Vehicle Crack Down: ଅଡ଼ୁଆ ବଢ଼ାଇଛି ନୂଆ ନିୟମ; ୨୦ ଲକ୍ଷ ଗାଡ଼ିର ଆର୍ସି ବାତିଲ, ଆହୁରି ୩୦ ଲକ୍ଷ ଗାଡ଼ି ରାସ୍ତାରୁ ହଟିବ

କଟକ, ୨୭/୦୮: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନୀତି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେବାକୁ ଯାଉଛି । ଏହି ନୂଆ ନିୟମରେ ସାଧାରଣ ଲୋକ ଶୋଷଣ ହେବା ସାର ହେବ ଓ କିଛି ଗାଡ଼ି ଉତ୍ପାଦନକାରୀ କମ୍ପାନୀ ମାଲେମାଲ୍ ହେବେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଗାଡ଼ି ପୃଥକୀକରଣ ବା ଭେଇକିଲ୍ କ୍ଲାସିଫିକେସନ୍ ନୀତିରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ । ଇତିମଧ୍ୟରେ କେବଳ ଓଡ଼ିଶାରେ ୨୦ଲକ୍ଷ ଗାଡ଼ି ସ୍ଥାୟୀ ଭାବେ ଆର୍କାଇଭ୍ ଚାଲିଗଲାଣି । ଅର୍ଥାତ ଏହି ୨୦ଲକ୍ଷ ଗାଡ଼ିର ଆର୍ସି (ପଞ୍ଜୀକରଣ ସାର୍ଟିଫିକେଟ୍) ବାତିଲ କରିଦିଆଯାଇଛି । ଫଳରେ ଏହି ଗାଡ଼ି ରାସ୍ତାରେ ଚାଲିବା ପାଇଁ ଆଉ ବୈଧ ହୋଇନାହିଁ ।
କିନ୍ତୁ ସାଂଘାତିକ କଥା ହେଉଛି, ଗାଡ଼ି ଗୁଡ଼ିକର ପଞ୍ଜୀକରଣକୁ ସ୍ଥାୟୀ ଭାବେ ବାତିଲ୍ କରି ଦିଆଯାଉଥିଲା ବେଳେ ଏ ସମ୍ପର୍କରେ ଗାଡ଼ି ମାଲିକମାନେ କିଛି ବି ଜାଣିପାରୁନାହାନ୍ତି । ସେମାନଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଗାଡ଼ି ମାଲିକଙ୍କ ଅଜ୍ଞାତରେ ସେମାନଙ୍କ ଗାଡ଼ି ଆଉ ଚାଲିବା ଯୋଗ୍ୟ ନାହିଁ । ଯେତେବେଳେ ଯାଞ୍ଚ୍ ବେଳେ ଏହି ଗାଡ଼ି ଧରାପଡ଼ିବ ସେତେବେଳେ ଗାଡ଼ି ମାଲିକମାନେ ଜାଣିବେ ଯେ, ସେମାନଙ୍କ ଗାଡ଼ିର ଆର୍ସି ବାତିଲ୍ ହୋଇସାରିଛି । ସେତେବେଳେ ସେମାନେ ଜରିମାନା ଗଣିବେ । ପୁରୁଣା ଗାଡ଼ିର କାଗଜପତ୍ର ନବୀକରଣ କରିବା ସହଜ ହେବ ନାହିଁ । ଫଳରେ ସେମାନେ ନୂଆ ଗାଡ଼ି କିଣିବା ପାଇଁ ବାଧ୍ୟ ହେବେ । ତେଣୁ ଏଭଳି ନିୟମ ଦ୍ୱାରା ଗାଡ଼ି ତିଆରି କରୁଥିବା କମ୍ପାନୀ ଲାଭବାନ ହେବେ ଓ ଲୋକେ ଖର୍ଚ୍ଚାନ୍ତରେ ପଡ଼ିବେ ବୋଲି ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ରାଜ୍ୟରେ ଆଉ ୩୦ଲକ୍ଷ ଗାଡ଼ି ବର୍ତ୍ତମାନ ଅସ୍ଥାୟୀ ଆର୍କାଇଭ୍କୁ ଚାଲିଗଲେଣି । ଅର୍ଥାତ ଏହିସବୁ ଗାଡ଼ିର ମାଲିକ ଯଦି ବର୍ଷେ ଦୁଇବର୍ଷ ମଧ୍ୟରେ ଯଦି ସେମାନଙ୍କ ଡକ୍ୟୁମେଣ୍ଟ୍ର ନବୀକରଣ ନକରନ୍ତି ସେମାନଙ୍କ ଆର୍ସି ମଧ୍ୟ ବାତିଲ କରିଦିଆଯିବ ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଉଭୟ ଘରୋଇ ଏବଂ ବାଣିଜ୍ୟିକ ଗାଡ଼ି ସଂଖ୍ୟା ପ୍ରାୟ ୧ କୋଟି ୧୦ ଲକ୍ଷ । ବାଣିଜ୍ୟିକ ଗାଡ଼ିର ପ୍ରାୟ କାଗଜପତ୍ର ଠିକ୍ ରହିଥାଏ । କାରଣ ବ୍ୟବସାୟିକ ବ୍ୟବହାର କାରଣରୁ ସେମାନେ ରାସ୍ତାକୁ ଆସିଲେ ଗାଡ଼ିର କାଗଜପତ୍ର ପ୍ରାୟ ଠିକ୍ ରଖିବାକୁ ଚେଷ୍ଟା କରନ୍ତି । ଯେଉଁମାନେ କାଗଜପତ୍ର ଦେଖାଇ ନପାରନ୍ତି ସେମାନଙ୍କୁ ଜରିମାନା ଆଦିର ସାମ୍ନା କରିବାକୁ ପଡ଼େ । ତଥାପି ରାଜ୍ୟରେ ୩୦% ବାଣିଜ୍ୟିକ ଗାଡ଼ିର କାଗଜପତ୍ର ନାହିଁ । କିନ୍ତୁ ବହୁ ଘରୋଇ ଗାଡ଼ି ବିନା କାଗଜପତ୍ରରେ ଚାଲୁଛନ୍ତି । କାହାର ଇନ୍ସ୍ୟୁରାନ୍ସ ନଥାଏ ତ ଆଉ କାହାର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ନଥାଏ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୧ କୋଟି ୧୦ ଲକ୍ଷ ଗାଡ଼ି ଭିତରୁ ମାତ୍ର ୪୦ଲକ୍ଷ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରହିଛି । ବାକି ସବୁ ଗାଡ଼ିରେ କିଛି ନା କିଛି ଡକ୍ୟୁମେଣ୍ଟ ତ୍ରୁଟି ରହିଛି । କେବଳ ୬୫ଲକ୍ଷ ଗାଡ଼ିର ଇନସ୍ୟୁରାନ୍ସ ନଥିବା ଜଣାପଡ଼ିଛି । ବହୁ ଗାଡ଼ିମାଲିକ ସେମାନଙ୍କ ଗାଡ଼ି ପଞ୍ଜୀକରଣ ଅବଧି ୧୫ବର୍ଷ ପୂରଣ ହୋଇଗଲା ପରେ ଆଉ ନବୀକରଣ ବା ରିନ୍ୟୁ କରୁନାହାନ୍ତି ।
ଗାଡ଼ି ପୃଥକୀକରଣ ନୀତି ବା ଭେଇକିଲ୍ କ୍ଲାସିଫେିକେସନ୍ ନୀତି ଆଣିଛନ୍ତି କେନ୍ଦ୍ର ସରକାର । ଏହି ନୀତି ଅନୁସାରେ ଗାଡ଼ିଗୁଡ଼ିକୁ ଏହାର ସ୍ଥିତି ତଥା କଣ୍ଡିସନ୍ ଆଧାରରେ ଚାରିଟି ଭାଗରେ ବିଭକ୍ତ କରାଯାଇଛି । ଅର୍ଥାତ ଗାଡ଼ିର କାଗଜପତ୍ର ସ୍ଥିତି ଆଧାରରେ ସେଗୁଡ଼ିକର ବର୍ଗୀକରଣ କରାଯାଉଛି । କେନ୍ଦ୍ର ସରକାରଙ୍କ ଏହି ଜନମାରଣ ନୀତିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ର ିୟା ପ୍ରକାଶ ପାଇଛି ।
ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ, ଏହା କେନ୍ଦ୍ର ସରକାରଙ୍କ ନିୟମ । ଏଥିରେ ରାଜ୍ୟ ପରିବହନ ବିଭାଗର କୌଣସି କ୍ଷମତା ନାହିଁ । କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ବାହାନ ଡାଟାବେସ୍ରୁ ପ୍ରତ୍ୟେକ ଗାଡ଼ିର ତଥ୍ୟ ନିଆଯାଇ ଉକ୍ତ ଗାଡ଼ିର କେଉଁ ଡକ୍ୟୁମେଣ୍ଟର କେବେ ଅବଧି ଶେଷ ହୋଇଛି ଏବଂ କେତେବର୍ଷ ଧରି ଉକ୍ତ ଡକ୍ୟୁମେଣ୍ଟର ନବୀକରଣ କରାଯାଇ ନାହିଁ ତାହା ଯାଞ୍ଚ୍ କରାଯାଉଛି । ଏହି ଯାଞ୍ଚ୍ ପରେ କେଉଁ ଗାଡ଼ି ସ୍ଥାୟୀ ଆର୍କାଇଭ୍କୁ ଯିବ ଏବଂ କେଉଁ ଗାଡ଼ି ଅସ୍ଥାୟୀ ଆର୍କାଇଭ୍କୁ ଯିବ ତାହା ସେମାନେ ସ୍ଥିର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆମେ ରାଜ୍ୟର ଜନସାଧାରଣଙ୍କୁ ଅନୁରୋଧ କରୁଛି କି’ କାର୍ଯ୍ୟାନୁଷ୍ଠାନ ନିଆଯିବା ପୂର୍ବରୁ ସେମାନେ ନିଜନିଜ ଗାଡ଼ିର କାଗଜପତ୍ର ଠିକ୍ କରାଇନିଅନ୍ତୁ ।
ସୌଜନ୍ୟ ପ୍ରମେୟ




