ଦେଶ ବିଦେଶ

ତିବ୍ବ୍‌ତରେ ପୁଣି ଭାଙ୍ଗିଲା ହ୍ରଦ; ଖାଲି କରାଗଲା ଗାଁ ; ଶୁଖୁନି ଲୁହ, ଥମୁନି କୋହ

କାଠମାଣ୍ଡୁ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନେପାଳ ପ୍ରକୃତି କୋପର ଶିକାର ହୋଇଛି। ଅଚାନକ ଆସିଥିବା ବନ୍ୟା ସବୁଜ ଭୂମିକୁ ଧୂମିଳ କରିଦେଇଛି। ରୌଦ୍ରରୂପ ଧାରଣ କରି, ଗର୍ଜନ କରି ମାଡ଼ି ଆସିଥିବା ପାହାଡ଼ୀ ବନ୍ୟା ଜୀବନ ଓ ଜୀବିକାକୁ ନିମିଷକ ମଧ୍ୟରେ ଛାରଖାର କରିଦେଇଛି। ଆଖି ପିଛୁଳାକେ ହସୁଥିବା ସଂସାରକୁ ହଜାଇ ଦେଇଛି। ମଣିଷ ସଜାଗ ହୋଇ ନିଜକୁ ସମ୍ଭାଳିବା ଆଗରୁ ସର୍ବସ୍ବାନ୍ତ ହୋଇଯାଇଛି। ପ୍ରଳୟଙ୍କରୀ ବନ୍ୟା ସିନା ଚାଲି ଯାଇଛି, ହେଲେ ପରର ସ୍ଥିତି ଦାରୁଣ ଦୁଃଖ ଆଣିଛି। ରାସ୍ତାଘାଟ, ପୋଲ, ଜଳବିଦ୍ୟୁତ ପ୍ରକଳ୍ପ ଧ୍ବଂସ ହୋଇଯାଇଛି। କିଛି ଗାଁ ସମ୍ପୂର୍ଣ୍ଣ ଭାସି ଯାଇଛି। କିଏ ବାପାମାଆଙ୍କୁ ହରାଇଛି ତ ଆଉ କିଏ ଭାଇଭଉଣୀଙ୍କୁ ଖୋଜିବା ପାଇଁ କାଦୁଅ ଭିତରେ ପଶୁଛି। ଖାଇବା ପିଇବାକୁ ନ ପାଇ ଲୋକେ ଭୋକ ଉପସାରେ ପ୍ରିୟଜନଙ୍କୁ ଖୋଜୁଛନ୍ତି। ଉଦ୍ଧାର କେନ୍ଦ୍ର ଆଗରେ ଲମ୍ବା ଧାଡ଼ି ଲାଗିଛିି। ଫଟୋ ଦେଖି ଲୋକେ ନିଜ ସମ୍ପର୍କୀୟଙ୍କୁ ଚିହ୍ନଟ କରୁଛନ୍ତିି। ସେପଟେ ଉଦ୍ଧାରକାରୀ ଦଳ କାଦୁଅ ମଧ୍ୟରୁ ଜୀବନ ଖୋଜୁଛି। ନେପାଳ ସୁରକ୍ଷାକର୍ମୀ ଦିନରାତି ଏକ କରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ଆଜି ରାତି ସୁଦ୍ଧା ଜଳ ପ୍ରଳୟ ଜନିତ ମୃତ୍ୟୁସଂଖ୍ୟା ୫୭୯କୁ ବୃଦ୍ଧି ପାଇଛି। ନେପାଳର କେବଳ ୮ ଜିଲାରୁ ୫୩୮ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ୨୦୦୦ରୁ ଅଧିକ ନାଗରିକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୩୨୦ ଭାରତୀୟଙ୍କ ସମେତ ୩୦ ଦେଶର ନାଗରିକ ସାମିଲ ଅଛନ୍ତି। କିଏ ଟ୍ରାକିଂ ପାଇଁ ତ ଆଉ ତୀର୍ଥଯାତ୍ରା, ଚାକିରି, ବୁଲିବାକୁ ନେପାଳ ଯାଇଥିଲେ। ୩୨୦ ଭାରତୀୟଙ୍କ ମଧ୍ୟରେ ୧୦୦ ଜଣ ଭାରତୀୟ ବଂଶୋଦ୍ଭବ ସାମିଲ ରହିିଛନ୍ତି। ଅଧିକାଂଶ ନାଗରିକ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ। ଏମାନଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ ହୋଇପାରି ନାହିଁ। ନେପାଳ ଗସ୍ତରେ ଯାଇଥିବା ଭାରତୀୟଙ୍କ ଲାଗି ତାଙ୍କ ପରିବାର ସଦସ୍ୟ ମଙ୍ଗଳ ମନାସୁଛନ୍ତି। ପୁଅଝିଅଙ୍କ ଫେରିବା ବାଟକୁ ଚାହିଁ ପରିବାର
