ରାଜ୍ୟ
MMDR: ବଡ଼ ପ୍ରସଙ୍ଗ ହେଉଛି ଏମ୍ଏମ୍ଡିଆର୍: ସରକାରଙ୍କୁ ଘେରିବାକୁ ରଣନୀତି, ବିଜେଡି, କଂଗ୍ରେସର ଲଗାତାର ବିରୋଧ ଜାରି
ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଏବେ ଓଡ଼ିଶା ରାଜନୀତିରେ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି। ଏହି ବିଲ୍କୁ ନେଇ ଲଗାତାର ଭାବେ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ସହ ସରକାରଙ୍କୁ ଆହୁରି ଅଡ଼ୁଆରେ...

ଭୁବନେଶ୍ବର: ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଏବେ ଓଡ଼ିଶା ରାଜନୀତିରେ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି। ଏହି ବିଲ୍କୁ ନେଇ ଲଗାତାର ଭାବେ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ସହ ସରକାରଙ୍କୁ ଆହୁରି ଅଡ଼ୁଆରେ ପକାଉଛନ୍ତି ବିଭିନ୍ନ ସାମାଜିକ ସଂଗଠନ ଓ ନାଗରିକ ସଂଘ। ରାଜଧାନୀରେ ବିଭିନ୍ନ ସ୍ଥାନରେ ସଭା, ସମାବେଶ ହୋଇ ବୁଦ୍ଧିଜୀବୀ, ସଚେତନ ନାଗରିକମାନେ ବିଲ୍କୁ ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳୁଛି। ଓଡ଼ିଆ ଅସ୍ମିତାର ସୁରକ୍ଷା କରିବାକୁ ଶପଥ ନେଇଥିବା ସରକାର ଓଡ଼ିଶାର ସ୍ବାର୍ଥ ବିରୋଧରେ କାମ କରୁଛନ୍ତି ବୋଲି ପ୍ରଚାର ଜୋର୍ ଧରିଲାଣି। ଗତ ଚାରି ଦିନ ହେଲା ବିଜେପି ପକ୍ଷରୁ ବିରୋଧୀଙ୍କୁ ମୁକାବିଲା କରାଯାଉଛି ସତ, କିନ୍ତୁ ଏ ଯାଏଁ ବିଲ୍ ସପକ୍ଷରେ ଲୋକଙ୍କୁ ବୁଝାଇବାକୁ ଶାସକ ଦଳ ଆପାତତଃ ସଫଳ ହୋଇ ପାରିନାହିଁ।
ବିଜେଡି ଓ କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି କରାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସ ପୃଥକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି କରିଥିଲେ। ଗତକାଲି କଂଗ୍ରେସ ବିଧାୟକ ଦଳ ପକ୍ଷରୁ ରାଜ୍ୟପାଳ ଓ ବାଚସ୍ପତିଙ୍କ ନିକଟରେ ଏହି ଦାବି ରଖାଯାଇଥିଲା। କିନ୍ତୁ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଅଧିବେଶନର ଆବଶ୍ୟକତା ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ବିଧାନସଭା ଅଧିବେଶନ ଡକା ନଗଲେ ବି ବାହାରେ ସରକାରଙ୍କୁ ଅକଳରେ ପକାଇବାକୁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଛନ୍ତି।
ସାମାଜିକ ସଙ୍ଗଠନ ପକ୍ଷରୁ ସଭା, ସମାବେଶ
ରକ୍ଷଣାତ୍ମକ ଢଙ୍ଗରେ ମୁକାବିଲା କରୁଛି ବିଜେପି
ବିଜେଡି ପକ୍ଷରୁ ଲଗାତାର ଭାବେ ଏହି ପ୍ରସଙ୍ଗରେ ସରକାରଙ୍କୁ ଆକ୍ରମଣ ଜାରି ରହିଛି। ଆଜି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ବିଧାୟକ ବ୍ୟୋମକେଶ ରାୟ କହିଥିଲେ, ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଦ୍ବାରା ଓଡ଼ିଶାର ବ୍ୟାପକ କ୍ଷତି ହେବ। ରାଜ୍ୟର ସମସ୍ତ ଖଣି ରାଜସ୍ୱ କେନ୍ଦ୍ର ସରକାରଙ୍କ ଅଧୀନକୁ ଚାଲିଯିବ। କିନ୍ତୁ ଏ ବାବଦରେ ବିଜେପି ସାଂସଦମାନେ ସଂସଦରେ ମୁହଁ ଖୋଲିଲେ ନାହିଁ। ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଲେ। ଏହାକୁ ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ। ବିଜେପି ହେଉଛି ବ୍ୟବସାୟୀମାନଙ୍କ ପାର୍ଟି। ବ୍ୟବସାୟୀମାନଙ୍କ ହିତକୁ ପ୍ରାଧାନ୍ୟ ଦେବା ପାଇଁ ଏହି ଦଳ ଓଡ଼ିଶାକୁ ଲୁଣ୍ଠନ କରିବାକୁ ଯୋଜନା କରିଛି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବାଦ୍ ଦେଇ ଖଣି ମାଲିକଙ୍କ ସୁବିଧା ପାଇଁ ସେମାନେ ଏମ୍ଏମ୍ଡିଆର୍ ଆକ୍ଟକୁ ସଂଶୋଧନ କରିଛନ୍ତି। ରାଜ୍ୟବାସୀଙ୍କୁ ବିଜେପି ଆଉ ଭ୍ରମିତ ନ କରୁ। ଯଦି ସତ୍ସାହସ ଅଛି ତେବେ ଖୋଲା ମଞ୍ଚରେ ବିତର୍କ କରିବା ପାଇଁ ବିଜେଡି ପକ୍ଷରୁ ଆହ୍ୱାନ କରାଯାଇଛି। କେନ୍ଦୁଝର ଭଳି ଖଣିଜ ସମ୍ପଦଭରା ଜିଲ୍ଲାରୁ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। କେବଳ ଓଡ଼ିଶାର ଖଣିଜ ସମ୍ପଦ ଲୁଟିବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବୋଲି ବର୍ତ୍ତମାନ ଜଣାପଡୁଛି। ଝାଡ଼ଖଣ୍ଡ ରାଜ୍ୟ ତାହାର ବକେୟା ରାଜସ୍ୱ ଆଦାୟ କରିପାରିଥିବା ବେଳେ ଓଡ଼ିଶା ୧ଲକ୍ଷ କୋଟିରୁ ଅଧିକ ଟଙ୍କା କାହିଁକି ଆଦାୟ କରି ପାରୁନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି।
ସୌଜନ୍ୟ ସମ୍ବାଦ




