ହର୍ମୁଜ ପ୍ରଣାଳୀରେ ଆମେରିକାର ଗୁପ୍ତ କରିଡର ; ଦୈନିକ ଅତିକ୍ରମ କରୁଛି ୨୦ ତୈଳ ଟ୍ୟାଙ୍କର

ୱାଶିଂଟନ : ହର୍ମୁଜ ପ୍ରଣାଳୀରେ ଆମେରିକା ସେନା ଏକ ଗୁପ୍ତ ସ୍ୱତନ୍ତ୍ର ସାମୁଦ୍ରିକ କରିଡର ପ୍ରସ୍ତୁତ କରିଛି। ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ବନ୍ଦ କରି ରଖିଥିବାବେଳେ ଆମେରିକାର ଏହି ଗୁପ୍ତ କରିଡର ଦେଇ ଜାହାଜ ଚଳାଚଳ ଜାରି ରହିଛି। ଆମେରିକାର ଏହି ଗୁପ୍ତ କରିଡର ଦେଇ ପ୍ରତିଦିନ ଲକ୍ଷ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ସୁରକ୍ଷିତ ଭାବେ ବିଶ୍ୱ ବଜାରକୁ ପଠାଉଛି। ଆମେରିକାର ଏହି ଗୁପ୍ତ ଅଭିଯାନ ମାଧ୍ୟମରେ ଓମାନ ଉପକୂଳ ଦେଇ ପ୍ରତି ରାତିରେ ୧୫ ରୁ ୨୦ଟି ତୈଳବାହୀ ଜାହାଜ (ଟ୍ୟାଙ୍କର) ଚଳାଚଳ କରୁଛି। ଏହାଦ୍ୱାରା ଦୈନିକ ପ୍ରାୟ ୧୦ ନିୟୁତ (୧ କୋଟି) ବ୍ୟାରେଲ ତୈଳ ବିଶ୍ୱ ବଜାରକୁ ଯାଉଛି। ନର୍ଥ କାରୋଲିନାର ଫୋର୍ଟ ବ୍ରାଗସ୍ଥିତ ଆମେରିକୀୟ ସେନା ମୁଖ୍ୟାଳୟରୁ ଗଲ୍ଫ ସହଯୋଗୀ ଦେଶଗୁଡ଼ିକ ସହ ମିଶି ଏହି ଜାହାଜ ଚଳାଚଳକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରାଯାଉଛି।
ଆମେରିକା ସେନାର ‘ସେଣ୍ଟ୍ରାଲ କମାଣ୍ଡ’ ଦ୍ୱାରା କରାଯାଇଥିବା ଆକ୍ରମଣ ଯୋଗୁଁ ଇରାନର ରେଡାର୍ ଓ ସାମୁଦ୍ରିକ ଗତିବିଧି ଉପରେ ନଜର ରଖିବା (ସର୍ଭେଲାନ୍ସ) ବ୍ୟବସ୍ଥା ଅନେକାଂଶରେ ଦୁର୍ବଳ ହୋଇପଡ଼ିଛି। ତେଣୁ ଇରାନ ସେନା ଏହି ଗୁପ୍ତ କରିଡର ଦେଇ ରାତିରେ ହେଉଥିବା ଜାହାଜ ଚଳାଚଳକୁ ଠାବ କରିପାରୁ ନାହିଁ। ଆଉ ମଧ୍ୟ ଇରାନର ଡ୍ରୋନ୍ ଓ କ୍ରୁଜ୍ ମିସାଇଲ୍ ଆକ୍ରମଣରୁ ଏହି ତୈଳବାହୀ ଜାହାଜଗୁଡ଼ିକୁ ରକ୍ଷା କରିବା ପାଇଁ ଆମେରିକୀୟ ବାୟୁସେନାର ଯୁଦ୍ଧବିମାନଗୁଡ଼ିକ ପ୍ରହରା ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଦେଇ ବହୁ ପରିମାଣର ଅଶୋଧିତ ତୈଳ ବିଶ୍ବ ବଜାରକୁ ପରିବହନ କରାଯାଉଛି। ଆମେରିକା ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ନିଜ ନିୟନ୍ତ୍ରଣରେ ରଖିଛି। ନିକଟରେ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ଆମେରିକାର ଭୂଖଣ୍ଡ ବୋଲି ଘୋଷଣା କରିଥିଲେ। ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ଏକ ପଞ୍ଚମାଂଶ ତୈଳ କାରବାର ହୋଇଥାଏ। ଇରାନ ସହ ଯୁଦ୍ଧ ସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ପାଇବା ଓ ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଥିଲା। ମାତ୍ର ଆମେରିକାର ଏହି ସୁରକ୍ଷିତ କରିଡର ଯୋଗୁଁ ବିଶ୍ୱ ବଜାରରେ ତୈଳ ଯୋଗାଣ ବଜାୟ ରହିଛି। ଫଳରେ ଅଶୋଧିତ ତୈଳ ଦର ନିୟନ୍ତ୍ରଣରେ ରହିଛି।
ସୌଜନ୍ୟ ସମାଜ