ସଦସ୍ୟ ଅପେକ୍ଷା କରି ରହିଛନ୍ତି। କୋଉଠି ଥିବେ, କ’ଣ କରୁଥିବେ ଭାବି ନାନା ଆଶଙ୍କାରେ କାଳ କାଟୁଛନ୍ତି। ତୃତୀୟ ଦିନର ଉଦ୍ଧାର କାର୍ଯ୍ୟରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨ ବର୍ଷର ଶିଶୁଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅବଶେଷ ତଳେ ଫସି ରହିଥିବାରୁ ଶିଶୁଟି କାନ୍ଦୁଥିଲା। ତା ଶରୀରରେ କ୍ଷତର କୌଣସି ଚିହ୍ନ ନାହିଁ। ଡାକ୍ତରଖାନାରେ ତାର ଚିକିତ୍ସା ଜାରି ରହିଛି। ସେହିପରି ଏବେ ସୁଦ୍ଧା ୧୫୪୫ରୁ ଊର୍ଦ୍ଧ୍ବ ଆହତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ପାହାଡୀ ବନ୍ୟା ଆଣିଥିବା ବିପର୍ଯ୍ୟୟ ଛନକା ସୃଷ୍ଟି କରିଥିବାବେଳେ ଉପରମୁଣ୍ଡରେ ପୁଣି ନୂଆ ବିପଦ ସୃଷ୍ଟି ହୋଇଛି। ନେପାଳ-ତିବବତ ସୀମା ନିକଟରେ ଆଉ ଏକ ହ୍ରଦ ଭାଙ୍ଗି ଯାଇଛି। ଏହାକୁ ଦେଖି ଭୋଟେକୋଶୀ , ତ୍ରିଶୁଳୀ ଓ ନାରାୟଣୀ ନଦୀ କୂଳରେ ଥିବା ଗାଁ ଗୁଡ଼ିକୁ ଖାଲି କରିଦିଆଯାଇଛି। ନେପାଳ ସେନା ଓ ସୁରକ୍ଷାକର୍ମୀ ଲୋକଙ୍କୁ ନଦୀ କୂଳରୁ ହଟାଇ ସୁରକ୍ଷିତ ସ୍ଥାନକୁ ନେଇଯାଇଛି। ଏବେ ନେପାଳ ପାଇଁ ଚୀନ ଚାରି ନମ୍ବର ବିପଦ ସତର୍କତା ଜାରି କରିଛି। ଉପରମୁଣ୍ଡରେ ପୁଣି ହ୍ରଦ ସୃଷ୍ଟି ହୋଇଥିବା କହିଛି। ବନ୍ୟା ବିପଦକୁ ଦେଖିବା ପରେ ଆଜି ଉଦ୍ଧାରକାର୍ଯ୍ୟକୁ ବନ୍ଦ କରିଦିଆଯାଇଥିଲା। ମାତ୍ର ତିନି ଘଣ୍ଟା ପରେ ପୁଣି ଏହା ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ, ଉପର ମୁୁଣ୍ଡରେ ସୃଷ୍ଟି ହୋଇଥିବା ଏହି ହ୍ରଦର ପାଣି ୨୫ ଲକ୍ଷ କ୍ୟୁବିକ ମିଟରକୁ ବୃଦ୍ଧି ପାଇଥିଲା। ଏହା ଉଛୁଳି ତ୍ରିଶୁଳୀ ନଦୀରେ ପହଞ୍ଚି ଥିଲା। ଏହା ପରେ ଉଦ୍ଧାରକାରୀ ଦଳକୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଥିଲା। ଏହା ମଧ୍ୟରେ ସ୍ଥିତିକୁ ଦେଖି ନେପାଳ ସରକାର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି ଯେ ବୁଧବାର ବନ୍ୟା ଆସିଥିବା ଅଞ୍ଚଳରେ ପୁଣି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପୁଣି ବନ୍ୟା ଆସିବାର ବିପଦ ରହିଛି।
