Israel: ଇସ୍ରାଏଲ ନିର୍ବାଚନ ପୂର୍ବରୁ ନେତାନ୍ୟାହୁ ଖୋଲିଲେ ନୂଆ ପ୍ରସଙ୍ଗ: ଇରାନ ମୋ ପୁଅକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା ବୋଲି ଆଣିଲେ ଅଭିଯୋଗ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଇରାନ ତାଙ୍କ ପୁଅଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ କରିଛନ୍ତି।

ଜେରୁସାଲେମ:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଇରାନ ତାଙ୍କ ପୁଅଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ କରିଛନ୍ତି। ତେବେ ଷଡ଼ଯନ୍ତ୍ର କେବେ ହୋଇଥିଲା, କେଉଁ ପୁଅକୁ ଟାର୍ଗେଟ କରାଯାଇଥିଲା କିମ୍ବା ଏହି ପ୍ରୟାସ କେତେଦୂର ଆଗକୁ ବଢ଼ିଥିଲା ତାହା ସେ ସ୍ପଷ୍ଟ କରିନାହାନ୍ତି। ଇସ୍ରାଏଲର ନେତାନ୍ୟାହୁ ସରକାରଙ୍କ କଭରେଜ୍ ପାଇଁ ଜଣାଶୁଣା ଟିଭି ଚ୍ୟାନେଲ ୧୪ ସହିତ ଏକ ଫୋନ୍ ସାକ୍ଷାତକାରରେ ସେ ଏହି ଦାବି କରିଛନ୍ତି। ଦେଶବ୍ୟାପୀ ନିର୍ବାଚନ ପୂର୍ବରୁ ନେତାନ୍ୟାହୁଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଏକ ଇସ୍ରାଏଲୀ ସୁରକ୍ଷା ସଂସ୍ଥା ସୁରକ୍ଷା ଯୋଗାଇବାକୁ ମନା କରିଦେଇଥିବା ରିପୋର୍ଟର ସେ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି। ସୁରକ୍ଷା ଯୋଗାଇବା ଏକ ବିଳାସପୂର୍ଣ୍ଣ କାର୍ଯ୍ୟ ନୁହେଁ ବୋଲି ସେ କହିଛନ୍ତି। ଅକ୍ଟୋବର ୨୭ରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନର ଦୁଇ ମାସ ପୂର୍ବରୁ ନେତାନ୍ୟାହୁଙ୍କ ମେଣ୍ଟ ଦୁର୍ବଳ ସ୍ଥିତିର ସମ୍ମୁଖୀନ ହେଉଛି। ସର୍ଭେ ଅନୁଯାୟୀ ମେଣ୍ଟ ଏକ ବିପଦପୂର୍ଣ୍ଣ ସ୍ଥିତିରେ ଅଛି। ଏବେ ନେତାନ୍ୟାହୁ ତାଙ୍କ ପୁଅଙ୍କର ସୁରକ୍ଷା ପ୍ରସଙ୍ଗକୁ ଆଗକୁ ଆଣିଛନ୍ତି।
ସୁରକ୍ଷା ଯୋଗାଇବା ଏକ ବିଳାସପୂର୍ଣ୍ଣ କାର୍ଯ୍ୟ ନୁହେଁ
ରଏଟର୍ସ ରିପୋର୍ଟ କରିଛି ଯେ ନେତାନ୍ୟାହୁ ତାଙ୍କ ପୁଅମାନଙ୍କ ମଧ୍ୟରୁ କାହାକୁ ଇଙ୍ଗିତ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ନେତାନ୍ୟାହୁଙ୍କ ବଡ଼ ପୁଅ, ୟାଇର ନେତାନ୍ୟାହୁ ମିଆମିରେ ରୁହନ୍ତି। ନେତାନ୍ୟାହୁ ଏହା ମଧ୍ୟ କହିଛନ୍ତି ଯେ ସେ ଶିନ୍ ବେଟ୍ ସୁରକ୍ଷା ଏଜେନ୍ସି ମୁଖ୍ୟ ଡେଭିଡ୍ ଜିନିଙ୍କୁ ସେ କହିଛନ୍ତି, ଯେକୌଣସି ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍। ଇସ୍ରାଏଲୀ ଗଣମାଧ୍ୟମ ପୂର୍ବରୁ ରିପୋର୍ଟ କରିଥିଲା ଯେ, ଗାଦି ଆଇଜେନକୋଟଙ୍କୁ ସୁରକ୍ଷା ଯୋଗାଇବାକୁ ଡେଭିଡ୍ ଜିନି ମନା କରିଦେଇଥିଲେ। ସେ ଦେଶର ନିର୍ବାଚନ ଅଧିକାରୀମାନଙ୍କୁ କହିଥିଲେ ଯେ, ଆଇଜେନକୋଟଙ୍କୁ କ୍ଷତି ପହଞ୍ଚାଇବା ପାଇଁ କୌଣସି ଷଡ଼ଯନ୍ତ୍ର ନାହିଁ। ଏହା ଉଲ୍ଲେଖନୀୟ ଯେ ଆଇଜେନକୋଟଙ୍କ ଦଳ ନିର୍ବାଚନରେ ସର୍ବାଧିକ ଆସନ ଜିତିବ ବୋଲି ଆକଳନ କରାଯାଇଛି। ତେବେ ଇସ୍ରାଏଲରେ ସାଧାରଣତଃ ଗୋଟିଏ ଦଳର ବହୁମତରେ ସରକାର ଗଠନ ହୁଏ ନାହିଁ। ଅନେକ ଦଳ ସରକାର ଗଠନ କରିବା ପାଇଁ ମେଣ୍ଟ ଗଠନ କରିଥାନ୍ତି।
ସୌଜନ୍ୟ ସମ୍ବାଦ




