ଶୌଚ ହେବାକୁ ଯାଇ କାଳ ହେଲା ନଈ, ଗୋଡ଼ ଖସି ବୃଦ୍ଧ ନିଖୋଜ

ବାସୁଦେବପୁର, ୨୧।୮: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ବଛଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶୌଚ ହେବାକୁ ଯାଇଥିବା ଜଣେ ବୃଦ୍ଧ ବାସୁଦେବପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ବଛଦା ଗାଁ ନିକଟସ୍ଥ କାଂଶବାଂଶ ନଈରେ ଗୋଡ଼ ଖସିଯିବାରୁ ଭାସିଯାଇ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଛି । ନିଖୋଜ ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ସନାତନ ସ୍ୱାଇଁ । ସନାତନ ଭୋର ସମୟରେ ଟର୍ଚ୍ଚ, ବାଲଟି ଏବଂ ଠେଙ୍ଗା ଧରି କାଂଶବାଂଶ ନଈ କୂଳକୁ ଶୌଚ ହେବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ସେମାନେ ନଈ ପଠାକୁ ଯାଇ ଦେଖିବାରୁ ସନାତନଙ୍କ ଟର୍ଚ୍ଚ, ବାଲଟି ଏବଂ ବାଡ଼ି ନଈ କୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଗୋଡ଼ ଖସିଯିବାରୁ ସେ ନଈ ପାଣିରେ ଭାସି ଯାଇଥିବା ଆଶଙ୍କା କରାଯାଉଛି ।
ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି କୌଣସି ସନ୍ଧାନ ନପାଇବାରୁ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ବାସୁଦେବପୁରରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନଈରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଦୀର୍ଘ ଦୁଇ ଘଣ୍ଟା ଧରି ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ଦମକଳ ବାହିନୀ ପକ୍ଷରୁ ନଈରେ ଖୋଜାଖୋଜି ଜାରି ରହିଛି ।
ସୌଜନ୍ୟ ପ୍ରମେୟ




