Iran warns US: ନୂଆ ଆମେରିକୀୟ କଟକଣା ପରେ ଇରାନର ଚେତାବନୀ
ଇରାନ ଉପରେ ଆମେରିକା ନୂଆ କଟକଣା ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ବଢ଼ିଛି। ଆମେରିକା ଚାପର ମୁକାବିଲା କରିବା ପାଇଁ ଇରାନ ସରକାର ପ୍ରସ୍ତୁତ ଥିବା ଏବଂ ଏଥିପାଇଁ ଦୁଇବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଥିବା ଇରାନର...

ତେହେରାନ: ଇରାନ ଉପରେ ଆମେରିକା ନୂଆ କଟକଣା ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ବଢ଼ିଛି। ଆମେରିକା ଚାପର ମୁକାବିଲା କରିବା ପାଇଁ ଇରାନ ସରକାର ପ୍ରସ୍ତୁତ ଥିବା ଏବଂ ଏଥିପାଇଁ ଦୁଇବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଥିବା ଇରାନର ଅର୍ଥମନ୍ତ୍ରୀ ଅଲି ମଦାନିଜାଦେହ କହିଛନ୍ତି। ଆମେରିକାର ନୂଆ ପଦକ୍ଷେପ ଶେଷରେ ୱାସିଂଟନ୍ର ଆଉ ଏକ ପରାଜୟର କାରଣ ହେବ ବୋଲି ସେ ଦାବି କରିଛନ୍ତି।
ସୋମବାର ଇରାନର ସରକାରୀ ଟେଲିଭିଜନକୁ ଦେଇଥିବା ସାକ୍ଷାତ୍କାରରେ ମଦାନିଜାଦେହ କହିଛନ୍ତି, ଇରାନବାସୀ ଓ ଦେଶର ଅଧିକାରୀମାନଙ୍କ ଦୃଢ଼ତା ପରୀକ୍ଷା କରିବା ପାଇଁ ଆମେରିକା ଅନେକ ପଦକ୍ଷେପ ନେଇଛି। ମାତ୍ର ପ୍ରତିଥର ଆମେରିକା ବିଫଳ ହୋଇଛି। ଏଥର ମଧ୍ୟ ସମାନ ପରିଣାମ ହେବ ବୋଲି ସେ କହିଛନ୍ତି। ଇରାନୀ ମନ୍ତ୍ରୀଙ୍କ ଅନୁଯାୟୀ, ଆମେରିକାର କଟକଣା ନେଇ ତେହେରାନ ବହୁଦିନ ଧରି ପ୍ରସ୍ତୁତି କରୁଥିଲା। ସମ୍ଭାବ୍ୟ ଆର୍ଥିକ ଚାପ ଓ ଏହାର ପ୍ରଭାବକୁ ସମ୍ଭାଳିବା ପାଇଁ ସରକାରଙ୍କ ନିକଟରେ ଦୁଇବର୍ଷର ଯୋଜନା ରହିଛି। ତେଣୁ ନୂଆ କଟକଣାକୁ ନେଇ ଇରାନ ଆଶ୍ଚର୍ଯ୍ୟଚକିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ବୟାନ ଆସିବାର ଠିକ୍ ପୂର୍ବରୁ ଆମେରିକା ଇରାନ ବିରୋଧରେ ନୂଆ କଟକଣା ଘୋଷଣା କରିଥିଲା। ଏଥିରେ ‘ସେକେଣ୍ଡାରି ସାଙ୍କସନ୍’ ବ୍ୟବସ୍ଥାକୁ ବ୍ୟାପକ କରାଯିବ। ଅର୍ଥାତ୍ ଇରାନ ସହ ବ୍ୟବସାୟ କରୁଥିବା ଅନ୍ୟ ଦେଶ, କମ୍ପାନି ଓ ସଂସ୍ଥା ମଧ୍ୟ ଆମେରିକୀୟ କଟକଣାର ସମ୍ମୁଖୀନ ହୋଇପାରିବେ। ଆମେରିକୀୟ ଅଧିକାରୀମାନେ ମଧ୍ୟବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଇରାନ ବିରୋଧରେ ଏହି ଆର୍ଥିକ ପଦକ୍ଷେପକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବା ଲକ୍ଷ୍ୟ ରଖିଥିବା କୁହାଯାଇଛି। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଇରାନ ବିରୋଧରେ ପୁଣି ସାମରିକ ଅଭିଯାନର ବିକଳ୍ପ ଖୋଲା ରହିପାରେ ବୋଲି ଆମେରିକୀୟ ଅଧିକାରୀମାନେ ସଙ୍କେତ ଦେଇଛନ୍ତି। ଫଳରେ କେବଳ ଆର୍ଥିକ କ୍ଷେତ୍ରରେ ନୁହେଁ, ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ସୁରକ୍ଷା ସମ୍ପର୍କ ମଧ୍ୟ ଆଗକୁ ଅଧିକ ଜଟିଳ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ସୌଜନ୍ୟ ସମ୍ବାଦ




