ରାଜ୍ୟ

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ। ପୋଲିସ ପଦବୀ ଥିବାରୁ ସେମାନେ ଆଇନର ଗଳାବାଟ ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି। ଯେଉଁଥିପାଇଁ ପୋଲିସ ବିରୋଧରେ ଅଭିଯୋଗ କରୁଥିବା ଲୋକ ନ୍ୟାୟ ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ନିୟମିତ ଭାବେ ରାଜ୍ୟର ବିଭିନ୍ନ ଜିଲାରୁ ପୋଲିସ ବିରୋଧୀ ଏକାଧିକ ଅଭିଯୋଗ ଆସୁଛି। କିଛି ହାତଗଣତି ପୋଲିସ ଅଧିକାରୀଙ୍କ ପାଇଁ ପୂରା ବିଭାଗ ବଦନାମ ମୁଣ୍ଡାଉଛି। ନୟାଗଡ଼ ଶରଣକୂଳର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ, ବାରିପଦା ଟାଉନ ଥାନାର ସବ୍‌ଇନ୍ସପେକ୍ଟର ପ୍ରଭାତ ନାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଥିବାବେଳେ ଅଖଣ୍ଡ କ୍ଷମତାର ଉପଭୋଗ କରୁଥିଲେ ସୁଜିତ। ଥାନାକୁ ଅଭିଯୋଗ ନେଇ ଯାଇଥିବା ଜଣେ ମହିଳାଙ୍କୁ ଧମକ୍‌ ଦେଇ ବଳାକତ୍ାର କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ପରଠୁ ଗାଏବ ହୋଇଯାଇଛନ୍ତି ନିଲମ୍ବିତ ଆଇଆଇସି ସୁଜିତ ଦାସ। ତାଙ୍କ ବିରୋଧରେ ଲାଗିଛି ବଳାକତ୍ାର, ଚେନ୍‌ ଛିନ୍‌ତାଇ, ଡିଜିଟାଲ ପ୍ରମାଣ ନଷ୍ଟ ନେଇ ସଙ୍ଗିନ ଦଫା। ଯେଉଁଥିରେ ସୁଜିତଙ୍କୁ ୧୦ବର୍ଷରୁ ଆଜୀବନ କାରାଦଣ୍ଡର ସମ୍ଭାବନା ରହିଛି। ତେବେ ଗିରଫଦାରି ଏଡ଼ାଇବାକୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୁଜିତ। କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ମଧ୍ୟ ଦେଇଥିଲେ। ହେଲେ ପୂରା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁ ପକ୍ଷରୁ ସମସ୍ତ ପ୍ରମାଣ ଦାଖଲ ପରେ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଛନ୍ତି ହାଇକୋର୍ଟ। ତେଣୁ ଫେରାର ସୁଜିତଙ୍କୁ ଗିରଫ ପାଇଁ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ। ସେହିଭଳି ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ପ୍ରଭାତ ନାୟକ। ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ପୋଲିସ ଏସ୍‌ଆଇ ପ୍ରଭାତ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ପ୍ରତାରଣା ସହ ଆଉଜଣେ ଯୁବତୀଙ୍କୁ ବିବାହ କରିବାକୁ ଚେଷ୍ଟା କରିଛନ୍ତି। ଏଭଳି ଅଭିଯୋଗ ପରେ ମୟୂରଭଞ୍ଜ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାତଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଏସ୍‌ଆଇ ପ୍ରଭାତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। କେବଳ ସୁଜିତ କି ପ୍ରଭାତ ନୁହନ୍ତି। ଏଭଳି ସଙ୍ଗିନ ମାମଲାରେ ପୂର୍ବରୁ ଖଣ୍ଡପଡ଼ାର ପୂର୍ବତନ ଏସଡିପିଓ ମଦନମୋହନ ପ୍ରଧାନଙ୍କ ନାଁ ବି ଯୋଡ଼ି ହୋଇଛି। ସେ ମଧ୍ୟ ଜଣେ ମହିଳାଙ୍କୁ ଯୌନ ଶୋଷଣ କରିବା ନେଇ ଅଭିଯୋଗ ହୋଇଥିଲା। ମହିଳା ଜଣଙ୍କ ଫତେଗଡ଼ ଥାନାକୁ ନ୍ୟାୟ ପାଇବା ଆଶାରେ ଆସିଥିବାବେଳେ ମଦନମୋହନ ତାଙ୍କ ଫୋନ୍‌ ନମ୍ବର ନେଇଥିଲେ। ରାତିରେ ଭିଡ଼ିଓ କଲ୍‌ କରି ଅଶ୍ଲୀଳ ଇଙ୍ଗିତ କରିବା ସହ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଡିଜିପିଙ୍କୁ ଜଣାଇବା ପରେ ମଦନମୋହନ ନିଲମ୍ବିତ ହୋଇଥିଲେ। ସେହିଭଳି କମିଶନରେଟ ପୋଲିସରେ କାର୍ଯ୍ୟରତ ଥିବା ପୋଲିସ ଏସ୍‌ଆଇ ସ୍ନେହ ମଞ୍ଜରୀଙ୍କୁ ବଲାଙ୍ଗୀରର ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣ୍ଡାଙ୍କୁ ଅପହରଣ ପଛର ମୁଖ୍ୟ ମାଷ୍ଟରମାଇଣ୍ଡ ସ୍ନେହମଞ୍ଜରୀ ଥିଲେ ବୋଲି ତଦନ୍ତ ପରେ ଜଣାପଡ଼ିଥିଲା। ସେହିପରି କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ୍‌ ଥାନାର ପୂର୍ବତନ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ମଧ୍ୟ ଥାନାରେ ମା’ ପୁଅଙ୍କୁ ନିର୍ଯାତନା ଦେବା ନେଇ ଅଭିଯୋଗ ପରେ ନିଲମ୍ବିତ ହୋଇଥିଲେ। ଏପରିକି ସେହି ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏନେଇ ଡିଜିପି ବିନୟତୋଷ ମିଶ୍ର କହିଛନ୍ତି, ଯିଏ ଆଇନ୍‌କୁ ହାତକୁ ନେବେ ତାଙ୍କୁ ଛଡ଼ାଯିବନି। ସେ ପୋଲିସ ହେଉ ଅବା ଅନ୍ୟ କେହି। ଆଇନ ସମସ୍ତଙ୍କ ପାଇଁ ସମାନ। ପୋଲିସ ଅପରାଧ କଲେ ବି ଅନ୍ୟମାନଙ୍କ ଭଳି ଗିରଫ ହୋଇ ଜେଲ ଯିବେ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button