Weather update : ୨୮ ରେ ଘୂର୍ଣ୍ଣିବଳୟ, ୩୦ ରେ ଲଘୁଚାପ, ପୁଣି ଫୁଲିବ ମହାନଦୀ

ଭୁବନେଶ୍ୱର, ୨୬/୮ : ଆସନ୍ତା ୨୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ । ୨୮ ତାରିଖ ବେଳକୁ ବର୍ଷା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ କହିଛନ୍ତି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୨୭ ଓ ୨୮ ତାରିଖ ବେଳକୁ ବର୍ଷା ବଢ଼ିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ୩୦ ଓ ୩୧ରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ୧୦୧ମିମି, ବରଗଡ଼ରେ ୯୫.୮, ଝାରସୁଗୁଡ଼ାରେ ୩୭.୩, ମାଲକାନଗିରିରେ ୩୬.୪ ଓ ଯାଜପୁରରେ ୩୧.୫ ମିମି ବର୍ଷା ରେକର୍ଡ ହୋଇଛି । ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ ସର୍ବାଧିକ ୧୬୨.୨ ମିମି ବର୍ଷା ହୋଇଛି । ୪ଟି ବ୍ଲକରେ ୧୦୦ ମିମିରୁ ଅଧିକ ଓ ୯ଟି ବ୍ଲକ୍, ଗୋଟିଏ ପୌରାଞ୍ଚଳରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି । ଅଗଷ୍ଟ ୧ରୁ ୨୫ ତାରିଖ ଯାଏ ମୋଟ ୩୪୪.୪ ମିମି ବର୍ଷା ହୋଇଛି ।
ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୮ଟି ପଞ୍ଚାୟତ ଅଧୀନରେ ଥିବା ୭୦ଟି ଗାଁର ୭୫,୪୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଯାଜପୁର ଜିଲ୍ଲାର ବରୀ, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତ ଅଧୀନ ୪୧ଟି ଗାଁର ୨୧ହଜାର ଲୋକ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ, ଗୋଟିଏ ପୌରାଞ୍ଚଳ, ୧୧ଟି ୱାର୍ଡ, ୩୫ଟି ପଞ୍ଚାୟତ ଓ ୬୪ଟି ଗାଁର ୫,୪୭୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବର୍ଷାରେ କେନ୍ଦୁଝର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ୯ଟି ବ୍ଲକ୍ ପ୍ରଭାବିତ ହୋଇଛି । ୧,୬୨୨ ଜଣଙ୍କୁ ରିଲିଫ୍ କ୍ୟାମ୍ପକୁ ନିଆଯାଇଛି । କୋରାପୁଟରେ ୬୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୯ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀ କାମ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୭୦.୩୦ କୋଟି ଟଙ୍କା ଦିଆଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ତଳିଆ ଅଞ୍ଚଳରେ ଜଳବନ୍ଦୀର ମୁକାବିଲା ସହ ରାସ୍ତା ଓ ଅଣ୍ଡରପାସ୍ର ସ୍ଥିତି ଉପରେ ନଜର ରଖବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ସୌଜନ୍ୟ ପ୍ରମେୟ




