Diba Pahuda : ୧୫ ବର୍ଷ ହେବ ନିୟମିତ ହେଉନି ମହାପ୍ରଭୁଙ୍କ ଦିବା ପହୁଡ଼, ଶାସ୍ତ୍ରୀୟ ନୀତି ନିୟମକୁ ଜଳାଞ୍ଜଳି

ପୁରୀ, ୨୭/୮ : ଶାସ୍ତ୍ରୀୟ ପରମ୍ପରା, ନୀତି, ନିୟମକୁ ଜଳାଞ୍ଜଳି ଦେଇଦେଲା ପ୍ରଶାସନ । ରେକର୍ଡ ଅଫ୍ ରାଇଟ୍ସକୁ ବି ଉଲ୍ଲଙ୍ଘନ କରୁଛି ପ୍ରଶାସନ । ମହାପ୍ରଭୁଙ୍କ ନୀତି ପାଳନରେ ଜାଣିଶୁଣି ଏଭଳି ଅକ୍ଷମଣୀୟ ତ୍ରୁଟି କରିଚାଲିଛି । ଏହା ଜାଣି ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନିରବ । ଦୈନିକ ମଧ୍ୟାହ୍ନ ଧୂପ ପରେ ଦିବା ପହୁଡ଼ ବା ମଧ୍ୟାହ୍ନ ପହୁଡ଼ କରାଯାଇଥାଏ । ମଧ୍ୟାହ୍ନ ଭୋଗ ଖାଇ କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଟିକିଏ ବିଶ୍ରାମ ନିଅନ୍ତି । ହେଲେ ଏହି ମଧ୍ୟାହ୍ନ ପହୁଡ଼ ନୀତିକୁ ପ୍ରଶାସନ ପ୍ରାୟ ୧୫ବର୍ଷ ହେବ ନିୟମିତ ପାଳନ କରୁନି । ଯାହାକୁ ନେଇ ବରିଷ୍ଠ ସେବାୟତ ଓ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହି ନୀତି ହେବା ନିୟମ ଥିଲେ ମଧ୍ୟ ପ୍ରାୟ ପାଳନ ନହେବା ପଛରେ ପ୍ରଶାସନର ଅପରାଗତା ବୋଲି ଅଭିଯୋଗ କରିଛନ୍ତି ଆଇନଜୀବୀ ବିଶ୍ୱନାଥ ଦାଶ । ସେ କହିଛନ୍ତି, ବର୍ଷକ ଭିତରେ କାର୍ତ୍ତିକ ମାସ ଓ ଧନୁ(ପହିଲି ଭୋଗ) ମାସରେ ଦିନେ କିମ୍ବା ଦୁଇଦିନ ଦିବା ପହୁଡ଼ ବିଧି ରଖିବାକୁ କରାଯାଉଛି । ଯଥା ସମୟରେ ଶ୍ରୀମନ୍ଦିରରେ ଅନ୍ୟ ନୀତିଗୁଡ଼ିକ ସମ୍ପନ୍ନ କରିବାରେ ପ୍ରଶାସନ ବିଫଳ ହେବା ଏହାର କାରଣ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ବରିଷ୍ଠ ସେବାୟତ ସୁନୀଲ ପୂଜାପଣ୍ଡା କହିଛନ୍ତି, ଦିବା ପହୁଡ଼ ହେଲେ ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଓ ବେହରଣ ଦ୍ୱାର ବନ୍ଦ କରାଯାଏ । ମହାପ୍ରଭୁ ସାଧାରଣ ଓଡ଼ିଆଟିଏ ଭଳି ମଧ୍ୟାହ୍ନ ଭୋଜନ କରି ଟିକିଏ ବିଶ୍ରାମ ନିଅନ୍ତି । ଦିବା ପହୁଡ଼ ନିର୍ଦ୍ଧାରିତ ସମୟ ଅପରାହ୍ଣ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ହୋଇଥାଏ । ହେଲେ ପ୍ରଶାସନିକ ଦାୟିତ୍ୱହୀନତାରୁ ବର୍ଷ ବର୍ଷ ଧରି ଏହି ନୀତି ନିୟମିତ ପାଳନ ହୋଇପାରୁନି । ଏହାଛଡ଼ା ଶାସ୍ତ୍ରୀୟ ବ୍ୟବସ୍ଥା କିମ୍ବା ରେକର୍ଡ ଅଫ୍ ରାଇଟ୍ସ ଅଧାରରେ ମଧ୍ୟ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ନୀତି କରାଯାଉନି ।
ସୌଜନ୍ୟ ପ୍ରମେୟ




