ରାଜ୍ୟ

Traffic jam: ବର୍ଷା ଛାଡୁ ଛାଡୁ ମାଡି ଆସିଲେ…ପେଁ ପାଁ ଶଦ୍ଦରେ କମ୍ପିଲା ରାଜଧାନୀ, ମନଇଚ୍ଛା ଗାଡି଼ ପୁରାଇ ନାକେଦମ ଦେଲେ

ଭୁବନେଶ୍ୱର,୨୬/୦୮: ଗତକାଲି ଅପରାହ୍ଣରେ ଢ଼ାଳିଲା ବର୍ଷା । ୨-୩ ଘଣ୍ଟା ଯାଏଁ ନାଦି ଚାଲିଲା । ବର୍ଷାରେ ତ ଯାହା ହଇରାଣ ହେଲେ ରାଜଧାନୀବାସୀ । କିନ୍ତୁ ବର୍ଷାର ପରବର୍ତ୍ତୀ ଟ୍ରାଫିକ୍ ଜାମ୍‌ରେ ପୁରା ରୁନ୍ଧି ହୋଇଗଲେ । ଜନପଥ, କଟକ ରୋଡ, ଜୟଦେବ ବିହାର ନନ୍ଦନକାନନ ରାସ୍ତାରେ ଇଞ୍ଚେ ଗଡି଼ଲାନି ଗାଡି଼ । ଏନ୍ଏଚ୍ ୧୬ ଓ ସର୍ଭିସ୍ ରାସ୍ତାରେ କଲବଲ ହେଲେ ଗାଡି଼ଚାଳକ । ଘଣ୍ଟାଏ ଧରି ଅଧା ରାଜଧାନୀ ସତେ ଯେମିତି ଅଚଳ ହୋଇଗଲା । ଏକରକମ ଚକାଜାମ୍ ସ୍ଥିତି ଉପୁଜିଥିଲା । ଅପରାହ୍ଣରେ ମୂଷଳାଧାର ବର୍ଷା ଯୋଗୁ ବାଇକ୍ ଚାଳକମାନେ ବିଭିନ୍ନ ଜାଗାରେ ଆଶ୍ରୟ ନେଇଥିଲେ । ସନ୍ଧ୍ୟା ସାଢ଼େ ୫ଟା ବେଳକୁ ବର୍ଷା ପ୍ରାୟତଃ ଛାଡି  ଯାଇଥିଲା । ସଭିଏଁ ଏକାବେଳକେ ଗନ୍ତବ୍ୟସ୍ଥଳ ମୁହାଁ ହେଲେ । ଅଫିସରୁ କର୍ମଚାରୀ, ସ୍କୁଲ କଲେଜରୁ ଛାତ୍ରଛାତ୍ରୀମାନେ ଘରକୁ ଯିବାକୁ ବାହାରିଲେ । ହେଲେ, ଅଧାରାସ୍ତାରେ ଅଧିକାଂଶ ଟ୍ରାଫିକ୍ ଜାମ୍‌ରେ ଫସିଲେ । କିଏ ଘଣ୍ଟାଏ ଧରି ଟ୍ରାଫିକ୍ ଫାଶରୁ ମୁକୁଳି ପାରିଲାନି । କିଏ ବର୍ଷା ପାଣି ଜାଲରେ ଫସି ତ୍ରାହି ତ୍ରାହି ଡାକିଲା ।

