ଜାତୀୟ

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର ଜୀବନ୍ତ କୋଷ ବା ‘ନ୍ୟୁରନ୍ସ’ ସାହାଯ୍ୟରେ କମ୍ପ୍ୟୁଟର ଚାଲିବ। ସିଙ୍ଗାପୁରର ନ୍ୟାଶନାଲ ୟୁନିଭର୍ସିଟି, ‘ଡେ-ୱାନ୍‌’ କମ୍ପାନୀ ଏବଂ ଅଷ୍ଟ୍ରେଲିଆର ବାୟୋ-ଟେକ୍ନୋଲୋଜି ଷ୍ଟାର୍ଟଅପ ‘କର୍ଟିକାଲ ଲାବ୍ସ’ ମିଳିତ ଭାବେ ବିଶ୍ୱର ପ୍ରଥମ ଜୈବିକ ସର୍ଭର ବା ‘ଲିଭିଂ ସୁପରକମ୍ପ୍ୟୁଟର’ର ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରିଛନ୍ତି।
ଏହି ସୁପରକମ୍ପ୍ୟୁଟରର ଗୋଟିଏ ସର୍ଭର ୟାର୍କରେ ୨୦ଟି ସ୍ବତନ୍ତ୍ର ‘ସିଏଲ୍‌-୧’ ୟୁନିଟ୍‌ ଖଞ୍ଜା ଯାଇଛି। ପ୍ରତ୍ୟେକ ୟୁନିଟ୍‌ରେ ଲାବ୍‌ରେ ପ୍ରସ୍ତୁତ ପ୍ରାୟ ୮ ଲକ୍ଷ ଜୀବନ୍ତ ମାନବ ନ୍ୟୁରନ ରହିଛି। ଅର୍ଥାତ୍‌ ସମ୍ପୂର୍ଣ୍ଣ ସିଷ୍ଟମରେ ମୋଟ ୧ କୋଟି ୬୦ ଲକ୍ଷ ଜୀବନ୍ତ କୋଷ କାର୍ଯ୍ୟ କରୁଛନ୍ତି, ଯାହା ପାରମ୍ପରିକ ମେଶିନ ପରି ସ୍ଥିର ନିୟମରେ ନୁହେଁ, ବରଂ ମଣିଷ ପରି ନିଜେ ଚିନ୍ତାକରି ଶିଖିବାର କ୍ଷମତା ରଖିଛି।
ଷ୍ଟେମ୍‌ ସେଲ୍‌ ସାହାଯ୍ୟରେ ଏହି ମାନବ କୋଷଗୁଡ଼ିକୁ ତିଆରି କରାଯାଇ ଏକ ସିଲିକନ୍‌ ପ୍ଲାଟ୍‌ଫର୍ମ ଏବଂ ସୂକ୍ଷ୍ମ ଇଲେକ୍ଟ୍ରୋଡ୍‌ ସହ ଯୋଡ଼ାଯାଇଛି। ସରକାରଙ୍କ ବାୟୋ-ଅପରେଟିଂ ସିଷ୍ଟମ ମାଧ୍ୟମରେ କମ୍ପ୍ୟୁଟର ଏହି କୋଷଗୁଡ଼ିକୁ ବୈଦ୍ୟୁତିକ ସଙ୍କେତ ପଠାଇଥାଏ। ମସ୍ତିଷ୍କର କୋଷଗୁଡ଼ିକ ଏହି ସଙ୍କେତ ଗ୍ରହଣକରି ତା’ର ଉତ୍ତର ପୁଣି କମ୍ପ୍ୟୁଟରକୁ ପଠାନ୍ତି। ଏହି ପ୍ରକ୍ରିୟା ଦ୍ୱାରା କମ୍ପ୍ୟୁଟର ମଣିଷ ଭଳି ସ୍ବତଃସ୍ଫୂର୍ତ୍ତ ଭାବେ ଶିଖିପାରେ।
ଏହି ପ୍ରୋସେସରଗୁଡ଼ିକ ଜୀବନ୍ତ କୋଷ ହୋଇଥିବାରୁ ଏମାନଙ୍କ ପାଇଁ ଏକ ‘ଲାଇଫ୍‌ ସପୋର୍ଟ ସିଷ୍ଟମ’ ପ୍ରସ୍ତୁତ କରାଯାଇଛି। ଏହି କୋଷଗୁଡ଼ିକୁ ସୁସ୍ଥ ରଖିବା ପାଇଁ ଲାବ୍‌ ଟେକ୍ନିସିଆନମାନେ ପ୍ରତି ୩ ଦିନରେ ଚିନି (ସୁଗାର), ପୋଷକ ତତ୍ତ୍ୱ ଏବଂ ପିଏଚ୍‌ ବଫର୍ସର ଏକ ତରଳ ମିଶ୍ରଣ ଖାଇବାକୁ ଦିଅନ୍ତି। ଏହା ସହ କୋଷଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ଅମ୍ଳଜାନ, ଅଙ୍ଗାରକାମ୍ଳ ଏବଂ ଯବକ୍ଷାରଜାନ ଗ୍ୟାସ୍‌ର ନିରନ୍ତର ଯୋଗାଣ କରାଯାଏ। ବୈଜ୍ଞାନିକଙ୍କ ଅନୁସାରେ ଏହି କୋଷଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବେ।
ବର୍ତ୍ତମାନର ଏଆଇ ଡାଟା ସେଣ୍ଟରଗୁଡ଼ିକ ବିପୁଳ ପରିମାଣର ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରୁଛନ୍ତି, ଯାହା ପରିବେଶ ପାଇଁ କ୍ଷତିକାରକ। କିନ୍ତୁ ମଣିଷ ମସ୍ତିଷ୍କ ଖୁବ୍‌ କମ୍‌ ଶକ୍ତିରେ ବଡ଼ ବଡ଼ ଗଣନା କରିପାରେ। ଏହି ଜୈବିକ ସୁପରକମ୍ପ୍ୟୁଟର ମାଧ୍ୟମରେ ଅତି କମ୍‌ ବିଦ୍ୟୁତ୍‌ ଶକ୍ତିରେ ଏଆଇ କାମ କରିପାରିବ। ଏହା ବ୍ୟତୀତ ରୋବୋଟିକ୍ସ, ସାଇବର ସୁରକ୍ଷା ଏବଂ ମସ୍ତିଷ୍କଜନିତ ରୋଗର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଏହି ପ୍ରଯୁକ୍ତିବିଦ୍ୟା ଏକ ନୂଆ ଦିଗ ଦେଖାଇବ ବୋଲି କୁହାଯାଇଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button