Puri Shock: ମା’କୁ ମାରି ରନ୍ଧାଘରେ ପୋତି ପୁଅ ଫେରାର୍!
ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ଏକ ଭଡ଼ାଘରର ରନ୍ଧାଘର ସ୍ଲାବ୍ ତଳେ ଜଣେ ମହିଳାଙ୍କ ମୃତଦେହ ଥିବା ସନ୍ଦେହ। ପୁଲିସ, ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିବାବେଳେ ପୁଅ ଫେରାର୍ ଥିବା ଆଶଙ୍କା କରାଯାଉଛି।

ପୁରୀ (ଶ୍ୟାମକାହ୍ନା ପଟ୍ଟନାୟକ): ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ନିଜ ମା’କୁ ହତ୍ୟା କରି ପୋତି ସିମେଣ୍ଟରେ ପ୍ଲାଷ୍ଟର କରିବା ପରେ ଫେରାର୍ ହୋଇଯାଇଛି। ଘଟଣାଟି ୩-୪ ଦିନ ପୂର୍ବେ ଘଟିଥିବା ଅନୁମାନ କରାଯାଉଛି।
କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଭଡ଼ାଘରେ ମା’ ଓ ପୁଅ ରହୁଥିଲେ। ଘରୁ ପଚା ଦୁର୍ଗନ୍ଧ ବାହାରିବା ଓ ଘରେ କାହାରି ଅନୁପସ୍ଥିତ ଥିବାରୁ ଘର ମାଲିକ ଭଗବାନ ସାହୁ ପୁଲିସକୁ ସୂଚିତ କରିଥିଲେ। ଏନେଇ ଘର ମାଲିକ କହିଛନ୍ତି, ୪-୫ ଦିନ ପୂର୍ବେ ସେମାନେ ମା’ ଓ ପୁଅଙ୍କୁ ଦେଖିଛନ୍ତି। ଏହାପର ଠାରୁ ଉଭୟଙ୍କୁ ଦେଖିନାହାନ୍ତି। ଦୁଇ ଦିନ ଧରି ଘରୁ ପଚା ଗନ୍ଧ ବାହାରୁଥିଲା। ଆଜି ରନ୍ଧାଘର ସ୍ଲାବ୍ ତଳ ପ୍ଲାଷ୍ଟର ଭିତରୁ ପୋଚା ପାଣି ଭଳି ପଦାର୍ଥ ବାହାରୁଥିବାରୁ ସନ୍ଦେହରେ ପୁଲିସକୁ ସୂଚିତ କରିଛନ୍ତି।
ଖବର ପାଇ ପୁଲିସ, ମାଜିଷ୍ଟ୍ରେଟ୍, ସିଟି ଡିଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଯାଞ୍ଚରୁ ମା’ ଓ ପୁଅ ଉଭୟ ଗତ ୧୯ ତାରିଖ ପର୍ଯ୍ୟନ୍ତ ଘରକୁ ଯା’ଆସ କରୁଥିବା ଜଣାପଡ଼ିଛି। ଏହି ଦିନ କିମ୍ବା ପରେ ମା’ଙ୍କୁ ହତ୍ୟା କରି ମୃତଦେହକୁ ରୋଷେଇ ଘର ସ୍ଲାବ୍ ତଳେ ଲୁଚାଇ ରଖି ପ୍ଲାଷ୍ଟର ଓ ସିମେଣ୍ଟ ମସଲାରେ ଏହାକୁ ସିଲ୍ କରି ଦେଇ ପୁଅ ଫେରାର ହୋଇଥିବା ଆଶଙ୍କା କରାଯାଉଛି।
ସାଇଣ୍ଟିଫିକ୍ ଟିମ୍ ପ୍ଲାଷ୍ଟର ଖୋଳି ଯାଞ୍ଚ କରୁଛି। ଶବର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟରୁ ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ପୁଲିସ କହିଛି।
ସୌଜନ୍ୟ ସମ୍ବାଦ




