୨୦୨୬ରେ ବେଲଗାମ ଦରଦାମ୍ : ଡାଲି, ତେଲ, ଚିନି ସବୁ ମହଙ୍ଗା… ଚଢଉ କରି ବସି ପଡୁଛି ଯୋଗାଣ ବିଭାଗ

ଭୁବନେଶ୍ୱର, ୨୧/୦୮ : ୨୦୨୬ ମସିହା ଖାଉଟିଙ୍କୁ କନ୍ଦେଇ କନ୍ଦେଇ ଚାଲିଛି । ପେଟ୍ରୋଲ, ଡିଜେଲ ଠୁ ନେଇ ରନ୍ଧନ ଗ୍ୟାସ, ପନିପରିବା, ତେଜରାତି ଦର ସବୁ ବୃଦ୍ଧି ପାଇ ଚାଲିଛି । ଏସବୁ ମଧ୍ୟରେ ଅଧିକ ସମସ୍ୟା ଦେଉଛି ଚିନି । ଗତ ଦେଢ଼ମାସ ମଧ୍ୟରେ ଦର ୪୩ରୁ ବଢ଼ିବଢ଼ି ୬୫ରେ ପହଞ୍ଚିଥିଲା ବେଳେ ଆଜି ଆହୁରି ୫ଟଙ୍କା ବଢ଼ିଛି । କିଛି ଦୋକାନରେ କିଲୋ ୭୦ ଟଙ୍କା ଥିବା ବେଳେ ଆଉ କିଛି ସ୍ଥାନରେ ୬୫ ଟଙ୍କାରେ ବିକ୍ରି ହେଉଥିଲା ଚିନି ।
ସବୁଦିନିଆ ବ୍ୟବହୃତ ଚିନିର ଦରକୁ ନେଇ ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଯଦି ଚିନି ଦର ଏମିତି ବଢ଼ିଚାଲେ, ତାହା ହେଲେ ମିଠା, ଚକୋଲେଟ, ଆଇସ୍କ୍ରିମ୍ ଓ ଚା’କଫିର ଦର ବି ବଢ଼ିବ ବୋଲି ବ୍ୟବସାୟୀମାନେ କହିଲେଣି । ଚିନି ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରୁ ଚିନି ଆସୁଛି । ଓଡ଼ିଶାରେ ବାର୍ଷିକ ୯ଲକ୍ଷ ଚିନି ହେଉଥିବାରୁ ସେହି ଅନୁସାରେ ଦୈନନ୍ଦିନ ଚିନି ଆସେ । ସେଥିପାଇଁ ଦର ଓ ପରିବହନ ଭଡ଼ା ମଧ୍ୟ ନିର୍ଦ୍ଧାରଣ କରାଯାଏ । ହେଲେ ଆଖୁ ଦର ବଢ଼ୁଥିବାରୁ ବଜାରରେ ଚିନିଦର କ୍ରମାଗତ ଭାବରେ ବଢ଼ିଚାଲିଛି ।
ଅପରପକ୍ଷେ, ଡାଲି କିଲୋ ୧୩୦ଟଙ୍କା ଛୁଇଁଛି । ସୋରିଷ ତେଲ ୨୦୦ରୁ ୨୨୦ ଟଙ୍କା ଥିବା ବେଳେ ପିଆଜ ଦର ସେହି ୫୦ ଟଙ୍କାରେ ଅଟକିଛି । ବେପାରୀ କହିଲେଣି ଦର ପୁଣି ବଢ଼ିବ । ଏହି ସମୟରେ ବେଙ୍ଗାଲୁରୁରୁ ନୂଆ ପିଆଜ ଆସେ । ଦର କମିଯାଏ । ହେଲେ ବେଙ୍ଗାଲୁରୁରେ ବନ୍ୟା ହେବାରୁ ଆମଦାନୀ ବନ୍ଦ । ନାସିକରେ ବି ସମାନ ଦଶା । ଏବେ ପିଆଜର ପାଇକାରୀ ଦର ୪୨ଟଙ୍କା ରହିଛି । ଏହି ସମସ୍ୟା ଆହୁରି ୪ମାସ ରହିବ । ନଭେମ୍ବରରେ ଓଡ଼ିଶାରୁ ପିଆଜ ଅମଳ ହେଲେ ଦର ଖସିଯିବ ।
ଆହୁରି ପଢନ୍ତୁ- ପ୍ରକୃତିରୁ ପ୍ରଶାସନ ଯାଏ ସୁଝାଉଛନ୍ତି ରାଗ, ଫସଲ ଉଜାଡୁଛି ବନ୍ୟା, ବାତ୍ୟା ଓ ମରୁଡ଼ି, ଚାଷୀ କାନ୍ଦୁଛି…
ସାରା ରାଜ୍ୟରେ ଏବେ ଦରବୃଦ୍ଧିର କଷଣ ଲାଗିରହିଥିବା ବେଳେ ଏପର୍ଯ୍ୟନ୍ତ ଏହାର ସମାଧାନ ପାଇଁ ସରକାରୀସ୍ତରରେ କୌଣସି ବୈଠକ ବସିନି । ଖାଲି ଯୋଗାଣ ବିଭାଗ ଚଢ଼ଉ କରୁଛି । ହେଲେ ଚଢ଼ଉ ପରେ ପୁଣି ଯଥା ପୂର୍ବଂ ତଥା ପରଂ ସ୍ଥିତି । ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ବନ୍ୟା ଯୋଗୁଁ ପିଆଜ ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ପିଆଜ ଦର ବଢ଼ିବାରେ ଲାଗିଛି । ବନ୍ୟା ପାଣିରେ ବହୁ ପରିମାଣର ପିଆଜ ନଷ୍ଟ ହୋଇଯାଇଛି । ଆଗାମୀ ଦିନରେ ପିଆଜ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି । ବର୍ତ୍ତମାନ କୁଇଣ୍ଟାଲ ପିଛା ପ୍ରାୟ ୪ ହଜାର ଟଙ୍କାରେ ପିଆଜ କିଣାଯାଉଛି । ଏହା ଓଡ଼ିଶାରେ ପହଞ୍ଚିବା ବେଳକୁ ଗାଡ଼ି ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶି କୁଇଣ୍ଟାଲ ପିଛା ପ୍ରାୟ ୪,୫୦୦ ଟଙ୍କା ହୋଇଯାଉଛି । ଯୋଗାଣ ସ୍ୱାଭାବିକ ନହେଲେ ଆଗକୁ ଦର ଆହୁରି ବଢ଼ିପାରେ । ତେଣୁ ସରକାର ତୁରନ୍ତ ଜରୁରୀ ବୈଠକ ଡକାନ୍ତୁ ।
ନିଆରା ପର୍ବ ହରିଆଲି ଉଆଁସ! ଦ୍ୱାରବନ୍ଧରେ କାହିଁକି ପିଟାଯାଏ କଣ୍ଟା? ଜାଣନ୍ତୁ ପରମ୍ପରାର ରହସ୍ୟ
ସୌଜନ୍ୟ ପ୍ରମେୟ




