ଦେଶ ବିଦେଶ

Ram Rahim: ପୁଣି ୨୧ ଦିନିଆ ଫର୍ଲୋରେ ଜେଲ୍ରୁ ବାହାରିଲେ ରାମ ରହିମ୍, ୨୦୨୦ ପରଠାରୁ ୧୭ଥର ଅସ୍ଥାୟୀ ମୁକ୍ତି

ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ୍ ରାମ ରହିମ୍ ସିଂହ ମଙ୍ଗଳବାର ସକାଳେ ହରିୟାଣାର ରୋହତକସ୍ଥିତ ସୁନାରିଆ ଜେଲରୁ ୨୧ ଦିନିଆ ଫର୍ଲୋରେ ବାହାରିଛନ୍ତି।

ଚଣ୍ଡୀଗଡ଼: ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ୍ ରାମ ରହିମ୍ ସିଂହ ମଙ୍ଗଳବାର ସକାଳେ ହରିୟାଣାର ରୋହତକସ୍ଥିତ ସୁନାରିଆ ଜେଲରୁ ୨୧ ଦିନିଆ ଫର୍ଲୋରେ ବାହାରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ପ୍ରାୟ ୬.୦୫ ସମୟରେ ସେ ଜେଲ୍ ପରିସର ଛାଡ଼ି ସିରସାସ୍ଥିତ ଡେରା ମୁଖ୍ୟାଳୟ ଅଭିମୁଖେ ବାହାରିଛନ୍ତି। ୨୦୨୦ ମସିହା ପରଠାରୁ ତାଙ୍କୁ ମିଳିଥିବା ଅସ୍ଥାୟୀ ମୁକ୍ତି ମଧ୍ୟରେ ଏହା ହେଉଛି ୧୭ତମ।

ଦୁଇ ମାସ ନପୂରୁଣୁ ପୁଣି ତାଙ୍କୁ ୨୧ ଦିନର ଫର୍ଲୋ ପ୍ରଦାନ

ସାଧ୍ବୀ ଯୌନ ନିର୍ଯାତନା ଏବଂ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାମ ରହିମ୍ ୨୦୧୭ ଅଗଷ୍ଟରୁ ସୁନାରିଆ ଜେଲରେ ସଜା କାଟୁଛନ୍ତି। ଗତ ଜୁନ୍ ୨୬ ତାରିଖରେ ସେ ୩୦ ଦିନିଆ ପାରୋଲ ଶେଷ କରି ଜେଲକୁ ଫେରିଥିବା ବେଳେ ଦୁଇ ମାସ ନପୂରୁଣୁ ପୁଣି ତାଙ୍କୁ ୨୧ ଦିନର ଫର୍ଲୋ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ୪୦ ଦିନ ଏବଂ ମେ’ ମାସରେ ୩୦ ଦିନିଆ ପାରୋଲରେ ସେ ଜେଲରୁ ବାହାରିଥିଲେ। ଗୁରୁତର ଅପରାଧିକ ମାମଲାରେ ଦଣ୍ଡାଦେଶ ପାଇଥିବା ଜଣେ କଏଦୀଙ୍କୁ ବାରମ୍ବାର ଏପରି ଆଶ୍ୱାସନା ଓ ମୁକ୍ତି ମିଳିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଓ ସମାଲୋଚନା ସୃଷ୍ଟି ହୋଇଛି। ହରିୟାଣା ଅସ୍ଥାୟୀ ମୁକ୍ତି ଆଇନ ୨୦୨୨ ଅନୁଯାୟୀ କଏଦୀମାନଙ୍କୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୭୦ ଦିନର ପାରୋଲ ଏବଂ ୨୧ ଦିନର ଫର୍ଲୋ ମିଳିବାର ପ୍ରାବଧାନ ରହିଛି। ସରକାରୀ ଜେଲ୍ ରେକର୍ଡ (କଏଦୀ ନମ୍ବର ୮୬୪୭/ସି) ଅନୁଯାୟୀ, ୨୦୨୦ ଅକ୍ଟୋବରରେ ପ୍ରଥମ ଥର ପାଇଁ ୧ ଦିନର ମୁକ୍ତି ପାଇଥିବା ରାମ ରହିମ୍ ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପାରୋଲ ଓ ଫର୍ଲୋ ଜରିଆରେ ଜେଲରୁ ବାହାରକୁ ଆସିଛନ୍ତି, ଯାହା ଏବେ ପୁନର୍ବାର ରାଜନୈତିକ ଓ ସାମାଜିକ ଚର୍ଚ୍ଚାର ବିଷୟ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button