Jagannath Land | ଜଟଣୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଲୁଟ୍ ; ଏକର ଏକର ଜମିରେ ଜବରଦଖଲ,୧୦ଟଙ୍କିଆ ଷ୍ଟାମ୍ପ ପେପରରେ କାରବାର

ଜଟଣୀ,୨୪/୦୮ : ଜଟଣୀରେ ଦୀର୍ଘବର୍ଷ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକର ଏକର ଜମି ହରିଲୁଟ୍ ଚାଲିଛି । ଏହାକୁ ରୋକିବା ପାଇଁ ଏଠାରେ ଦାୟିତ୍ୱରେ ଥିବା ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ନିରବ ରହୁଛନ୍ତି ତାହା ବୁଝାପଡୁନି । ଅବଶ୍ୟ ଏଠାରେ ଥିବା ଶ୍ରୀମନ୍ଦିର ତହସିଲ, ରାଜସ୍ୱ ବିଭାଗ ଓ ପୁଲିସ ମିଳିତ ଭାବେ ଆଠ ନଅ ବର୍ଷ ପୂର୍ବେ କେତେଥର ଜବରଦଖଲ ଉଚ୍ଛେଦ କରିଥିଲେ । କିନ୍ତୁ ଉଚ୍ଛେଦର କିଛିଦିନ ପରେ ସମାନ ସ୍ଥାନରେ ପୁଣି ବେଆଇନ୍ ନିର୍ମାଣ ହୋଇଛି । ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ଫଳରେ ଜବରଦଖଲ ସଂଖ୍ୟା ବଢ଼ି ବଢ଼ି ଚାଲିବା ସହ ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ଜମି କିଣାବିକା ଚାଲିଛି । ଦିନ ଦ୍ୱିପ୍ରହରରେ ବେଆଇନ୍ ନିର୍ମାଣ ଚାଲିଥିଲେ ମଧ୍ୟ ବନ୍ଦ କରିବାକୁ କେହି ନାହିଁ । ଜମି ମାଫିଆଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାରେ ଜମି ବିକ୍ରି ହେଉଛି ।
୧୦ଟଙ୍କିଆ ଷ୍ଟାମ୍ପ ପେପରରେ ମୌଜା ନାମ, କେତେ ବର୍ଗଫୁଟର ଜମି ଲେଖାଯାଇ ପ୍ରଥମ ପକ୍ଷ ଏତେ ବର୍ଷ ଧରି ଦଖଲ କରି ଏହି ଜାଗାକୁ ଭୋଗଦଖଲ କରିଆସୁଥିଲେ ଓ ଏହି ତାରିଖରେ ଦ୍ୱିତୀୟ ପକ୍ଷଙ୍କୁ ଉକ୍ତ ଜମି ଦଖଲ ହସ୍ତାନ୍ତର କରି ଚୁକ୍ତି ସଂପାଦନା କରୁଛୁ ବୋଲି ଉଲ୍ଲେଖ ରହୁଛି । ଏହାକୁ ଚୁକ୍ତିପତ୍ର ଭାବେ ଗ୍ରହଣ କରାଯାଇ ଜମି କିଣାବିକା ହେଉଛି । ଏପରିକି ବିଦ୍ୟୁତ୍, ଜଳଯୋଗାଣ ସଂଯୋଗ ଆଦି ବିଭିନ୍ନ ସୁବିଧା ଏହି ଚୁକ୍ତିପତ୍ର ମାଧ୍ୟମରେ ମିଳିପାରିବ ବୋଲି ଉଲ୍ଲେଖ ରହୁଛି । କିନ୍ତୁ କେତେ ଟଙ୍କାରେ ବିକ୍ରି କରାଯାଉଛି ତାହା ଉଲ୍ଲେଖ କରାଯାଉନି । ବିଶେଷକରି ଛଣଘର, କୁଶମାଟି, ରଥିପୁର, କୁଦିଆରୀ ମୌଜାରେ ଅଧିକ ଜବରଦଖଲ ହୋଇଛି । ଏହି ବେନିୟମ କାର୍ଯ୍ୟ ପଛରେ ସ୍ୱତନ୍ତ୍ର ରାକେଟ ରହିଛି । କିଛି ମହିଳା ମଧ୍ୟ ସାମିଲ ଅଛନ୍ତି ।
କୁଶମାଟି ମୌଜାରେ ଏହି ଜଗନ୍ନାଥ ଜମି କିଣିଥିବା ଜଣେ ମହିଳା ପାଚେରି ନିର୍ମାଣ କଲାବେଳେ ଆଉ କିଛି ମହିଳା ସେଠାରେ ପହଞ୍ଚି ଏହି ଜମିକୁ ସେମାନେ ଦଖଲରେ ରଖିଥିବା ବିରୋଧ କରିବାରୁ ଗୁରୁବାର ଗଣ୍ଡଗୋଳ ଘଟି ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ମହିଳା ଜଣଙ୍କ ସାଢ଼େ ୭ ଲକ୍ଷ ଟଙ୍କାରେ ରାକେଟର ଜଣେ ସଦସ୍ୟାଙ୍କ ଠାରୁ ଉକ୍ତ ଜମି କିଣିଥିଲେ । ରଥିପୁର ମୌଜାରେ କିଛି ପ୍ରଭାବଶାଳୀ ବ୍ୟକ୍ତି ୨୦ରୁ ୨୫ ଏକର ପର୍ଯ୍ୟନ୍ତ ଜଗନ୍ନାଥ ଜମି ପାଚେରି ବୁଲାଇ ରଖିଛନ୍ତି । ଆଉ କେତେକ ଘରୋଇ ଶିକ୍ଷାନୁଷ୍ଠାନ ୧୦ରୁ ୧୨ ଏକର ଜମି ମାଡ଼ି ବସିଛନ୍ତି । କେହି କେହି ଫାର୍ମ ହାଉସ, ଗୋଦାମ ଘର ଆଦି କରିଛନ୍ତି । ଏହି ମୌଜାର ଅତି ନିକଟରେ ପୁରୀ ଶ୍ରୀମନ୍ଦିର ତହସିଲର କାର୍ଯ୍ୟାଳୟ ରହିଛି । ଜବରଦଖଲ ହୋଇ କିଣାବିକା ହେବା ସହ ଦିନରେ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କ ନଜରକୁ କିପରି ଆସୁନି ସମସ୍ତଙ୍କୁ ତାଜୁବ କରିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି ।
ସୌଜନ୍ୟ ପ୍ରମେୟ




