ଦେଶ ବିଦେଶ

ପୁଲିସକୁ ଲିଙ୍ଗ ପରୀକ୍ଷଣ ମାମଲା ତଦନ୍ତ ମନା

ନୂଆଦିଲ୍ଲୀ : ଭ୍ରୂଣ ଲିଙ୍ଗ ପରୀକ୍ଷଣ ଓ ପ୍ରି କନସେପସନ ଆଣ୍ଡ ପ୍ରି ନାସାଲ ଡାଇଗ୍ନୋଷ୍ଟିକ୍ସ ଟେକନିକ ଆକ୍ଟ (ପିସିପିଏନଡିଟି) ଆଇନ ଅଧୀନରେ ରୁଜୁ ମାମଲାର ଯାଞ୍ଚ ପୁଲିସ କରିପାରିବ ନାହିଁ। ଏହି ମାମଲାରେ ପୁଲିସ ଡାକ୍ତରଖାନାରେ ମଧ୍ୟ ଚଢ଼ଉ କରିପାରିବ ନାହିଁ। ଆଇନ ଅନୁଯାୟୀ ନିଯୁକ୍ତ ଅଧିକାରୀ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ପିସିପିଏନଡିଟି ଆଇନରେ ଭ୍ରୂଣ ଲିଙ୍ଗ ନିର୍ଦ୍ଧାରଣ ପାଇଁ ପ୍ରସବ ପୂର୍ବରୁ କରାଯାଉଥିବା ପରୀକ୍ଷା ଜ୍ଞାନକୌଶଳ ଉପରେ କଟକଣା ଲଗାଯାଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ବଜାୟ ରଖି ବିଚାରପତି ସଞ୍ଜୟ କରୋଲ ଓ ଏନ କୋଟାଶ୍ବର ସିଂହଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ପିସିପିଏନଡିଟି ଆଇନ ସହ ଜଡ଼ିତ ମାମଲା ବୈଷୟିକ ହୋଇଥାଏ। ଏଥିରେ ଡାକ୍ତରୀ ସୂଚନା ଓ ସମ୍ବେଦନଶୀଳତାର ଆବଶ୍ୟକତା ପଡ଼ିପାରେ। ଏହି ମାମଲାରେ ପୁଲିସ କେବଳ ସହାୟକର ଭୂମିକା ନିର୍ବାହ କରିବ। ଏହି କଟକଣା କେବଳ ପିସିପିଏନଡିଟି ଆଇନ ଅଧୀନରେ ରୁଜୁ ଅପରାଧ ପାଇଁ କାର୍ଯ୍ୟକାରୀ ହେବ। ତେବେ ସାଧାରଣ ଆପରାଧିକ ଆଇନ ଅନୁଯାୟୀ ରୁଜୁ ମାମଲାର ତଦନ୍ତ ପୁଲିସ କରିପାରିବ। ପିସିପିଏନଡିଟି ମାମଲାରେ ପୁଲିସ ସିଧାସଳଖ ଏତଲା ରୁୁଜୁ କରିପାରିବନି। ଡାକ୍ତର କିମ୍ବା ଡାକ୍ତରଖାନା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ। ଏହି ଆଇନ ମେଡିକାଲ ଶିକ୍ଷା ସହ ଜଡ଼ିତ। ତେଣୁ ଏଭଳି ମାମଲାରେ ପୁଲିସ ସହାୟତା ନେବାରୁ ବିରତ ରହିବା ଆବଶ୍ୟକ। େସହିପରି ମାମଲାର ତଦନ୍ତ କରି ପୁଲିସ ଦାଖଲ କରିଥିବା ଆରୋପପତ୍ର ଆଧାରରେ ଜଣେ ଦକ୍ଷ ମାଜିଷ୍ଟ୍ରେଟ ମଧ୍ୟ ଏହାର ବିଚାର କରିପାରିବେ ନାହିଁ।

୨୦୨୪ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟରୁ ଏହି ମାମଲାର ଆରମ୍ଭ ହୋଇଥିଲା। ତିନିଟି ପ୍ରଶ୍ନ ଉପରେ ନିଷ୍ପତ୍ତି ନେବାର ଦାୟିତ୍ବ ସୁପ୍ରିମକୋର୍ଟଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ଏହାର ବିଚାର କରି ସୁପ୍ରିମକୋର୍ଟ ପୁଲିସ ଉପରେ ଏଭଳି ଅଙ୍କୁଶ ଲଗାଇଛନ୍ତି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button