ରାଜ୍ୟ

Flag hoisting : ପ୍ରତିଦିନ ସକାଳ ୮ଟାରେ ଏଠି ଉଡ଼େ ତ୍ରିରଙ୍ଗା, ପତାକା ଉତ୍ତୋଳନ କରନ୍ତି ସାଧାରଣ ଲୋକେ

ବ୍ରହ୍ମପୁର, ୨୪/୮ : ନା ମୁଖ୍ୟ ଅତିଥିଙ୍କ ଅପେକ୍ଷା, ନା ମନ୍ତ୍ରୀ କିମ୍ବା ଅଧିକାରୀଙ୍କ ଆବଶ୍ୟକତା । ପ୍ରତିଦିନ ସକାଳ ୮ଟା ହେଲେ ଏଠି ଉଡ଼େ ତ୍ରିରଙ୍ଗା । ବାଜି ଉଠେ ଜାତୀୟ ସଙ୍ଗୀତର ଧୂନ୍ । କିଛି ସମୟ ପାଇଁ ଥମିଯାଏ ଟ୍ରାଫିକ୍। ଅଟକି ଯାଆନ୍ତି ରାସ୍ତାରେ ଯାଉଥିବା ଲୋକେ। ଠିଆ ହୋଇ ଜାତୀୟ ସଙ୍ଗୀତକୁ ଜଣାନ୍ତି ସମ୍ମାନ। ବ୍ରହ୍ମପୁର ସହର କୋର୍ଟ ପେଟା ଛକରେ ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳେ। ଏଠି ଦିନେ କିମ୍ବା ଦୁଇଦିନ ନୁହେଁ, ଦୀର୍ଘ ୮ ବର୍ଷ ଧରି ଏହି ନିଆରା ପରମ୍ପରା ଚାଲିଛି। ୨୦୧୮ ଅଗଷ୍ଟ ୨୩ରେ ସମାଜସେବୀ ରାମ ପାତ୍ରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରାୟସକୁ ଆଜି ୨ ହଜାର ୯୨୩ ଦିନ ଅତିକ୍ରମ କରିଛି ।

କାର୍ଗିଲ୍ ଯୁଦ୍ଧରେ ଭାରତର ବିଜୟ ପରେ ପ୍ରତିଦିନ ଜାତୀୟ ପତାକା ଉତ୍ତୋଳନ କରିବାକୁ କୋର୍ଟପେଟାର କିଛି ଯୁବକ ମନସ୍ଥ କରିଥିଲେ । କିନ୍ତୁ ସେହି ଯୋଜନାକୁ ରୂପ ଦେବାକୁ ସମୟ ଲାଗିଥିଲା । ୨୦୧୮ ମସିହା ସ୍ୱାଧୀନତା ଦିବସରୁ ଏହା ଆରମ୍ଭ କରିବାକୁ ଯୋଜନା ହୋଇଥିଲା । ହେଲେ ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ଦେଶରେ ସାତ ଦିନିଆ ଶୋକ ଘୋଷଣା ହୋଇଥିଲା । ଶୋକ ସମାପ୍ତ ହେବା ପରେ ଅଗଷ୍ଟ ୨୩ରୁ ଏଠାରେ ଆରମ୍ଭ ହୋଇଥିଲା ପ୍ରତିଦିନ ପତାକା ଉତ୍ତୋଳନ । ବଡ଼ କଥା ହେଲା, ଏଠାରେ ପତାକା ଉତ୍ତୋଳନ ପାଇଁ କୌଣସି ବଡ଼ ଅତିଥିଙ୍କ ଆବଶ୍ୟକତା ପଡ଼େନି । ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତ୍ରିରଙ୍ଗା ଉଡ଼ାଇଥାନ୍ତି । ଜାତୀୟ ସଙ୍ଗୀତ ବାଜିବା ମାତ୍ରେ ଲୋକଙ୍କ ମୁହଁରେ ଦେଶପ୍ରେମ ଝଲସି ଉଠେ । ଅପରାହ୍ନ ୫ଟା ହେଲେ ପତାକା ଅବତରଣ ହୁଏ ।

ସମୟ ବିତିବା ସହ ଏହି ପରମ୍ପରାର ପରିସର ବଢ଼ିଛି । ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ପତାକା ତଳକୁ ଟାଣି ଆଣିଛି। ଗଞ୍ଜାମ ଜିଲ୍ଲାର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ବିଭିନ୍ନ ସମୟରେ କୋର୍ଟପେଟା ଛକରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି। ନିଜ ହାତରେ ତ୍ରିରଙ୍ଗା ଉତ୍ତୋଳନ କରି ଏହି ନିଆରା ପରମ୍ପରାକୁ ସମ୍ମାନ ଦିଅନ୍ତି। ବନ୍ୟା ଆସୁକି ବାତ୍ୟା ଅବା ମହାମାରୀ । କୌଣସି ପରିସ୍ଥିତିରେ ଏହି ପରମ୍ପରା ଅଟକିନି । ବ୍ୟସ୍ତ ଟ୍ରାଫିକ୍ ଛକ ମଝିରେ ପ୍ରତିଦିନ ଉଡୁଥିବା ଏହି ତ୍ରିରଙ୍ଗା ବ୍ରହ୍ମପୁରବାସୀଙ୍କ ଭିତରେ ଦେଶପ୍ରେମକୁ ଜାଗ୍ରତ କରି ରଖିଛି।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button