Rakhi Purnima 2026 : ମହାପ୍ରଭୁଙ୍କ ପାଇଁ ବାସୁଙ୍ଗା ପାଟରେ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର ରାକ୍ଷୀ, ଗହ୍ମା ପୂର୍ଣ୍ଣିମାରେ ହେବ ଲାଗି

ପୁରୀ, ୨୭/୮ : ରାକ୍ଷୀ ପିନ୍ଧିବେ ମହାବାହୁ । ସେବାୟତଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନାଲି, ନୀଳ, ହଳଦିଆ ଓ ବାଇଗଣୀ ରଙ୍ଗରେ ରାକ୍ଷୀ ପ୍ରସ୍ତୁତ ହୋଇଛି । ଗହ୍ମା ପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ସ୍ୱତନ୍ତ୍ର ବାସୁଙ୍ଗା ପାଟ ଶାଢ଼ିରେ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ରାକ୍ଷୀ ପାଟରା ବିଶୋଇ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି । ଗହ୍ମା ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ନୀତି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କଠାରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ବିଧି ମୁତାବକ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଟି ଓ ଶ୍ରୀ ବଳଭଦ୍ର ଦୁଇଟି ଲେଖାଏଁ ରାକ୍ଷୀ ପରିଧାନ କରିଥାନ୍ତି । ଏଥିସହ ହାତରେ ଦୁଇଟି ଲେଖାଏଁ ଗୁଆର ମାଳ ପରିଧାନ କରି ରାକ୍ଷୀ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ ଦେବେ ଠାକୁର ।
ସେହିଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ବିଧି ଅନୁସାରେ ଚିତାଲାଗି ଅମାବାସ୍ୟାଠାରୁ ମହାପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ । ମହାପ୍ରଭୁଙ୍କ ରାକ୍ଷୀ ତିଆରି କରୁଥିବା ସ୍ୱତନ୍ତ୍ର ସେବକ ପାଟରା ବିଶୋଇ ସେବକ ନିଜ ବାସଗୃହରେ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି । ପାଟରା ବିଶୋଇ ସେବକ ସନ୍ତୋଷ କୁମାର ପାତ୍ର କୁହିଛନ୍ତି, ମହାପ୍ରଭୁଙ୍କ ରାକ୍ଷୀ ସେ ନିଜେ ହିଁ ତିଆରି କରିଥାନ୍ତି । ଆମେ ନିମିତ୍ତ ମାତ୍ର । ମହାପ୍ରଭୁଙ୍କ ସେବା କରିବା ପାଇଁ ଆମକୁ ସୁଯୋଗ ମିଳିଥିବାରୁ ଆମେ ନିଜକୁ ଧନ୍ୟ ମନେକରୁଛୁ । ଏହି ସେବା ଆମର ପାରିବାରିକ ସେବା । ପିଢ଼ି ପରେ ପିଢ଼ି ଏହି ସେବା ଆମେ କରିଆସୁଛୁ ।
ରାକ୍ଷୀ ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟରା ବିଶୋଇ ସେବକଙ୍କୁ ଆବଶ୍ୟକ ପରିମାଣର ବାସୁଙ୍ଗା ପାଟ ଯୋଗାଇ ଦିଆଯାଏ । ଏହାକୁ ପ୍ରାକୃତିକ ରଙ୍ଗରେ ବୁଡ଼ାଇ ଖରାରେ ଶୁଖା ଯାଇଥାଏ । ହଳଦିଆ, ନାଲି, ନୀଳ ଓ ବାଇଗଣୀ ରଙ୍ଗରେ ବାସୁଙ୍ଗା ପାଟକୁ ରଙ୍ଗିନ କରାଯିବା ପରେ ତାକୁ ନିର୍ଦ୍ଦିଷ୍ଟ ମାପରେ କଟାଯାଇ ଗୋଲେଇ ଆକାରରେ ପ୍ରସ୍ତୁତ କରାଯାଇଥାଏ । କାଠ ପାନିଆରେ ଏହାକୁ ସାଇଜ କରାଯାଇ ୫ ଥାକିଆ ରାକ୍ଷୀ ପ୍ରସ୍ତୁତ କରାଯାଏ । ବାସୁଙ୍ଗା ପାଟରେ ଡୋରି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଏଥି ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ପ୍ରଭୁ ଶ୍ରୀବଳଭଦ୍ର ନୀଳ ଓ ବାଇଗଣୀ ରଙ୍ଗର ଗୁଅମାଳ ପରିଧାନ କରିଥାନ୍ତି । ବାସୁଙ୍ଗା ପାଟରେ ଛୋଟ ରାକ୍ଷୀ ମଧ୍ୟ ପ୍ରସ୍ତୁତ ହୁଏ । ଯାହା ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ୱ ଦେବଦେବୀଙ୍କୁ ଲାଗି କରାଯାଇଥାଏ ।
ସୌଜନ୍ୟ ପ୍ରମେୟ