ବିଶେଷକରି, ବରମୁଣ୍ଡା-ନୂଆପଲ୍ଲୀ ଓ ଜୟଦେବ ବିହାର ବାଣୀବିହାର ଓଭରବ୍ରିଜ୍‌ରେ ସର୍ଭିସ୍ ରାସ୍ତା ଲୋକଙ୍କୁ ଅଧିକ ଦୁଃଖ ଦେଇଥିଲା । ଓଭରବ୍ରିଜ ଉପରେ ବି ଗାଡି଼ମୋଟର ଜାମ୍ ହୋଇଥିଲା । ପଳାଶୁଣୀ ଛକରୁ ହଂସପାଳ ଯାଏ ଗାଡି଼ର ବେଗ ଧିମେଇ ଯାଇଥିଲା । ସନ୍ଧ୍ୟା ସମୟ ହେତୁ ଶହ ଶହ ଯାତ୍ରୀ ନାଇଟ୍ କୋଚ ବସରେ ବସିବାକୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଭିମୁଖେ ମାଡିଗଲେ । ଫାୟାରଷ୍ଟେସନ, ସିଆରପି, ନୂଆପଲ୍ଲୀ ସର୍ଭିସ୍ ରାସ୍ତାରେ ବସ୍ ସହ କାର, ବାଇକ୍, ଅଟୋରିକ୍ସା ଫସି ରହିଥିଲା । ଜାଗମରା ଛକ ଦେଇ ଏହି ରାସ୍ତା ପାର୍ କରିବା ଅନେକଙ୍କୁ ନାକେଦମ୍ କରିଥିଲା । ଖଣ୍ଡଗିରି-ଗଣ୍ଡମୁଣ୍ଡା ରାସ୍ତାରେ ଅନେକ ସମୟ ଧରି ଚକାଜାମ ଲାଗି ରହିଥିଲା । ଅଧା ପନ୍ତରିଆ ରାସ୍ତାରେ ଫସି ରହିଲେ ଅନେକ ଗାଡି଼ଚାଳକ । ଏମିତିକି ଖଣ୍ଡଗିରି ନାକାଗେଟ୍-ଷ୍ଟୁଡିଓ ଛକ ଭଳି ଫାଙ୍କା ରାସ୍ତା ବି ଅପେକ୍ଷାରତ ଗାଡି଼ର ପେଁ ପାଁ ଶଦ୍ଦରେ କମ୍ପି ଉଠିଥିଲା । ଘାଟିକିଆ ଟି ଜଙ୍କସନରେ ସ୍ଥିତି ବେହାଲ ହୋଇଗଲା । ଏଠି ୩ ଦିଗରୁ ମନଇଚ୍ଛା ଗାଡି଼ ପୁରାଇବାରୁ ଅଯଥାରେ ଅନେକ ଫସିଥିଲେ । ଜୟଦେବ ବିହାରରୁ ପଟିଆ ଯାଏଁ ବି ଗାଡି଼ର ଲାଇନ୍ ଲମ୍ବିଥିଲା । ପାଲ ହାଇଟ୍ସ, ଜାଭିୟର ଛକ, ନାଲକୋ ଛକ ଯାଏ ରାସ୍ତାର ଦୁଇପାଶ୍ୱର୍ରେ ଭୟଙ୍କର ଜାମ ଦେଖାଦେଇଥିଲା । ଜନପଥରେ ଚକାଜାମ୍ ଯୋଗୁ ଅଧିକାଂଶ ଗାଡି଼ ଚାଳକ ଗଳି ରାସ୍ତା ଖୋଜିଥିଲେ ।

ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍, ରାମମନ୍ଦିର, ରୁପାଲି ଛକରେ ନାହିଁ ନଥିବା ଗହଳି ଲାଗିରହିଥିଲା । କଟକ ରୋଡ କଥା ନ କହିବା ଭଲ । ବିଭିନ୍ନ ଛକରେ ପାଣି ଜମିବାରୁ ଗାଡି଼ ଗଡି଼ଲାନି । ଷ୍ଟେସନ ରୋଡ, କଳ୍ପନା, ଲକ୍ଷ୍ମୀସାଗର, ବମିଖାଲରେ ଲୋକେ ଟ୍ରାଫିକ୍ ଜାମରେ ଫସି ରହିଥିଲେ । ଏମିତି ନୁହେଁ ଯେ ପୂର୍ବରୁ ଲଗାତାର ବର୍ଷା ହୋଇନି । କିନ୍ତ ଗତକାଲି ସନ୍ଧ୍ୟାରେ ଏଭଳି ଭୟଙ୍କର ଟ୍ରାଫିକ୍ ଜାମ୍ ଉପୁଜିବା ସତ୍ତେ୍ୱ ଟ୍ରାଫିକ୍ ପୁଲିସ ତତ୍ପର ହେଲାନି । କିଛି ସମ୍ବେଦନଶୀଳ ପଏଣ୍ଟରେ ଟ୍ରାଫିକ୍ କନଷ୍ଟେବଳଙ୍କ ଦେଖା ମିଳାଲାନି । ଅନେକ ଟ୍ରାଫିକ କର୍ମଚାରୀ ବର୍ଷାରେ ତିନ୍ତିଥିବା ଦର୍ଶାଇ ରାସ୍ତା ଉପରୁ ଡ୍ୟୁଟିରୁ ହଟିଗଲେ । ଯେଉଁଥିପାଇଁ ସ୍ମାର୍ଟସିଟିର ଟ୍ରାଫିକ୍ ପରିଚାଳନା ଏକରକମର ଭୁଷୁଡି଼ ଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button