Pakistani brides in India: ‘ଅପରେସନ୍ ସିନ୍ଦୂର’ ପରେ ଅଟକିଥିବା ବାହାଘର, ଭାରତରେ ପହଞ୍ଚିଲେ ୧୫୦ ପାକିସ୍ତାନୀ କନିଆଁ, ଅପେକ୍ଷାରେ ୩୦୦

ନୂଆଦିଲ୍ଲୀ,୨୪/୦୮: ୨୦୦୧ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପାଇଁ ଭାରତ ଭିସା ଓ ସୀମା ବନ୍ଦ କରିଦେଇଥିଲା । ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ ସେହି ସମୟରେ ୧୫୦ରୁ ଅଧିକ ପାକିସ୍ତାନୀ ଯୁବତୀଙ୍କ ବିବାହ ଅଟକି ଯାଇଥିଲା । ସେହି ପାକିସ୍ତାନୀ ଯୁବତୀଙ୍କ ସହିତ ଭାରତରେ ରହୁଥିବା ଯୁବକଙ୍କ ନିର୍ବନ୍ଧ ହୋଇସାରିଥିଲା । ଏହି ପାକିସ୍ତାନୀ କନିଆଁମାନେ ଭାରତରେ ଥିବା ନିଜ ନିଜ ଶାଶୁ ଘରକୁ ଆସିବାକୁ ଅପେକ୍ଷା କରିଥିଲେ ।
ବହୁ ଉଦ୍ୟମ ପରେ କେନ୍ଦ୍ର ସରକାର ସେହି ମହିଳା ଓ ସେମାନଙ୍କ ପରିବାର ଲୋକମାନେ ଭାରତକୁ ବିବାହ ଲାଗି ଆସିବା ପାଇଁ ଭିସା ଜାରି କରିଥିଲେ । ପାକିସ୍ତାନର କନିଆଁ ଓ ସେମାନଙ୍କ ସମ୍ପର୍କୀୟମାନେ ମସ୍କଟ, ଦୁବାଇ, ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦେଶ ଦେଇ ବିମାନ ପଥରେ ଭାରତ ଆସିଥିଲେ । ନାଗପୁରର ଜଣେ ବରିଷ୍ଠ ନେତା ରାଜେଶ ଶର୍ମା କହିଛନ୍ତି ଯେ, ଶେଷରେ ସେମାନଙ୍କର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ପହଲଗାମ ଆକ୍ରମଣ ପୂର୍ବରୁ ପାକିସ୍ତାନର ସିନ୍ଧ ପ୍ରଦେଶରେ ରହୁଥିବା ମହିଳାମାନେ ପଞ୍ଜାବର ୱାଗା-ଅଟାରୀ ସୀମା ଦେଇ ଭାରତକୁ ଆସୁଥିଲେ ।
ପାକିସ୍ତାନରୁ ଆସିଥିବା ସିନ୍ଧି ପ୍ରବାସୀଙ୍କ ଲାଗି କାର୍ଯ୍ୟ କରୁଥିବା ରାଜେଶ କହିଛନ୍ତି ଯେ, ଅପରେସନ ସିନ୍ଦୂର ପରେ ପରିସ୍ଥିତି ବଦଳି ଯାଇଥିଲା । କେନ୍ଦ୍ର ସରକାର ୱାଗା-ଅଟାରୀ ଦେଇ ଭାରତ ଆସିବାକୁ ଆବେଦନ କରିଥିବା ପାକିସ୍ତାନୀ ଓ ଅନ୍ୟ ସିନ୍ଧି ପ୍ରଦେଶର ଲୋକଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଯାହାଫଳରେ ସବୁ କିଛି ଅଟକି ଯାଇଥିଲା ।ପହଲଗାମରେ ଆତଙ୍କବାଦୀମାନେ ୨୭ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନ ବିରୋଧରେ ଭାରତ ଅପରେସନ ସିନ୍ଦୂର ଚଳାଇଥିଲା । ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଯେଉଁ ତିକ୍ତତା ରହିଥିଲା ତାହା ଆହୁରି ବଢ଼ିଯାଇଥିଲା ।
ରାଜେଶଙ୍କ କହିବାନୁଯାୟୀ ପହଲଗାମ ଆକ୍ରମଣ ପରେ ସେ ଗାନ୍ଧୀପୁରରେ ରହୁଥିବା ସନ୍ଥ ୟୁଧିଷ୍ଠିରଲାଲ ଶାଦାନୀଙ୍କ ସହ ଯୋଗାଯୋଗ କରିଥିଲେ । ଶାଦାନୀ ହେଉଛନ୍ତି ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ଘୋଟକିରେ ଥିବା ପ୍ରମୁଖ ହିନ୍ଦୁ ଧାର୍ମିକ ସ୍ଥଳ ଶାଦାନୀ ଦରବାରର ମୁଖ୍ୟ । ଏହା ପରେ ଶାଦାନୀ ଦରବାର ପକ୍ଷରୁ ଭାରତୀୟ ଯୁବକଙ୍କ ସହ ନିର୍ବନ୍ଧ କରିସାରିଥିବା ପାକିସ୍ତାନୀ ଯୁବତୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏହି ତାଲିକାରେ ପ୍ରାୟ ୧୫୦ ଯୁବତୀ ଥିଲେ ଯେଉଁମାନଙ୍କର ବିବାହ ନାଗପୁର, ରାୟପୁର, ଯୋଧପୁର, ପୁଣେ ଓ ଭାରତର ଅନ୍ୟାନ୍ୟ ସହରରେ ହେବାର ଥିଲା । ଦରବାର ପକ୍ଷରୁ ଏହି ତାଲିକା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଦିଆଯାଇଥିଲା । ଏଥିସହ ଉକ୍ତ ଯୁବତୀ ଓ ସେମାନଙ୍କ ପରିବାରକୁ ଭିସା ଦେବା ଲାଗି ଅନୁରୋଧ କରାଯାଇଥିଲା ।
ତେବେ ସେମାନେ କେବଳ ବିମାନ ଯାତ୍ରା ମାଧ୍ୟମରେ ଭାରତ ଆସିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିସା ମଞ୍ଜୁର କରିଥିଲା । ଏହା ପରେ ଗତ ଏପ୍ରିଲରୁ ଏପର୍ଯ୍ୟନ୍ତ ୧୫୦ ଜଣ ପାକିସ୍ତାନୀ ଯୁବତୀ ଭାରତକୁ ଆସି ଏଠାରେ ବିବାହ କରିଛନ୍ତି । ସେମାନେ ନିଜ ନିଜ ପରିବାର ବର୍ଗଙ୍କ ସହ ବିମାନ ଯୋଗେ ଦୁବାଇ, ମସ୍କଟ, ଶ୍ରୀଲଙ୍କା, ବାଂଲାଦେଶ ଓ ଅନ୍ୟ ଦେଶ ଦେଇ ଭାରତ ଆସିଛନ୍ତି । ସେମାନଙ୍କ କହିବାନୁଯାୟୀ ପାକିସ୍ତାନରେ ଆହୁରି ଏଭଳି ୩୦୦ ଯୁବତୀ ଅଛନ୍ତି ଯେଉଁମାନେ ଭାରତ ଆସି ବିବାହ କରିବାକୁ ଅପେକ୍ଷା କରିଛନ୍ତି । ସେହି ଯୁବତୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଭିସା ଦେବା ଲାଗି ଭାରତ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି ।
ସୌଜନ୍ୟ ପ୍ରମେୟ




