ରାଜ୍ୟ

Bird Census: ୨୩ ଜିଲ୍ଲାର ପକ୍ଷୀପ୍ରେମୀ ଚିହ୍ନଟ କଲେ ୧୮୪ ପ୍ରଜାତି, କୋଇଲି, ଚିତ୍ରା କପୋତ, କଜଳପାତିଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର,୨୬/୦୮: ଜୁନ ମାସରେ ଓଡ଼ିଶାର ସାଧାରଣ ପକ୍ଷୀପ୍ରେମୀଙ୍କ ଦ୍ୱାରା ୧୮୪ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି । ସବୁଠାରୁ ଅଧିକ କୋଇଲି ଏବଂ ତା’ପଛକୁ ଚିତ୍ରା କପୋତ ଓ କଜଳପାତିକୁ ଦେଖିବାକୁ ମିଳିଛି । ଏଥିସହ ଷ୍ଟେଟ୍ ଅଫ୍ ଇଣ୍ଡିଆନ୍ ବାର୍ଡସ୍‌ର ସର୍ବାଧିକ ପ୍ରାଥମିକତା ତାଲିକାରେ ଥିବା ପକ୍ଷୀ ମଧ୍ୟରୁ ୭ଟି ପ୍ରଜାତି ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି । ସମ୍ପୂର୍ଣ୍ଣ ସମୀକ୍ଷା ପରେ ପ୍ରକାଶ ପାଇଛି ‘ରଜ ପକ୍ଷୀ ଗଣନା’ ବା ଆରବିସି-୨୦୨୬ର ଚୂଡ଼ାନ୍ତ ରିପୋର୍ଟ ।

ଗତ ରଜ ପର୍ବ ଅବସରରେ ଜୁନ ୧୪ରୁ ୧୬ ପର୍ଯ୍ୟନ୍ତ ଏହି ତିନି ଦିନିଆ ପକ୍ଷୀ ଗଣନା ହୋଇଥିଲା । ଚଳିତ ବର୍ଷ ୨୩ ଜିଲ୍ଲାର ପକ୍ଷୀପ୍ରେମୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ତିନି ଦିନରେ ମୋଟ ୧୮୪ଟି ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ମୋଟ ୮୦ଜଣ ଅଂଶଗ୍ରହଣକାରୀ ୮୩୭ଟି ଚେକ୍ଲିଷ୍ଟ ଅପଲୋଡ୍ କରିଛନ୍ତି । ପୂର୍ବବର୍ଷ ୧୫ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା ବେଳେ ଚଳିତ ଥର ୮ଟି ଅଧିକ ଜିଲ୍ଲା ଏଥିରେ ସାମିଲ ହୋଇଛନ୍ତି । ପକ୍ଷୀ ଗଣନାର ପ୍ରଥମ ଦିନରେ ୧୪୭, ଦ୍ୱିତୀୟ ଦିନରେ ୧୫୮ ଏବଂ ତୃତୀୟ ଦିନରେ ୧୪୫ ପ୍ରଜାତିର ପକ୍ଷୀଙ୍କୁ ରେକର୍ଡ କରାଯାଇଛି । ଏହି ଅବଧିରେ କୋଇଲିକୁ ସର୍ବାଧିକ ୪୪ ପ୍ରତିଶତ ଥର ଦେଖିବାକୁ ମିଳିଥିଲା । ଚିତ୍ରା କପୋତକୁ ୪୩ ପ୍ରତିଶତ ଏବଂ କଜଳପାତି ୪୦ ପ୍ରତିଶତ ଥର ଦେଖାଯାଇଛି । ଏହାବ୍ୟତୀତ ବ୍ୟତୀତ ଗୋଠ ବଗୁଲୀ ଏବଂ ନୀଳ ମାଛରଙ୍କା ୩୫%, ବଣି ୩୪%, ଦୟାଳୁ ୩୨%, ଚିଓଁଚିଟୋ ବା ଦରଜି ଚଢ଼େଇ ୩୧% ଏବଂ କାଉ ଓ ଗୋବରା ପକ୍ଷୀ ୩୦% ଦେଖିବାକୁ ମିଳିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ଭଦ୍ରକ, ଜଗତ୍ସିଂହପୁର ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ପକ୍ଷୀପ୍ରେମୀମାନେ ସର୍ବାଧିକ ଥର ଚେକ୍ଲିଷ୍ଟରେ ତଥ୍ୟ ପ୍ରଦାନ କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button