ରାଜ୍ୟ

OUAT’s 65th Foundation Day ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ପାଳିତ। ୩୭ଟି ପ୍ରକାଶନ ଉନ୍ମୋଚନ ସହ ନୂତନ ଡିଜିଟାଲ୍ ପଦକ୍ଷେପ, ଭିତ୍ତିଭୂମି ଉଦଘାଟନ ଓ ୩୩ ମହିଳା କୃଷି ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

ଭୁବନେଶ୍ୱର:  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ କୃଷି ଶିକ୍ଷା ସଦନଠାରେ ଆଜି ଅନୁଷ୍ଠିତ ହୋଇଛି।

ଉଦଘାଟନୀ ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ଓୟୁଏଟିର ଉପକୁଳାଧିପତି କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ ଚାଷୀଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସରକାର ସଂକଳ୍ପବଦ୍ଧ I ଚାଷୀଙ୍କ ଅଭାବ ପୂରଣ ପାଇଁ ପ୍ରତିଟି ଦିଗରେ ନାନାଦି ଯୋଜନା ଚାଷୀଙ୍କ ସ୍ବପ୍ନ ପୂରଣ ପାଇଁ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି I ଚାଷୀଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ସାର୍‌ ମହଜୁଦ ଥିବାରୁ କୌଣସି ଚାଷୀ ବ୍ୟତିବ୍ୟସ୍ତ ନହେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି I  ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ଅଭିଭାଷଣରେ, ଓୟୁଏଟି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଆଗାମୀ ଦିନରେ ଚାଷୀଙ୍କୁ ସହଯୋଗ ହେବ ବୋଲି କହିଛନ୍ତି।

ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ ବିଶ୍ୱବିଦ୍ୟାଳୟରେ ନବସୃଜନକୁ ଗୁରୁତ୍ୱ ଦେବା ଉପରେ ମତ ରଖିଛନ୍ତି I ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓୟୁଏଟିର ଗୌରବମୟ ଯାତ୍ରାରେ କୃଷି ଶିକ୍ଷା, ଗବେଷଣା, ପ୍ରଯୁକ୍ତି ବିକାଶ ଓ ସମ୍ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବାବଦରେ ମତବ୍ୟକ୍ତ କରିଛନ୍ତି।

ଓୟୁଏଟି ପକ୍ଷରୁ ବିଭିନ୍ନ ବିଷୟରେ ୩୭ଟି ପ୍ରକାଶନ ଉନ୍ମୋଚନ ହୋଇଛି I ବିଶ୍ୱବିଦ୍ୟାଳୟର ଏମ୍‌ଆଇଏସ୍‌ ଏବଂ ଡିଜିଟାଲ୍ ପଦକ୍ଷେପର ଶୁଭାରମ୍ଭ ସହ ନୂତନ ଭିତ୍ତିଭୂମି ବିଦ୍ୟାର୍ଥୀଭବନ, ଉଦ୍ୟମିତାଭବନ, ଭୁବନେଶ୍ୱରୀ ଛାତ୍ରୀନିବାସ, ପଶୁଚିକିତ୍ସା ପରିସରକୁ ଆଭାସୀ ମାଧ୍ୟମରେ ଉଦଘାଟନ ମଧ୍ୟ କରାଯାଇଛି। କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୩୩ ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଚମତ୍କାର ସଫଳତା ପାଇଁ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button