ରାଜ୍ୟ

Odisha Politics on Mining Royalty ଏମ୍‌ଏମ୍‌ଡିଆର୍‌ ସଂଶୋଧନ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ପିଲାଳିଆମି ମନ୍ତବ୍ୟ: ଅରୁଣ

MMDR ସଂଶୋଧନ ବିଲ୍‌କୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର ଜବାବ ଦେଲେ ଅରୁଣ ସାହୁ। ଓଡ଼ିଶାର ନ୍ୟାର୍ଯ୍ୟ ଖଣି ରାଜସ୍ୱ ହକ୍‌ ଛଡ଼ାଇ ନିଆଯାଇଥିବା ବିଜେଡିର ଅଭିଯୋଗ।

ଭୁବନେଶ୍ୱର: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ୨୦୨୬କୁ ନେଇ ଶାସକ ବିଜେପି ଓ ବିଜେଡି ମଧ୍ୟରେ ବାଦବିବାଦ ତୀବ୍ର ହୋଇଛି। ଦଳର ନେତାମାନେ ପରସ୍ପରକୁ ଆକ୍ଷେପ କରିବା ଆରମ୍ଭ କରିଛି। ନିକଟ‌ରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଏହାର ପାଲଟା ଜବାବ ଦେଇଛି।

ଉପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମାଲୋଚନା ଏହି ପ୍ରସଙ୍ଗରେ ଖୋଲା ବିତର୍କ କରିବାକୁ ବିଜେପିକୁ ବରିଷ୍ଠ ବିଜେଡି ‌ନେତା ଅରୁଣ ସାହୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ନବୀନଙ୍କ ସମୟରେ ଓଡ଼ିଶାର ଋଣ ଭାର ବୃଦ୍ଧି ପାଇଥିଲା ବୋଲି ଧର୍ମେନ୍ଦ୍ରଙ୍କ ବୟାନ ପିଲାଳିଆମି ଓ ହାସ୍ୟାସ୍ପଦ। ନବୀନଙ୍କ ସମୟରେ ଓଡ଼ିଶା ଦେଶର ସର୍ବନିମ୍ନ ଋଣ ଥିବା ରାଜ୍ୟର ମାନ୍ୟତା ପାଇଥିଲା। ଓଡ଼ିଶାର ମୁଣ୍ଡ ପିଛା ଋଣ ମଧ୍ୟ ଦେଶରେ ସର୍ବନିମ୍ନ ଥିଲା। କେବଳ ମିଥ୍ୟା ତଥ୍ୟ ଦେଇ ଧର୍ମେନ୍ଦ୍ର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି, ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ୱିଧାନିକ ଅଧିକାର ରହିଛି। ସେମାନେ ଖଣି ମାଲିକମାନଙ୍କଠାରୁ ବକେୟା ଟିକସ ଆଦାୟ କରିପାରିବେ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ସେହି ଅନୁସାରେ ଓଡ଼ିଶା ବକେୟା ଭାବେ ଦେଢ଼ ଲକ୍ଷ କୋଟି ଓ ପ୍ରତିବର୍ଷ ଅତିରିକ୍ତ ୧୨ହଜାର କୋଟି ପାଇବାର ଥିଲା। କିନ୍ତୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ହଡ଼ପ କରିନେଇଛି। ଦୁଃଖ ଓ ପରିତାପର ବିଷୟ ଯେ ଓଡ଼ିଶାରୁ ନିର୍ବାଚିତ ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ ଓଡିଶା ବିରୋଧୀ ବିଲ୍‌କୁ ହାତ ଟେକି ସମର୍ଥନ କରିଥିଲେ। ଏହା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ।

ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଲେ, ଏମ୍‌ଏମ୍‌ଡିଆର ସଂଶୋଧନ ବିଲ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବୋଲି କୁହାଯିବା ବାସ୍ତବତା ଠାରୁ ବହୁ ଦୂରରେ। ରାଜ୍ୟ ସରକାରଙ୍କ ତରଫରୁ ଆଡ୍‌ଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସୁପ୍ରିମକୋର୍ଟ ଏକ ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ଖଣିରୁ ଶୁଳ୍କ ଓ ଟିକସ ଆଦାୟ ଓଡିଶା ସ୍ୱାର୍ଥ ଦୃଷ୍ଟିରୁ ନିତ୍ୟାନ୍ତ ଜରୁରୀ ଓ ବକେୟା ଖଣି ରାଜସ୍ୱ ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି କହିଥିଲେ। ରାଜ୍ୟର ଏହି ସତ୍ୟପାଠ ଠିକ୍ ନା ଧର୍ମେନ୍ଦ୍ର ଓ ଖଣିମନ୍ତ୍ରୀ ଦେଇଥିବା ବିବୃତି ଠିକ୍? ବିଜେପି ତାହା ସ୍ପଷ୍ଟ କରୁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button