ଭୁବନେଶ୍ବର: ୨୦୧୭ରେ ଓଡ଼ିଶାଜଙ୍ଗଲରେ ୧,୯୭୬ ହାତୀ ରହିଥିଲେ। ୨୦୨୪ରେ ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଲା ବେଳକୁ ସଂଖ୍ୟା ୨,୦୯୮ରେ ପହଞ୍ଚିଥିଲା। ଶୀତଦିନିଆ ଗଣନା ବେଳକୁ ଆହୁରି ୫ଟି ବଢ଼ିଥିଲେ। ୭ ବର୍ଷ ମଧ୍ୟରେ ୧୨୭ଟି ହାତୀ ବୃଦ୍ଧି ପାଇବା ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିଲା। ତେବେ ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ହାତୀ-ମଣିଷ ଲଢ଼େଇ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବିଶେଷ କରି ୨୦୨୫-୨୬ ଆର୍ଥିକ ବର୍ଷରେ ହାତୀଙ୍କ ମୃତ୍ୟୁ ଅପେକ୍ଷା ମଣିଷ ମୃତ୍ୟୁ ଚିନ୍ତାଜନକ ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ପ୍ରତି ଦୁଇ ଦିନ ମଧ୍ୟରେ ଜଣଙ୍କର ଜୀବନ ଯାଇଛି।
ପ୍ରତି ୨ ଦିନରେ ଜଣେ ଲୋକର ଜୀବନ ଯାଇଛି
ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝରରେ ଚିନ୍ତାଜନକ
ଏହି ସମୟ ମଧ୍ୟରେ ୮୫ଟି ହାତୀଙ୍କ ଜୀବନ ଯାଇଛି। ମୃତ ହାତୀଙ୍କ ମଧ୍ୟରୁ ୬୯% ପ୍ରାକୃତିକ ଓ ୩୧% ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି। ଯେଉଁ ୧୯୨ ଜଣଙ୍କର ଜୀବନ ଯାଇଛି, ସେମାନେ ସମସ୍ତେ ହାତୀ ଆକ୍ରମଣରେ ହିଁ ପ୍ରାଣ ହରାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିନ୍ତାର କାରଣ ହେଉଛି, ୨୦୨୫-୨୬ରେ ୬୯% ଅର୍ଥାତ୍ ୫୯ଟି ହାତୀ ବିଭିନ୍ନ ରୋଗରେ ଆକ୍ରାନ୍ତ, ଲଢ଼େଇ କରି ଗାତରେ ପଡ଼ିବା, ବୟସାଧିକ କାରଣରୁ ମରିଛନ୍ତି। ବାକି ହାତୀଗୁଡ଼ିକର ଅସ୍ବାଭାବିକ ମୃତ୍ୟୁ ହୋଇଛି। ଟ୍ରେନ୍ ଧକ୍କା, ବିଷକ୍ରିୟା, ଶିକାରୀଙ୍କ ପଞ୍ଝାରେ ପଡ଼ି ହାତୀଙ୍କ ଜୀବନ ଯାଇଛି। ତେବେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୧୯୨ଜଣଙ୍କ ମଧ୍ୟରୁ ଅଧିକାଂଶ ଘଟଣା ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ସଂଘଟିତ ହୋଇଛି। ସକାଳ ସମୟରେ ହିଁ ହାତୀ ଆକ୍ରମଣରେ ଅଧିକାଂଶ ଲୋକଙ୍କ ଜୀବନ ଯାଇଥିବା ବନ ବିଭାଗ ତଦନ୍ତ ରିପୋର୍ଟରେ ଜଣାପଡ଼ିଛି। ହାତୀ-ମଣିଷ ଲଢ଼େଇ ପଛରେ ଆମ୍ବ, ପଣସ ପ୍ରମୁଖ କାରଣ ହୋଇଥିବା ଜଣାପଡ଼ିଛି। ଗତବର୍ଷ ଓଡ଼ିଶାରେ ପ୍ରଚୁର ପରିମାଣରେ ଆମ୍ବ ଓ ପଣସ ଫଳିଥିବାରୁ ଭୋର ସମୟରେ ଲୋକେ ବିନା ସୁରକ୍ଷାରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଥିବାରୁ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସେହିପରି ପାଚିଲା ପଣସ ଓ ଆମ୍ବ ଖାଇବାକୁ ହାତୀଗୁଡ଼ିକ ମଧ୍ୟ ଏବର୍ଷ ଜନବସତିମୁହାଁ ହୋଇଥିବାରୁ ହାତୀ-ମଣିଷ ଲଢ଼େଇ ଚିନ୍ତାଜନକ ଭାବେ ବଢ଼ିଥିଲା।
ହାତୀ-ମଣିଷ ଲଢ଼େଇ ରୋକିବାରେ କେଉଁଠି ତ୍ରୁଟି ରହୁଛି ତାହାର ଅନୁଧ୍ୟାନ କରିବା ସହ ମୁକାବିଲା ଦିଗରେ ବନ ବିଭାଗ ଅଣ୍ଟା ଭିଡ଼ିଛି। ଓଡ଼ିଶା ଜଙ୍ଗଲରେ ଶିକାରୀଙ୍କ ରାଜ କିଛି ପରିମାଣରେ ହ୍ରାସ ପାଇଛି। ହାତୀଙ୍କ ପାଇଁ ସଂରକ୍ଷିତ ୩ଟି ଅଭୟାରଣ୍ୟ ବାହାରେ ଅଧିକ ସଂଖ୍ୟକ ହାତୀ ରହୁଥିବାରୁ ହାତୀ-ମଣିଷ ଲଢ଼େଇ ବଢ଼ୁଥିବା ବନ ବିଭାଗ ଜାଣିବାକୁ ପାଇଛି। ୩ଟି ସଂରକ୍ଷିତ ଅଞ୍ଚଳ ବାହାରେ ୧୫୧୯ ହାତୀ ରହିଥିବା ବେଳେ ବାହାରେ ଚଳପ୍ରଚଳ କରୁଛନ୍ତି। ସେମାନଙ୍କ ଉପରେ ନଜର ରଖିବାକୁ ଅନୁଗୋଳ, ଶିମିଳିପାଳ, ରାଉରକେଲା, ବଣାଇ ଓ ଢେଙ୍କାନାଳରେ ୨୧ଟି ଏଆଇ ଆଧାରିତ ଟାୱାର ପ୍ରତିଷ୍ଠା ହୋଇଛି। ତତ୍କାଳ ସୂଚନା ବ୍ୟବସ୍ଥା ସାଙ୍ଗକୁ ହାତୀଙ୍କୁ ରେଡିଓକଲାରିଂ, ଥର୍ମାଲ ଡ୍ରୋନ୍ ସର୍ଭେଲାନ୍ସ, ଆଇଡବ୍ଲୁଏଲ୍ଏମ୍ଏସ୍ ମନିଟରିଂ ବ୍ୟବସ୍ଥା, ୨୪ ଘଣ୍ଟିଆ ବନ୍ୟପ୍ରାଣୀ କଣ୍ଟ୍ରୋଲ ରୁମ୍, ୧୯ଟି ସର୍କଲସ୍ତରୀୟ ରାପିଡ୍ ରେସ୍ପନ୍ସ ଟିମ୍ ଆଦି ହୋଇଛି। ଏଥିସହ ଜଙ୍ଗଲରେ ପାଟ୍ରୋଲିଂ ବଢ଼ାଇବା, ହାତୀଗୁଡ଼ିକ କେଉଁଆଡ଼େ ଯାଉଛନ୍ତି ସ୍କ୍ବାଡ୍ର ସଦସ୍ୟମାନେ ତାହାକୁ ଟ୍ରାକ୍ କରିବା, ଡିଭିଜନରେ ଥିବା ସ୍କ୍ୱାଡ୍ଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ମୁତୟନ କରାଯାଇଥିବା ପିସିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