Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର
କୋରାପୁଟ ଜିଲ୍ଲାରୁ ୧୯୯୨ ମସିହାରେ ନବରଙ୍ଗପୁର ଅଲଗା ହୋଇଥିଲା। ସେହି ସମୟରେ ମାଝିଗୁଡ଼ାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ୩୨ବର୍ଷ ଧରି ଯେଭଳି ଜିଲ୍ଲା ସଦର ମହକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ...

ନବରଙ୍ଗପୁର (ସୁରେଶ ନାଇଡୁ): କୋରାପୁଟ ଜିଲ୍ଲାରୁ ୧୯୯୨ ମସିହାରେ ନବରଙ୍ଗପୁର ଅଲଗା ହୋଇଥିଲା। ସେହି ସମୟରେ ମାଝିଗୁଡ଼ାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ୩୨ବର୍ଷ ଧରି ଯେଭଳି ଜିଲ୍ଲା ସଦର ମହକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ଅନ୍ୟ ସବୁ କାର୍ଯ୍ୟାଳୟ ଚକାଚକ ରହୁଥିଲା। ଦୁଇ ବର୍ଷ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୂଆ ସରକାର ଆସିବା ପରେ ଲାଗିବାକୁ ଥିବା ଗେରୁଆ ରଙ୍ଗ ଲାଗି ପାରିନି। ବହୁ ସ୍ଥାନରେ ରଙ୍ଗ ଛାଡିଯିବା ସହ ପୂରଣା କୋଠା ଭଳି ଲାଗୁଛି। ତା ସହ ଯୁଗପଯୋଗୀ ଅନୁସଙ୍ଗିକ ଭିତ୍ତିଭୂମିର ସୁଧାର ଯେଉଁ ପରିମାଣ ହେବା କଥା ସେଥିକି ହୋଇପାରି ନାହିଁ।
ଜିଲ୍ଲା ସଦର ମହକୁମାରେ ଥିବା ପ୍ରମୁଖ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ, ପିଏଆଇଟିଡିଏ, ବନଖଣ୍ଡଅଧିକାରୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗ, ପୂର୍ତ୍ତବିଭାଗ, ଗ୍ରାମ୍ୟବିଭାଜନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିଡିଏଓ, ସିଏସଓ, ଉଠାଜଳସେଚନ ଏଭଳି ୩୦ରୁ ଊର୍ଦ୍ଧ୍ବ ଛୋଟ ବଡ଼ କାର୍ଯ୍ୟାଳୟ ରହିଛି। ପ୍ରତ୍ୟେକ କାର୍ଯ୍ୟାଳୟରେ ୩୦ରୁ ଊର୍ଦ୍ଧ୍ବ ୧୫୦ଯାଏଁ କର୍ମଚାରୀ କାମ କରୁଛନ୍ତି। ତାବାଦ୍ ଏସବୁ ସ୍ଥାନକୁ ପ୍ରତ୍ୟେକ ଦିନ ବିଭାଗୀୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ବିଭିନ୍ନ କାମରେ ଆସୁଛନ୍ତି। ଏହା ପରେ ବି ଏସବୁ କାର୍ଯ୍ୟାଳୟର ବି ଅନୁସଙ୍ଗିକ ଭିତ୍ତିଭୂମିର ଅବସ୍ଥାନ କହିବା ଭଲ। କେଉଁ କାର୍ଯ୍ୟାଳୟ ଦୁଇଟି କିମ୍ବା ଗୋଟିଏ ରୁମରେ ଗୁଂଜାଗୁଂଜି ଅବସ୍ଥାରେ କର୍ମଚାରୀମାନେ କାମ କରୁଛନ୍ତି। ଏପରିକି ପିଏଆଇଟିଡିଏ କାର୍ଯ୍ୟାଳୟ ଭିତରକୁ କୌଣସି ବିଭାଗକୁ ଏକା ସହ ଦୁଇ ଜଣ ଯାଇ ପାରିବେନି।
ଯଦିଓ ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଅନ୍ୟ କିଛି କାର୍ଯ୍ୟାଳୟ ନିର୍ମାଣର ଯୋଜନା ରହିଛି। ଏହା ବାଦ୍ ବି ନୂଆ ନିର୍ମାଣ ହେବା ଯାଏଁ ପୂରଣା କାର୍ଯ୍ୟାଳୟ ଗୁଡ଼ିକୁ ଅନ୍ତଃତ ସଜଡ଼ାଯିବା କଥା। ତାହା ହୋଇପାରୁନି। ଦୀର୍ଘ ୩୪ବର୍ଷ ପରେ ଶେଷକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଗ୍ନିନିରାପତ୍ତା ବ୍ୟବସ୍ଥା ସଜାଡା ଆରମ୍ଭ ହୋଇଥିବା ବେଳେ ଅନ୍ୟ ସବୁ କାର୍ଯ୍ୟାଳୟର କେବେ ହେବ ତାହାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭେଟିବାକୁ ଆସୁଥିବା ସାଧାରଣ ଜନତା ଓ ବିଭିନ୍ନ ଜିଲ୍ଲାସ୍ତରୀୟ ବୈଠକରେ ଯୋଗଦେବାକୁ ଆସୁଥିବା ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ବସିବା ପାଇଁ ଓେଟିଂ ହଲ୍ ବି ନାହିଁ। କିଏ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ କିମ୍ବା ଅନ୍ୟ ସ୍ଥାନରେ ବସୁଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଅନ୍ୟ ସବୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ରଙ୍ଗ ଦେଇ ଚକାଚକ୍ କରି ରଖିବା ସହ ଭିତ୍ତିଭୂମିକୁ ସୁଧାରିବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓେଟିଂହଲ୍ ନିର୍ମାଣ କରିବାକୁ ଯୋଜନା କରି ପୂର୍ତ୍ତବିଭାଗକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ପ୍ରବଳ ବର୍ଷା ହେଉଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ କିଛି କାର୍ଯ୍ୟାଳୟକୁ ରଙ୍ଗ ଦେବାରେ ସମସ୍ୟା ଉପୁଜିଛି, ବର୍ଷା ସାମାନ୍ୟ ବନ୍ଦ ହେଲେ ରଙ୍ଗ ଦିଆଯିବ ବୋଲି କହିଛନ୍ତି ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଦପାଣି। ଏହା ସହ ୱେଟିଂହଲ ପାଇଁ ମାପଚୁପ ସହ ଡିଜାଇନ୍ ସରିଛି, ତୁରନ୍ତ ନିର୍ମାଣ କରାଯିବ ବୋଲି କହିଛନ୍ତି ଇଂ.କନ୍ଦପାଣି।
ସୌଜନ୍ୟ ସମ୍ବାଦ