ବୁଧବାର ଆସିଥିବା ବନ୍ୟା ତିବବତରେ ୫ ଜଣଙ୍କ ଜୀବନ ନେଇଛି। ୫୫୮ ଜଣ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୬୦ ବିଦେଶୀ ନାଗରିକ ସାମିଲ ଅଛନ୍ତି। ସେପଟେ ନେପାଳ ସରକାର ନିଖୋଜ ୫୩୭ ବିଦେଶୀ ନାଗରିକଙ୍କ ତାଲିକା ଜାରି କରିିଛନ୍ତି। ଏମାନଙ୍କ ମଧ୍ୟରେ ୧୭୮ ଭାରତୀୟ, ୬୫ ଆମେରିକୀୟ, ୫୩ ୟୁକ୍ରେନୀୟ, ମାଲେସିଆର ୫୧ ଜଣ, ଅଷ୍ଟ୍ରେଲିଆର ୩୩ ଜଣ ଓ ବ୍ରିଟେନର ୩୩ ନାଗରିକ ସାମିଲ ଅଛନ୍ତି। ଏମାନଙ୍କର କୌଣସି ଖୋଜ ଖବର ମିଳିନାହିଁ। ସ୍ଥିତିକୁ ଦେଖି ଭାରତ ଓ ଚୀନ ସମେତ ଅନେକ ଦେଶ ଉଦ୍ଧାରକାର୍ଯ୍ୟରେ ସାମିଲ ହେବା ପାଇଁ ଯବାନ ଓ ହେଲିକପ୍ଟର ପଠାଇବାକୁ ନେପାଳ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ରିଲିଫ ସାମଗ୍ରୀ ନେଉଥିବା ନେପାଳ ଏହି ସହାୟତା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛି। ବାଲେନ ଶାହାଙ୍କ ନେତୃତ୍ବାଧୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶର ସୁରକ୍ଷା ଏଜେନ୍ସି ଗୁଡ଼ିକ ଉଦ୍ଧାରକାର୍ଯ୍ୟ ଚଳାଇବାରେ ସକ୍ଷମ। ବିଦେଶୀ ନାଗରିକଙ୍କ ସନ୍ଧାନ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ତେବେ ଉଦ୍ଧାରକାର୍ଯ୍ୟରେ ସହାୟତାକୁ ମନା କରିବା ପଛରେ ପୂର୍ବ ସ୍ଥିତିକୁ ଉଦାହରଣ ଭାବେ ଦିଆଯାଇଛି। ବିଦେଶୀ ଉଦ୍ଧାରକାରୀ ଦଳଙ୍କ ମଧ୍ୟରେ ତାଳମେଳ ରହିବା କଠିନ ବୋଲି କୁହାଯାଉଛି। ଏଥିଯୋଗୁଁ ନେପାଳ ସହାୟତା ପାଇଁ ମନା କରିଦେଇଛି। ପୂର୍ବରୁ ୨୦୧୫ରେ ଆସିଥିବା ଭୂକମ୍ପ ସମୟରେ ଉଦ୍ଧାରକାର୍ଯ୍ୟ ପାଇଁ ଅନ୍ୟ ଦେଶଙ୍କ ମଧ୍ୟରେ ପ୍ରତିିଯୋଗିତା ହୋଇଥିଲା। ଏଥିପାଇଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେବେ ନେପାଳ ସରକାର କିଛି ଘଣ୍ଟା ମଧ୍ୟରେ ଏହି ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ବିଦେଶୀ ରାଷ୍ଟ୍ରଙ୍କ ଠାରୁ ସୀମିତ ସହାୟତା ନେବାକୁ ରାଜି ହୋଇଛନ୍ତି। ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଏବଂ ଅନ୍ୟ ଜଟିଳ ଉଦ୍ଧାର କାର୍ଯ୍ୟରେ ସହାୟତା ନିଆଯିବ ବୋଲି ନେପାଳ ସରକାରଙ୍କ ପକ୍ଷରୁ କୁହାଯାଇଛି।
