ଦେଶ ବିଦେଶ

Ajit Doval: ଭାରତ-ଚୀନ୍‌ ୨୫ତମ ସୀମା ଆଲୋଚନା ପାଇଁ ବେଜିଂରେ ପହଞ୍ଚିଲେ ଡୋଭାଲ

ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବେ ୨ ଦିନିଆ ଚୀନ୍‌ ଗସ୍ତରେ ଅଛନ୍ତି। ଭାରତ-ଚୀନ୍‌ ସୀମା ସଂକ୍ରାନ୍ତରେ ୨୫ତମ ସ୍ବତନ୍ତ୍ର ପ୍ରତିନିଧି (ଏସ୍‌ଆର)-ସ୍ତରୀୟ ଆଲୋଚନାରେ ଭାଗ ନେବା ପାଇଁ ଡୋଭାଲ ଆଜି ଚୀନ୍‌ ରାଜଧାନୀ ବେଜିଂରେ ପହଞ୍ଚିଛନ୍ତି

ବେଜିଂ: ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବେ ୨ ଦିନିଆ ଚୀନ୍‌ ଗସ୍ତରେ ଅଛନ୍ତି। ଭାରତ-ଚୀନ୍‌ ସୀମା ସଂକ୍ରାନ୍ତରେ ୨୫ତମ ସ୍ବତନ୍ତ୍ର ପ୍ରତିନିଧି (ଏସ୍‌ଆର)-ସ୍ତରୀୟ ଆଲୋଚନାରେ ଭାଗ ନେବା ପାଇଁ ଡୋଭାଲ ଆଜି ଚୀନ୍‌ ରାଜଧାନୀ ବେଜିଂରେ ପହଞ୍ଚିଛନ୍ତି। ସେ ଚୀନ୍‌ ବିଦେଶ ମନ୍ତ୍ରୀ ଓ ତାଙ୍କ ପ୍ରତିପକ୍ଷ ୱାଙ୍ଗ୍‌ ୟିଙ୍କ ସହ କଥା ହେବେ। ଅରୁଣାଚଳ ପ୍ରଦେଶ ସମେତ ସୀମା ପ୍ରସଙ୍ଗକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଡୋଭାଲଙ୍କ ଏହି ଗସ୍ତ ଓ ସୀମା କଥାବାର୍ତ୍ତାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ମଙ୍ଗଳବାର ଏହି ଗୁୁରୁତ୍ବପୂର୍ଣ୍ଣ ସୀମା ଆଲୋଚନା ହେବ।

ଉଲ୍ଳେଖଯୋଗ୍ୟ ୨୦୨୦ ମସିହାର ଗଲୱାନ୍‌ ସଂଘର୍ଷ ଓ ପୂର୍ବ ଲଦାଖରେ ଦୀର୍ଘ ସମୟ ଧରି ଚାଲିଥିବା ସାମରିକ ଉତ୍ତେଜନା ପରେ ଭାରତ-ଚୀନ୍ ସମ୍ପର୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ତେବେ ଏହା ପରେ ଉଭୟ ପକ୍ଷ ସମ୍ପର୍କକୁ ସ୍ଥିର କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ନେଇଛନ୍ତି। ସୋମବାର ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍ ଆଲୋଚନା ସଂକ୍ରାନ୍ତରେ ଘୋଷଣା କରି ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ, ଡୋଭାଲ୍ ଓ ୱାଙ୍ଗ୍ ସୀମା ପ୍ରଶ୍ନ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ‘ଗଭୀର ଆଲୋଚନା’ କରିବେ।

ଲିନ୍ କହିଛନ୍ତି ଯେ ସୀମା ବିବାଦ ଉପରେ ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ପାଇଁ ଏସ୍‌ଆର୍ ବ୍ୟବସ୍ଥା ହେଉଛି ମୁଖ୍ୟ ମାଧ୍ୟମ। ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଯୋଗାଯୋଗ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଗତବର୍ଷ ଅଗଷ୍ଟରେ ୨୪ତମ ପର୍ଯ୍ୟାୟର ଆଲୋଚନା ହୋଇଥିଲା। ସେତେବେଳେ ଉଭୟ ପକ୍ଷ ସୀମା ପ୍ରଶ୍ନ ଉପରେ ଆଲୋଚନା କରିଥିଲେ ଏବଂ ଅନେକ ପ୍ରସଙ୍ଗରେ ସହମତିରେ ପହଞ୍ଚିଥିଲେ ବୋଲି ଲିନ୍ କହିଛନ୍ତି। ୨୫ତମ ପର୍ଯ୍ୟାୟରେ ଉଭୟ ଦେଶର ନେତାମାନଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଆଧାରରେ ସୀମା ପ୍ରଶ୍ନ ଉପରେ ଆଲୋଚନା ଜାରି ରହିବ। ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button