College Union Elections: ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ଅନିଶ୍ଚିତତା: ସରକାରଙ୍କୁ ଏବିଭିପିର ଦାବିପତ୍ର, କଂଗ୍ରେସ ଓ ବିଜେଡ଼ିର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର,୨୭/୦୮: ଚଳିତ ଶିକ୍ଷାବର୍ଷ(୨୦୨୬-୨୭) ଆରମ୍ଭ ହୋଇଯାଇଛି । ଉଭୟ ସ୍ନାତକ(ଯୁକ୍ତ ତିନି) ଓ ସ୍ନାତକୋତ୍ତର (ପିଜି)ରେ ମଧ୍ୟ ପାଠପଢ଼ା ହୋଇଛି । ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଲା ନାହିଁ । ତେବେ ପୂର୍ବ ବର୍ଷ ପରି ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ତାର କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରୁନି ଉଚ୍ଚଶିକ୍ଷା ବିଭାଗ । ଏନେଇ ସରକାର ବିଚାର କରୁଛନ୍ତି କହି ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇବାରେ ଲାଗିଛି । କିନ୍ତୁ ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଆଗକୁ ଆସିଛନ୍ତି ତିନି ପ୍ରମୁଖ ଛାତ୍ର ସଂଗଠନ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଛାତ୍ର ସଂସଦ ନିର୍ବାଚନ ଦାବିରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଜରିଆରେ ସରକାରଙ୍କ ପାଖେ ଦାବିପତ୍ର ପ୍ରଦାନ କରିବା ଆରମ୍ଭ କରିଛି । ସେହିପରି ଛାତ୍ର କଂଗ୍ରେସ ନିଜ ୨ଦିନିଆ ଅହୋରାତ୍ର ଧାରଣା ଦେଇଥିଲା । ଆଗକୁ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଅପରପକ୍ଷେ ବିଜୁ ଛାତ୍ର ଜନତା ଦଳ ମଧ୍ୟ ସମାନ ଘଟଣା ଦୋହରାଇ କହିଛି, ଛାତ୍ର ସଂସଦ ନିର୍ବାଚନ ନହେଲେ ରାଜରାସ୍ତାକୁ ଓହ୍ଲାଇବ । ଏବର୍ଷ ଛାତ୍ର ସଂସଦ ନିର୍ବାଚନ କରିବେ କି ନାହିଁ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି ।
ରାଜ୍ୟରେ ଶେଷ ଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ଏହାପରେ ଫନି ମହାବାତ୍ୟା, କୋଭିଡ୍ ମହାମାରୀ ଆଦି ବିଭିନ୍ନ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି । ବିରୋଧୀ ଦଳ ଆସନରେ ଥିବା ବେଳେ ବିଜେପି ଛାତ୍ର ସଂସଦ ନିର୍ବାଚନ ନେଇ ଦାବି ଉଠାଇ ଆସୁଥିଲା । ବିଜେପି ସରକାର ଆସିବା ପରେ ଛାତ୍ର ନିର୍ବାଚନ ହେବ ବୋଲି ଅନେକ ମନ୍ତ୍ରୀ ଖୋଲା ବୟାନ ରଖିଥିଲେ । ମାତ୍ର ୨୦୨୪ରେ ଛାତ୍ର ସଂସଦ ନିର୍ବାଚନ ହୋଇପାରିଲା ନାହିଁ । ହାତରେ ସମୟ କମ୍ ଥିବା ଦର୍ଶାଇ ସରକାର ନିର୍ବାଚନ କଲେ ନାହିଁ । ହେଲେ ଗତବର୍ଷ ନିର୍ବାଚନ ନିଶ୍ଚିତ ହେବ ବୋଲି କୁହାଯାଉଥିଲା । କିନ୍ତୁ ଏଯାଏ ଛାତ୍ର ସଂସଦ ନିର୍ବାଚନ କଲେ ନାହିଁ । ତେବେ ଏବର୍ଷ ମଧ୍ୟ କରିବେ ନାହିଁ ଭୟ କେବଳ ଛାତ୍ର ଅସନ୍ତୋଷ ଏପରି କହି ବର୍ଷିଛନ୍ତି ଉଭୟ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ।
ସୌଜନ୍ୟ ପ୍ରମେୟ