ନେପାଳ ପର୍ଯ୍ୟଟନ ବୋର୍ଡର ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୨୧ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଗଲାଣି। ଏମାନଙ୍କ ମଧ୍ୟରେ ୮୫ ଜଣ ଭାରତୀୟ, ଚୀନର ୧୬ ଜଣ, ଦକ୍ଷିଣ କୋରିଆର ୨ ଜଣ, ଆମେରିକା ଓ ରୁଷ ୨ ଜଣ ଲେଖାଏଁ ନାଗରିକ ସାମିଲ ଅଛନ୍ତି। ସେ ପଟେ ନେପାଳରେ ବନ୍ୟା ଆସିବା ପରେ ଚୀନରେ ୪୦୦ ଭାରତୀୟ ନାଗରିକ ଫସି ରହିଛନ୍ତି। ଏମାନଙ୍କ ସହ ଯୋଗାଯୋଗ କରାଯାଇଛି। ସମସ୍ତେ ସୁରକ୍ଷିତ ଅଛନ୍ତି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ଯେ ଫସିଥିବା ନାଗରିିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ରାସ୍ତା ଖୋଲିବା ପରେ ଏମାନଙ୍କୁ ଭାରତ ଅଣାଯିବ।
ଏହାରି ମଧ୍ୟରେ ନେପାଳ ବୁଲିବାକୁ ଯାଇଥିବା ଛତିଶଗଡ଼ ଅମ୍ବିକାପୁରର ବିଜେପି ନେତା କରତା ରାମ ଗୁପ୍ତାଙ୍କ ଝିଅ ଡ. ମୀନା ଗୁପ୍ତା ନିଖୋଜ ଅଛନ୍ତି। ସେ ନିଜର ୮୦ ଜଣିଆ ଦଳ ସହ ନେପାଳ-ତିବବତ ସୀମାର ଇମିଗ୍ରେସନ କେନ୍ଦ୍ରରେ ଥିଲେ। ତାଙ୍କ ଦଳର ସବୁ ସଦସ୍ୟ ନିଖୋଜ ଥିବା ସୂଚନା ମିଳିଛି। ସେପଟେ ନେପାଳରୁ ଉଦ୍ଧାର ହୋଇଥିବା ତାମିଲନାଡୁର ୨୧ ତୀର୍ଥଯାତ୍ରୀ ଭାରତ ଫେରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ତୀର୍ଥଯାତ୍ରୀଙ୍କୁ ଭେଟି ଛାତିଥରା କାହାଣୀ ଶୁଣି ଭାବୁକ ହୋଇ ଯାଇଛନ୍ତି।
ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପାଇଁ ସାମାଜିକ ଗଣମାଧ୍ୟମରେ ଚୀନକୁ ଦୋଷ ଦିଆଯାଉଥିବାବେଳେ ଉପରମୁଣ୍ଡରେ ବରଫ ପାହାଡ ଭାଙ୍ଗିବାରୁ ଏଭଳି ବିପର୍ଯ୍ୟୟ ସୃଷ୍ଟି ହୋଇ ଥାଇପାରେ ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କମ୍ୟୁନିଷ୍ଟ ପାର୍ଟିର ବୈଠକ ଡାକି ତିବବତ-ନେପାଳ ସୀମାରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button