Aadhaar correction : ଯଶୋବନ୍ତଙ୍କ ଆଧାର ସଂଶୋଧନ ପାଇଁ ସରକାରୀ କସରତ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗାଡ଼ି ପଠାଇ ଅନୁଗୋଳ ନେଲେ, ରାସନ କାର୍ଡ ଦେଲେ

ଭୁବନେଶ୍ୱର, ୨୬/୮ : ୧୩ ବର୍ଷ ହେଲା ଆଧାର କାର୍ଡ ପାଇଁ ଦହଗଞ୍ଜ ହେଉଥିଲେ । ‘ପ୍ରମେୟ’ରେ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶାସନକୁ ତ୍ୱରିତ୍ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ଅନୁଗୋଳ ଜିଲ୍ଲା ପ୍ରଶାସନ ତତ୍ପର ହେବା ସହ ଯଶୋବନ୍ତଙ୍କ ଘରେ ପହଞ୍ଚିଛି । ତାଙ୍କୁ ଗାଡ଼ି ଯୋଗେ ଅନୁଗୋଳ ନେଇ ଆଧାର କାର୍ଡ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ ଛେଣ୍ଡିପଦା ବିଡିଓଙ୍କ ଅଫିସ୍ର ଏକ ଟିମ୍ ଯଶୋବନ୍ତଙ୍କ ଗାଁ ଉଗିରେ ପହଞ୍ଚିଥିଲେ । ଆଧାର କାର୍ଡ ନଥିବାରୁ ତାଙ୍କର ରାସନ କାର୍ଡ ଅନୁମୋଦନ ହେଉନଥିଲା । ଏଥିପାଇଁ ସେ ରାସନ ସାମଗ୍ରୀ ପାଉନଥିଲେ । ଟିମ୍ ତାଙ୍କ ଘରେ ସମସ୍ତ ଡକ୍ୟୁମେଣ୍ଟ ପ୍ରକ୍ରିୟା ସାରି ତତ୍କାଳ ତାଙ୍କ ରାସନ କାର୍ଡ ଇସ୍ୟୁ କରାଯାଇଛି । ତାଙ୍କୁ ନୂଆ ରାସନ କାର୍ଡ ହସ୍ତାନ୍ତର କରାଯାଇଛି ।
ଏହାପରେ ଅପରାହ୍ନରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତାଙ୍କ ଘରକୁ ଏକ ଗାଡ଼ି ପଠାଯାଇଥିଲା । ଏହି ଗାଡ଼ିରେ ଯଶୋବନ୍ତ ଓ ତାଙ୍କ ପୁଅ ଅନୁଗୋଳ ଯାଇଥିଲେ । ଜଣେ ଅଧିକାରୀ ତାଙ୍କୁ ନେଇ ଅନୁଗୋଳ ବ୍ଲକ୍ ଅଫିସ୍ର ଆଧାର ସଂଶୋଧନ ଅଧିକାରୀଙ୍କୁ ସାକ୍ଷାତ କରାଇଥିଲେ । ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୁହାଯାଇଛି । ଡକ୍ୟୁମେଣ୍ଟ ଦାଖଲ ପରେ ସଂଶୋଧନ ପ୍ରକ୍ରିୟା କରାଯିବ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଯଶୋବନ୍ତଙ୍କ ଆଧାର କାର୍ଡରେ ଭୁଲରେ ନିହାର ରଞ୍ଜନ ପ୍ରଧାନ ନାଁ ରହିଛି । ତାଙ୍କ ନାଁ ନିହାର ରଞ୍ଜନ ପ୍ରଧାନ ବଦଳରେ ଯଶୋବନ୍ତ ସାହୁ ଭାବେ ଗେଜେଟ୍ ବିଜ୍ଞପ୍ତି ବାହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗେଜେଟ୍ ବିଜ୍ଞପ୍ତି ବାହାର କଲା ପରେ ଆଧାର କାର୍ଡ ସଂଶୋଧନ ହୋଇପାରିବ ବୋଲି କୁହାଯାଇଛି । କିନ୍ତୁ ଓକାକ୍ରେ ଥିବା ଆଧାର ସଂଶୋଧନ କେନ୍ଦ୍ର ଓ ଗେଜେଟ୍ ଅଧିକାରୀଙ୍କ ମିଳିତ ଶିବିରରେ ଯଶୋବନ୍ତଙ୍କ ଏହି ଆବେଦନ ପୂର୍ବରୁ ଖାରଜ ହୋଇଥିଲା । ଯଶୋବନ୍ତଙ୍କ ନାଁ ଅନ୍ୟ ସବୁ ଡକ୍ୟୁମେଣ୍ଟରେ ଠିକ୍ ଅଛି । କେବଳ ଆଧାରରେ ଭୁଲ ହୋଇଛି । ଏହା ଆଧାର ବା ୟୁଆଇଡିଏଆଇ କର୍ତ୍ତୃପକ୍ଷ ସଂଶୋଧନ କରିପାରିବେ ବୋଲି ଗେଜେଟ୍ ଅଧିକାରୀ କହି ସାରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ୟୁଆଇଡିଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମାଧାନ ବାଟ ବାହାର କରିବାକୁ ଯଶୋବନ୍ତ ଦାବି କରିଛନ୍ତି ।
ସୌଜନ୍ୟ ପ୍ରମେୟ




