H1N1 case: ଦିଲ୍ଲୀରେ ଦିନକରେ ୧୧୪ ଏଚ୍୧ଏନ୍୧ ମାମଲା ଚିହ୍ନଟ: ସଂକ୍ରମଣ ବୃଦ୍ଧି ନେଇ ଜେପି ନଡ୍ଡାଙ୍କ ଜରୁରୀ ସମୀକ୍ଷା ବୈଠକ
ଜାତୀୟ ରାଜଧାନୀ ଦିଲ୍ଲୀରେ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ମାମଲାରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି, ଯେଉଁଥିରେ ଏଚ୍୧ଏନ୍୧ ସଂକ୍ରମଣର ସଂଖ୍ୟା ସବୁଠାରୁ ଅଧିକ ରହିଛି। ସରକାରୀ ତଥ୍ୟ ଅନୁଯାୟୀ, ଗତକାଲି ଦିଲ୍ଲୀରେ ସମୁଦାୟ...

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ମାମଲାରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି, ଯେଉଁଥିରେ ଏଚ୍୧ଏନ୍୧ ସଂକ୍ରମଣର ସଂଖ୍ୟା ସବୁଠାରୁ ଅଧିକ ରହିଛି। ସରକାରୀ ତଥ୍ୟ ଅନୁଯାୟୀ, ଗତକାଲି ଦିଲ୍ଲୀରେ ସମୁଦାୟ ୧୫୯ଟି ନୂତନ ଇନ୍ଫ୍ଲୁଏଞ୍ଜା ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ କେବଳ ଏଚ୍୧ଏନ୍୧ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ ରହିଛି। ଏହି ନୂତନ ସଂକ୍ରମିତଙ୍କୁ ମିଶାଇ ଚଳିତ ୨୦୨୬ ବର୍ଷରେ ଦିଲ୍ଲୀରେ ସମୁଦାୟ ଏଚ୍୧ଏନ୍୧ ମାମଲା ୧,୭୭୭ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ସଂକ୍ରମଣ ମାମଲାରେ ଏଭଳି ଦ୍ରୁତ ବୃଦ୍ଧିକୁ ଦେଖି କେନ୍ଦ୍ର ସରକାର ସମଗ୍ର ସ୍ଥିତିର ସମୀକ୍ଷା କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାରଙ୍କ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଏକ ଜରୁରୀ ସମୀକ୍ଷା ବୈଠକ ଡକାଇଛନ୍ତି।
ଏହି ଉଚ୍ଚସ୍ତରୀୟ ବୈଠକରେ ବିଶେଷ ଭାବେ ଏଚ୍୧ଏନ୍୧ର ସାମ୍ପ୍ରତିକ ସ୍ଥିତି ଏବଂ ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ପ୍ରଶାସନର ପ୍ରସ୍ତୁତି ଉପରେ ଆଲୋଚନା କରାଯିବା ନେଇ ସୂଚନା ମିଳିଛି। ପ୍ରକାଶିତ ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସମୁଦାୟ ଇନ୍ଫ୍ଲୁଏଞ୍ଜା ମାମଲାର ପ୍ରାୟ ୭୨ ପ୍ରତିଶତ କେବଳ ଏଚ୍୧ଏନ୍୧ ସଂକ୍ରମଣ ବୋଲି ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ଦିଲ୍ଲୀରେ ସମୁଦାୟ ୨୧୦ ଟି ଇନ୍ଫ୍ଲୁଏଞ୍ଜା-ବି ମାମଲା ମଧ୍ୟ ରେକର୍ଡ କରାଯାଇଛି, ଯାହାକୁ ମିଶାଇ ଚଳିତ ବର୍ଷ ସମୁଦାୟ ଇନ୍ଫ୍ଲୁଏଞ୍ଜା ସଂକ୍ରମିତଙ୍କ ସଂଖ୍ୟା ୨,୬୦୨ରେ ପହଞ୍ଚିଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସତର୍କ ରହିବା ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




