Capital: ରାଜଧାନୀ: ସାଢ଼େ ୪ବର୍ଷରେ ୨୦୪୨ ଆତ୍ମହତ୍ୟା
ଗତ ସାଢ଼େ ୪ବର୍ଷ ମଧ୍ୟରେ ଭୁବନେଶ୍ୱରରେ ପ୍ରାୟ ୨୦୪୨ଜଣ ଆତ୍ମହତ୍ୟା କରିବା ପରି ଏକ ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ବଦଳୁଥିବା ଜୀବନଶୈଳୀ, ଅତ୍ୟଧିକ ମାନସିକ ଚାପ, ଆର୍ଥିକ ଅନଟନ, ଅବସାଦ ଏବଂ ପାରିବାରିକ ସମସ୍ୟା

ଭୁବନେଶ୍ବର: ଗତ ସାଢ଼େ ୪ବର୍ଷ ମଧ୍ୟରେ ଭୁବନେଶ୍ୱରରେ ପ୍ରାୟ ୨୦୪୨ଜଣ ଆତ୍ମହତ୍ୟା କରିବା ପରି ଏକ ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ବଦଳୁଥିବା ଜୀବନଶୈଳୀ, ଅତ୍ୟଧିକ ମାନସିକ ଚାପ, ଆର୍ଥିକ ଅନଟନ, ଅବସାଦ ଏବଂ ପାରିବାରିକ ସମସ୍ୟା ଭଳି ିଭିନ୍ନ କାରଣ ପାଇଁ ଲୋକେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଏହା କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପରିବାର ପାଇଁ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଛି। ଭୁବନେଶ୍ବର ସହରାଞ୍ଚଳ ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୨ ମସିହାରେ ୪୧୭ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ ମସିହାରେ ୪୨୭ଜଣ, ୨୦୨୪ ମସିହାରେ ୪୯୮ଜଣ, ୨୦୨୫ମସିହାରେ ୫୦୦ଜଣ ଆତ୍ମହତ୍ୟା କରିଛନ୍ତି। ଆଉ ଚଳିତବର୍ଷ ୬ମାସ ସୁଦ୍ଧା ଏହି ସଂଖ୍ୟା ୨୦୦ ଅତିକ୍ରମ କରିଛି।
ଦୀର୍ଘକାଳୀନ ମାନସିକ ଅବସାଦ ଆତ୍ମହତ୍ୟାର କାରଣ: ମନସ୍ତତ୍ତ୍ବବିତ୍
ପ୍ରତିବର୍ଷ ଏହି ତାଲିକାରେ ସଂଖ୍ୟା ଉପରମୁହାଁ ହେଉଛି। ଅପରପଟେ ଆତ୍ମହତ୍ୟା ପ୍ରବଣତା ଦୂରୀକରଣ ପାଇଁ ସରକାର ମାଳମାଳ ଯୋଜନା ସାଙ୍ଗକୁ ୨୪ଘଣ୍ଟିଆ ‘ଟେଲି ମାନସ’ ହେଲ୍ପଲାଇନ୍ ନମ୍ବର୍ ଜାରି କରିଛନ୍ତି। ମାତ୍ର ତାହା ପର୍ଯ୍ୟାପ୍ତ ହେଉନାହିଁ। ଏହା ଆତ୍ମହତ୍ୟା ରୋକିବାରେ ବିଶେଷ ଫଳପ୍ରଦ ହେଉନଥିବା ଏହି ତଥ୍ୟରୁ ଜଣାପଡ଼ିଛି। ସେହିଭଳି ପାଠପଢ଼ା ଓ କ୍ୟାରିୟର୍କୁ ନେଇ ସଦାବେଳେ ଚିନ୍ତାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାର ‘ସୁରକ୍ଷିତ ଅଭିଯାନ’ ଯୋଜନା ମଧ୍ୟ କରିଛନ୍ତି। ଉଚ୍ଚଶିକ୍ଷା ପ୍ରତିଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ରୋକିବା ପାଇଁ ଏହି ଯୋଜନା ପ୍ରଣୟନ ହୋଇଛି। ମାତ୍ର ଅନେକ ବେସରକାରୀ ଅନୁଷ୍ଠାନମାନଙ୍କରେ ଏସବୁ ଠିକ୍ ଭାବେ ପାଳନ କରାଯାଉନାହିଁ। ଯେଉଁଥିପାଇଁ ଆତ୍ମହତ୍ୟାର ଏହି ତାଲିକାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଛି ସିନା କମୁନାହିଁ।
ସୌଜନ୍ୟ ସମ୍ବାଦ




