ଜାତୀୟ

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ ମିଳିଥିବାବେଳେ ଆହୁରି ଅନେକ ହଜାର ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ବହୁ ଜନବସତି, ସଡ଼କ, ବ୍ରିଜ୍‌ ଓ ଜଳବିଦ୍ୟୁତ୍‌ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ପୁଣି ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ତଲାସି ଓ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକମାନଙ୍କୁ ସତର୍କ ରହିବାକୁ ଏନ୍‌ଡିଆର୍‌ଆର୍‌ଏମ୍‌ଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଭୋଟେକୋଶୀ ଏବଂ ତ୍ରିଶୂଳୀ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ କୌଣସି ବିପଦର ସମ୍ମୁଖୀନ ହେଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି।
ତିବ୍ବତ ପାର୍ଶ୍ୱରେ ଏକ ନଦୀବନ୍ଧ ପୁଣି ଭାଙ୍ଗିଥିବା ଶୁକ୍ରବାର ସକାଳେ ଖବର ମିଳିବା ପରେ ନେପାଳ ପୋଲିସ ସତର୍କ ସୂଚନା ଜାରି କରିଥିଲା। ତେବେ ତିବ୍ବତରେ କୌଣସି ନଦୀବନ୍ଧ ଭାଙ୍ଗି ନ ଥିବା ସରକାର ପରେ ସ୍ପଷ୍ଟ କରିଥିଲେ। ଗ୍ଲେସିୟର ଧସି ପାଣି ସହ କାଦୁଅ ମିଶି ବିଭିନ୍ନ ସ୍ଥାନରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଥିବା ସରକାରଙ୍କ ମୁଖପାତ୍ର ତଥା ଶିକ୍ଷାମନ୍ତ୍ରୀ ସସ୍ମିତା ପୋଖାରେଲ୍‌ କହିଛନ୍ତି। ତୁରନ୍ତ କୌଣସି ବଡ଼ ବିପଦ ନ ଥିଲେ ମଧ୍ୟ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି।
ନେପାଳ ପୋଲିସର ସୂଚନା ଅନୁଯାୟୀ, ନେପାଳର ୮ ଜିଲାରୁ ମୋଟ ୫୪୭ ମୃତଦେହ ମିଳିଛି। ନଓ୍ବାଲପାରସି ଇଷ୍ଟରୁ ୧୩୪ ମୃତଦେହ ମିଳିଥିବାବେଳେ ଚିଟ୍ବାନରୁ ୨୨୧, ଗୋର୍ଖାରୁ ୪୪ ଏବଂ ନୁଓ୍ବାକୋଟ୍‌ରୁ ୩୮ ମୃତଦେହ ମିଳିଛି। ସେହିପରି ଧାଡ଼ିଙ୍ଗ୍‌ରୁ ୪୦, ଟାନୁରୁ ୨୯, ନଓ୍ବାଲପାରସି ଓ୍ବେଷ୍ଟରୁ ୨୮ ଏବଂ ରାସୁଓ୍ବାରୁ ୧୩ ମୃତଦେହ ମିଳିଛି। ତିବ୍ବତ ସ୍ବୟଂଶାସିତ ଅଞ୍ଚଳର ଗିରୋଙ୍ଗ କାଉଣ୍ଟିରେ ୫ ଜଣ ବନ୍ୟାରେ ପ୍ରାଣ ହରାଇଥିବା ଚାଇନା କର୍ତ୍ତୃପକ୍ଷ କହିଛନ୍ତି। ବୁଧବାର ସକାଳେ ରସୁଓ୍ବା ଓ ଅନ୍ୟ ଜିଲାଗୁଡ଼ିକୁ ବନ୍ୟା ମାଡ଼ିଆସିବାରୁ ଅନୂ୍ୟନ ୯୭୭ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ୫୧୭ ଜଣ ବିଦେଶୀ ପର୍ଯ୍ୟଟକ ଓ ୧୨୭ ନେପାଳୀ ଭ୍ରମଣକାରୀ ଥିଲେ। ବିଭିନ୍ନ ବନ୍ୟାଞ୍ଚଳରୁ ଶୁକ୍ରବାର ସୁଦ୍ଧା ୧,୫୪୫ ଜଣ ଆହତ ଓ ଫସିଥିବା ଲୋକଙ୍କୁ ଉଦ୍ଧାର କରାଗଲାଣି। ସେମାନଙ୍କ ମଧ୍ୟରୁ ୮୪ ଜଣ କାଠମାଣ୍ଡୁର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୮୫ ଭାରତୀୟଙ୍କ ସମେତ ୧୨୧ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ନେପାଳ ପର୍ଯ୍ୟଟନ ବୋର୍ଡ କହିଛି। ତୃତୀୟ ଦିନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସେଥିରେ ୨,୩୯୧ ନେପାଳୀ ସଶସ୍ତ୍ର ସୈନ୍ୟଙ୍କ ସମେତ ମୋଟ ୭,୪୫୧ ସୁରକ୍ଷାକର୍ମୀ ସାମିଲ ହୋଇଛନ୍ତି। ଏଥିସହିତ ଉଦ୍ଧାର କାର୍ଯ୍ୟରେ ବହୁସଂଖ୍ୟାରେ ହେଲିକପ୍ଟର ନିୟୋଜିତ ହୋଇଛି।

