ରାଜ୍ୟ

Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’

ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’ ଶୀର୍ଷକ ଜାତୀୟ ସେମିନାର ଆୟୋଜିତ ହୋଇଛି।

ଭୁବନେଶ୍ୱର: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’ ଶୀର୍ଷକ ଜାତୀୟ ସେମିନାର ଆୟୋଜିତ ହୋଇଛି। ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ, କଟକ ଓ ଦ ଉତ୍କଳ ଚେମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌)ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ୍‌ ପରିସରରେ ଏହି ସେମିନାର ହୋଇଥିଲା। ‘ମହିଳା ଉଦ୍ୟୋଗୀଙ୍କ ପାଇଁ ମାର୍କେଟିଂ, ଇ-କମର୍ସ ଓ ଯୋଜନା ସହାୟତା’ ଏହାର ବିଷୟବସ୍ତୁ ଥିଲା।

ଏହି ସେମିନାରରେ ପ୍ରାୟ ୧୧୦ ଜଣ ମହିଳା ଉଦ୍ୟୋଗୀ ଓ ବିଭିନ୍ନ ଅଂଶୀଦାର ଯୋଗଦେଇଥିଲେ। ଏଥିରେ ଡିଜିଟାଲ ମାର୍କେଟିଂ, ଇ-କମର୍ସ ପ୍ଲାଟଫର୍ମ, ସରକାରୀ ଯୋଜନା, ଅର୍ଥଯୋଗାଣର ସୁଯୋଗ ଏବଂ ବ୍ୟବସାୟକୁ ବିସ୍ତାର କରିବାର ବିଭିନ୍ନ ମାର୍ଗ ସମ୍ପର୍କରେ ଅଂଶଗ୍ରହଣକାରୀମାନେ ବ୍ୟବହାରିକ ତଥ୍ୟ ଓ ପରାମର୍ଶ ପାଇଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଏମ୍‌ଏସ୍‌ଏମ୍‌ଇ ବିଭାଗର କମିସନର-କମ୍-ସଚିବ ରଶ୍ମିତା ପଣ୍ଡା ଯୋଗଦେଇ ମହିଳା ଉଦ୍ୟୋଗୀଙ୍କ ଭୂମିକା ଓ ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ।  ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ, କଟକର ନିର୍ଦ୍ଦେଶକ ପି.କେ. ଗୁପ୍ତା ଆଇଇଡିଏସ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ୟୁସିସିଆଇଏଲ୍‌ ସଭାପତି ଡ. ପ୍ରବୋଧ ମହାନ୍ତି ଓ ୟୁସିସିଆଇଏଲ୍‌ ସଚିବ ସଞ୍ଜୀବ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।
ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ, କଟକର ନିର୍ଦ୍ଦେଶକ ଶ୍ରୀ ପି.କେ. ଗୁପ୍ତା କହିଥିଲେ, ମହିଳା ଉଦ୍ୟୋଗୀମାନେ ଦେଶର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସରକାରୀ ଯୋଜନା, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସୁଯୋଗ ସମ୍ପର୍କରେ ସଚେତନତା ବଢ଼ାଇବା ସହ ବ୍ୟବସାୟକୁ ଅଧିକ ବଜାରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ୟୁସିସିଆଇଏଲ୍‌ ସମ୍ପାଦକ ଡ. ସଞ୍ଜୀବ ମହାପାତ୍ର କହିଥିଲେ, ଅନେକ ମହିଳା ନିଜ ଉଦ୍ୟୋଗକୁ ସଫଳତାର ସହ ଆଗକୁ ନେଉଥିଲେ ମଧ୍ୟ ସରକାରୀ ଯୋଜନା, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସଂଯୋଗ ସମ୍ପର୍କରେ ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ସୂଚନା ନାହିଁ। ତେଣୁ ବ୍ରାଣ୍ଡିଂ, ମାର୍କେଟିଂ, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସୁଯୋଗ ସମ୍ପର୍କରେ ମହିଳା ଉଦ୍ୟୋଗୀଙ୍କୁ ସଚେତନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ଦିନରେ ଝାରସୁଗୁଡ଼ାଯାଜପୁର ଓ ସୁନ୍ଦରଗଡ଼ ଭଳି ଶିଳ୍ପ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ।

ଓର୍‌ମାସ୍‌ ଓ ଓଏନ୍‌ଡିସି ଭଳି ଡିଜିଟାଲ ପ୍ଲାଟଫର୍ମ ସହ ଏମ୍‌ଏସ୍‌ଏମ୍‌ଇ ଯୋଜନା, ସିଡ୍‌ବି, ପିଏମ୍‌ଇଜିପି ଓ ଜାତୀୟ ଏସ୍‌ସି-ଏସ୍‌ଟି ହବ୍‌ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଓ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ହୋଇଥିଲା।

ସେମିନାରରେ ଯୋଗଦେଇଥିବା ମହିଳା ଉଦ୍ୟୋଗୀମାନେ ନିଜ ବ୍ୟବସାୟର ସମସ୍ୟା, ଅଭିଜ୍ଞତା ଓ ଆଗାମୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷଜ୍ଞମାନେ ବ୍ୟବସାୟରେ ଡିଜିଟାଲ ମାଧ୍ୟମର ଉପଯୋଗ, ଗ୍ରାହକଙ୍କ ନିକଟରେ ଉତ୍ପାଦ ପହଞ୍ଚାଇବା ଏବଂ ନୂଆ ବଜାର ଖୋଜିବା ନେଇ ପରାମର୍ଶ ଦେଇଥିଲେ। ଏହା ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ପରସ୍ପର ସମ୍ପର୍କ ଓ ବ୍ୟବସାୟିକ ନେଟୱାର୍କ ଗଠନ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହୋଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଅଧିକ ମହିଳା ଉଦ୍ୟୋଗୀଙ୍କୁ ନୂଆ ସୁଯୋଗ ସହ ଯୋଡ଼ିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଶେଷରେ ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ କଟକର ସହକାରୀ ନିର୍ଦ୍ଦେଶକ ଦିୱାକାର ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button