୧୭/୨୬ ରୁଜୁ କରାଯାଇଛି। ବ୍ୟବଛେଦ ପ‌ରେ ତାଙ୍କ ମରଶରୀର ପୈତୃକ ଘର ଆନନ୍ଦପୁର ଭଗାନଈ ପଠାଇ ଦିଆଯାଇଛି। ଶେଷଶଯ୍ୟା ପାଖରେ ପତ୍ନୀ ନମିତା, ଶିଶୁକନ୍ୟା, ମାଆ ସୁଲୋଚନା ଓ ବାପା ମଙ୍ଗୁଳି ମହାରଣା ଉପସ୍ଥିତ ଥିଲେ। ହସଖୁସି ସ୍ବଭାବର ଅରୁଣଙ୍କ ଅପ୍ରତ୍ୟାଶିତ ଅକାଳ ମୃତ୍ୟୁରେ ସହକର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

ଜୁଲାଇ ମାସରେ ଏହିପରି ୬ ଜଣଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ୨୯ ତାରିଖ କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ଅନାମ ସିର୍‌କା ଓରଫ୍‌ ଟାଉ(୩୦) ଏବଂ ଝରଣାସାହିର ମଟ ମୁଣ୍ଡା ଓରଫ୍‌ ଲିପୁନ(୨୧) ଓ ଗୁରୁବାରୀ ବିରୁଆ(୫୫)ଙ୍କର ମୃତ୍ୟୁ ହୋଇଥିଲା। ଦିନକ ପୂର୍ବରୁ ଲିପୁନ ବଡ଼ଭାଇ ସହ ଅନଳରୁ ଘର ଫେରିଥିଲେ। ଟାଉ ଓ ଗୁରୁବାରୀ କୃଷି ଶ୍ରମିକ ଭାବେ କାମ କରିଥିଲେ। ୧୬ ତାରିଖ ରାଁସୋଳ ପଞ୍ଚାୟତ କାଟେପୂର୍ତ୍ତିନଗର ବସ୍ତିର ଆଦିବାସୀ ଯୁବକ ରମାକାନ୍ତ ସିଂହ ଓରଫ୍‌ ଲଣ୍ଡା(୩୧)ଙ୍କର ମୃତ୍ୟୁ ହୋଇଥିଲା। ୧୨ ତାରିଖ ବନ୍ଧଗାଁ ଲାଙ୍ଗୁଳାବାବା ହାଇସ୍କୁଲ ପିଇଟି ଶଶଧର ମହାନ୍ତ(୪୭) ନିଜ ଧାନକ୍ଷେତ‌ରେ ଟଳି ପଡ଼ିଥିଲେ। ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଡେକୋ କମ୍ପାନିର କେ୧-ୱିନର୍ସର ନିରାପତ୍ତାରକ୍ଷୀ ଟୁକୁନ ମିଶ୍ର(୨୮) ଖଣିର ଆବାସିକ କୋଠରୀରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button