ଦେଶ ବିଦେଶ

ଗ୍ରାମୀଣ ନିଯୁକ୍ତି ଯୋଜନାରେ ସର୍ବନିମ୍ନ ମଜୁରି ଏବଂ ବିଳମ୍ବିତ ପ୍ରାପ୍ୟ ପ୍ରଦାନ ସମ୍ପର୍କିତ ଆବେଦନର ଶୁଣାଣି: ‘କାର୍ଯ୍ୟ କରିବାର ଅଧିକାର ମୌଳିକ ଅଧିକାର କି’

ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ରହିଥିବା ଆଇନଗତ ନିଯୁକ୍ତି ଗ୍ୟାରେଣ୍ଟିକୁ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଏବଂ ସମ୍ମାନର ମୌଳିକ ଅଧିକାର ସହିତ ସମାନ ସ୍ତରରେ ରଖାଯାଇପାରିବ କି ନାହିଁ ସେ ନେଇ ଆଜି ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ନୂଆଦିଲ୍ଲୀ: ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ରହିଥିବା ଆଇନଗତ ନିଯୁକ୍ତି ଗ୍ୟାରେଣ୍ଟିକୁ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଏବଂ ସମ୍ମାନର ମୌଳିକ ଅଧିକାର ସହିତ ସମାନ ସ୍ତରରେ ରଖାଯାଇପାରିବ କି ନାହିଁ ସେ ନେଇ ଆଜି ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନ କାର୍ଯ୍ୟ କରିବାର ଅଧିକାରକୁ ମୌଳିକ ଅଧିକାର ଭାବେ ସ୍ୱୀକୃତି ଦେଇନାହିଁ।  ଏହା ବଦଳରେ ସମ୍ବିଧାନ ଏହାକୁ ରାଷ୍ଟ୍ରର ନିର୍ଦ୍ଦେଶାତ୍ମକ ନୀତି ଅଧୀନରେ ରାଷ୍ଟ୍ରର ଦାୟିତ୍ୱ ମଧ୍ୟରେ ସ୍ଥାନିତ କରିଛି।

ବିଚାରପତି ବାଗଚୀ ମତାମତ ଦେଇଛନ୍ତି ଯେ ସମ୍ବିଧାନ କାର୍ଯ୍ୟ କରିବାର ଅଧିକାରକୁ ମୌଳିକ ଅଧିକାର ଶ୍ରେଣୀଭୁକ୍ତ ନକରି ବାସ୍ତବରେ ଏହାକୁ  କେବଳ ଏକ ଗଣତାନ୍ତ୍ରିକ ଆକାଂକ୍ଷା  ଭାବେ ରଖିଛି। ଏହା ହାସଲ କରିବା ପାଇଁ ରାଷ୍ଟ୍ର ଏକ ନୀତି ପ୍ରଣୟନ କରିଥାଏ ଏବଂ ସେହି ଆଧାରରେ ପଦକ୍ଷେପ ନିଆଯାଏ। ତେଣୁ ଏହାକୁ ଧାରା ୨୧ ସହିତ ସମାନ ସ୍ତରରେ ରଖିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି। କାର୍ଯ୍ୟ କରିବାର ଅଧିକାରକୁ ଏକ ପ୍ରବର୍ତ୍ତନଯୋଗ୍ୟ ଅଧିକାର ସ୍ତରକୁ ଉନ୍ନୀତ କରିବାର ବ୍ୟାପକ ସାମ୍ବିଧାନିକ ପ୍ରଭାବ ଉପରେ ମଧ୍ୟ ଜଷ୍ଟିସ ବାଗଚୀ ମତ ରଖିଛନ୍ତି।  ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଅଧୀନରେ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ ଏବଂ ବିଳମ୍ବିତ ମଜୁରି ପାଇଁ କ୍ଷତିପୂରଣ ସମ୍ପର୍କିତ ଏକ ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତଙ୍କ ଏଭଳି ଟିପ୍ପଣୀ ଆସିଛି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ବଦଳରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ ଆଜୀବିକା ମିସନ’ (ଭିବି-ଜି ରାମ୍‌ ଜି) କରାଯିବା  ଦ୍ୱାରା ଏହି ଆବେଦନ ବିଫଳ ହୋଇନାହିଁ।

ଅଦାଲତଙ୍କ ନିକଟରେ ଥିବା ଆବେଦନ ଦୁଇଟି ବିଷୟ ଉପରେ ଆଧାରିତ, ଯେଉଁଥିରେ ପୂର୍ବ ଯୋଜନାର ମଜୁରି ବିଳମ୍ବ ପ୍ରଦାନ ପାଇଁ କ୍ଷତିପୂରଣ ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକ ଦ୍ୱାରା ବିଜ୍ଞପ୍ତିତ ସର୍ବନିମ୍ନ ମଜୁରିଠାରୁ ଶ୍ରମିକମାନଙ୍କୁ କମ୍ ପ୍ରଦାନ କରାଯାଇପାରିବ କି ନାହିଁ ତାହା ଅନ୍ତର୍ଭୁକ୍ତ। ଏ ନେଇ ପ୍ରଧାନ ବିଚାରପତି କହିଛନ୍ତି ଯେ ନୂତନ ଯୋଜନାର କାର୍ଯ୍ୟକାରିତା ଉପରେ କୋର୍ଟ ସଂପୂର୍ଣ୍ଣ ବିବରଣୀ  ହାସଲ କରିବେ ଏବଂ ତଦନୁଯାୟୀ ନିଷ୍ପତ୍ତି ନିଆଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button