ନେପାଳ ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଥିବା ତାମିଲନାଡୁର ୨୧ ଜଣ ଉଦ୍ଧାର ହୋଇ ଗୁରୁବାର କାଠମାଣ୍ଡୁରେ ପହଞ୍ଚତ୍ବା ପରେ ଶୁକ୍ରବାର ସେମାନଙ୍କୁ ଦିଲ୍ଲୀ ଅଣାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଉକ୍ତ ତୀର୍ଥଯାତ୍ରୀମାନଙ୍କୁ ସ୍ବାଗତ କରିଛନ୍ତି। କାଠମାଣ୍ଡୁରେ ଭାରତୀୟ ରାଷ୍ଟ୍ରଦୂତ ସେମାନଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଥିଲେ। ତ୍ରିଶୂଳୀ ଓ୍ବାନ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ୬୩ ଜଣ ଭାରତୀୟଙ୍କୁ ଗୁରୁବାର ଉଦ୍ଧାର କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ୩୨୦ ଭାରତୀୟଙ୍କ ପତ୍ତା ମିଳିନାହିଁ। ଏଥିସହିତ ପ୍ରାୟ ୧୦୦ ଜଣ ଭାରତୀୟ ବଂଶୋଦ୍ଭବ ମଧ୍ୟ ନିଖୋଜ ଅଛନ୍ତି। ସେମାନେ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ। ନେପାଳ-ଚାଇନା ସୀମାର ଚାଇନା ପାର୍ଶ୍ୱରେ ଫସିରହିଥିବା ପ୍ରାୟ ୪୦୦ ଭାରତୀୟ ସୁରକ୍ଷିତ ଥିବା ଜୟସ୍ବାଲ କହିଛନ୍ତି। ସେମାନଙ୍କ ସ୍ଥାନାନ୍ତର ପାଇଁ ବେଜିଂରେ ଥିବା ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ କାର୍ଯ୍ୟ କରୁଛନ୍ତି। ଭାରତ ଚାଇନାକୁ ମାନବୀୟ ସହାୟତା ପଠାଇବା ଆରମ୍ଭ କରିଛି। ୨୬ ତାରିଖରେ ଅସ୍ଥାୟୀ ଆଶ୍ରୟ ସାମଗ୍ରୀ, କମ୍ବଳ, ସୋଲାର ଲ୍ୟାମ୍ପ୍‌, ଔଷଧ ଆଦି ୧୦ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଯାଇଥିବାବେଳେ ୨୭ରେ ୩୭.୫ ଟନ୍‌ ପଠାଯାଇଛି। ସେଥିରେ ଖାଦ୍ୟସାମଗ୍ରୀ, ଔଷଧ, ଜେନେରେଟର, ଟେଣ୍ଟ, କମ୍ବଳ, ସ୍ବଚ୍ଛତା ସାମଗ୍ରୀ, ସୋଲାର ଲ୍ୟାମ୍ପ୍‌ ଓ କଚେନ ସେଟ୍‌ ରହିଛି। ଖୁବ୍‌ଶୀଘ୍ର ଆଉ ଏକ ବିମାନରେ ୧୨ରୁ ୧୩ ଟନ୍‌ ରିଲିଫ୍‌ ସହାୟତା ପଠାଯିବ ବୋଲି ଜୟସ୍ବାଲ କହିଛନ୍ତି।.

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button