ଜିଲ୍ଲାରାଜ୍ୟ

୩ ଆଦିବାସୀ ପରିବାରର କକର୍ଥନା ; ଚାଳ ଉପରେ ୪ ଦିନ

ମାର୍କଣ୍ଡପୁର: ଯାଜପୁର ବନ୍ୟାଞ୍ଚଳରେ ବ୍ୟାପକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ବନ୍ୟା ପରିସ୍ଥିତିରେ ଯାଜପୁର ବ୍ଲକ୍ ସିମିଳିଆ ପଞ୍ଚାୟତରୁ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। ବନ୍ୟା ଜଳରେ ଘରଦ୍ୱାର ଭାଙ୍ଗିଯିବା ପରେ ୩ଟି ଆଦିବାସୀ ପରିବାରର ୧୩ ଜଣ ସଦସ୍ୟ ଦୀର୍ଘ ୪ ଦିନ ଧରି ଚାଳ ଉପରେ ଆଶ୍ରୟ ନେଇ ଅତ୍ୟନ୍ତ ଅସହାୟ ଭାବେ ଜୀବନ ବିତାଇଥିବା ଜଣାପଡ଼ିଛି। ପ୍ରଶାସନ କି ତଥାକଥିତ ସ୍ବେଚ୍ଛାସେବୀ ସେମାନଙ୍କ ପାଖକୁ ପହଞ୍ଚି ନଥିଲେ। ଖବରଟି ବିଳମ୍ବରେ ଲୋକଲୋଚନକୁ ଆସିଛି।
ସୂଚନା ଅନୁଯାୟୀ, ସିମିଳିଆ ପଞ୍ଚାୟତର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଏକ ନିର୍ଜନ ସ୍ଥାନରେ ବିଗତ ପ୍ରାୟ ୯ ବର୍ଷ ହେବ ତିନୋଟି ଆଦିବାସୀ ପରିବାର ମାଟି କାନ୍ଥ ଓ ଛପର ଘର କରି ଦିନମଜୁରିଆ ଭାବେ ବସବାସ କରୁଛନ୍ତି। ଚଳିତ ବନ୍ୟାରେ ହଠାତ୍ ଜଳସ୍ତର ବୃଦ୍ଧି ପାଇ ସେମାନଙ୍କ ଘରେ ପାଣି ପଶିଯିବାରୁ
ଉପାୟଶୂନ୍ୟ ହୋଇ ଜେମାମଣୀ ବାଲମୁଚ୍, ସ୍ୱାମୀ ଜଟିଆ ବାଲମୁଚ୍, ସୀତା ବାଲମୁଚ୍, ସ୍ୱାମୀ ସୋନୁ ବାଲମୁଚ୍ ଏବଂ ଲକ୍ଷ୍ମୀ ପିଙ୍ଗୁଆ, ସ୍ୱାମୀ ଲକି ପିଙ୍ଗୁଆ ନିଜ ପିଲାଛୁଆଙ୍କ ସହ ଏକ ଘରର ଚାଳ ଉପରକୁ ଚଢ଼ି ଆଶ୍ରୟ ନେଇଥିଲେ। ଗତ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଚାରି ଦିନ ଧରି ସେମାନେ ସେହି ଚାଳ ଉପରେ କେବଳ କଞ୍ଚା ଚାଉଳ ଚୋବାଇ ଏବଂ ବନ୍ୟା ପାଣି ପିଇ ଅତି ଦୟନୀୟ ଭାବେ ଜୀବନ ବଞ୍ଚାଇଥିଲେ। ପ୍ରଶାସନ ପକ୍ଷରୁ ସର୍ବତ୍ର ରିଲିଫ ଓ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା କୁହାଯାଉଥିଲେ ସୁଦ୍ଧା ସ୍ଥାନୀୟ ୱାର୍ଡ ସଭ୍ୟ, ପଞ୍ଚାୟତ ପ୍ରତିନିଧି କିମ୍ବା ବ୍ଲକ ପ୍ରଶାସନର କୌଣସି ଅଧିକାରୀ ଏହି ବିପନ୍ନମାନଙ୍କ ନିକଟରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି।
ପରବର୍ତ୍ତୀ ସମୟରେ ପାଣି ଛାଡ଼ିବା ପରେ ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଣ୍ଡା ଓ ଯାଜପୁର ବ୍ଲକ କଂଗ୍ରେସ ସଭାପତି ଗଦାଧର ଦାସ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ଓ ପଲିଥିନ୍‌ ଯୋଗାଇ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button