ଜାତୀୟ

Pakistani drone at Poonch: ସୀମାରେ ପାକିସ୍ତାନର ନୂଆ ଚାଲ୍ ! ପୁଞ୍ଚରେ ଡ୍ରୋନ୍‌, ସତର୍କ ସୁରକ୍ଷା ବାହିନୀ

ଜମ୍ମୁକାଶ୍ମୀର, ୨୯।୮: ଏଲ୍‌ଓସି ନିକଟରେ ପୁଣି ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର । ଭାରତୀୟ ସୀମାରେ ସନ୍ଦିଗ୍ଧ ଡ୍ରୋନ୍ ଘୂରି ବୁଲିବା ପରେ ସତର୍କ ହୋଇଛନ୍ତି ସୁରକ୍ଷାବଳ । ଜମ୍ମୁ-କାଶ୍ମୀରର ସୀମାନ୍ତ ପୁଞ୍ଛ ଜିଲ୍ଲାରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ୍‌ର ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିଛି । ଏହି ଘଟଣା ପରେ ସମଗ୍ର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସେନା, ପୁଲିସ୍ ଏବଂ ଅର୍ଦ୍ଧସାମରିକ ବଳ ପକ୍ଷରୁ ଏକ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ପୁଞ୍ଛ ଜିଲ୍ଲା ମେଣ୍ଢର ସେକ୍ଟର ଅନ୍ତର୍ଗତ ବାଲାକୋଟ୍‌ର ବହ୍ରୂଟୀ ଗାଁ ନିକଟରେ ପ୍ରଥମେ ଏହି ଡ୍ରୋନ୍‌ଟିକୁ ଦେଖାଯାଇଥିଲା । ନିୟନ୍ତ୍ରଣ ରେଖା ନିକଟସ୍ଥ ମଙ୍ଗଲନାର-ଡବରୋତ୍ ଅଞ୍ଚଳ ଆଡ଼କୁ ଡ୍ରୋନ୍‌ଟି ଗତି କରିବା ପରେ ପୁଣି ପାକିସ୍ତାନ ସୀମାକୁ ଫେରି ଯାଇଥିଲା । ସୀମାରେ ନଜର ରଖିଥିବା ଭାରତୀୟ ସେନାର ଯବାନମାନେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବା ମାତ୍ରେ ସତର୍କ ହୋଇପଡ଼ିଥିଲେ । ଶନିବାର ସକାଳୁ ସୂର୍ଯ୍ୟୋଦୟ ସହ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସି ଅଭିଯାନ ଆରମ୍ଭ କରାଯାଇଛି । ଡ୍ରୋନ୍ ସାହାଯ୍ୟରେ ସୀମାପାରରୁ କୌଣସି ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ କିମ୍ବା ନିଶାଦ୍ରବ୍ୟ ଖସାଯାଇଛି କି ନାହିଁ, ସେ ନେଇ ଯାଞ୍ଚ ଚାଲିଛି ।

ଅନ୍ୟପଟେ କେବଳ ପୁଞ୍ଛ ନୁହେଁ, ବରଂ ଉଧମପୁର, କଠୁଆ ଏବଂ ରାଜୌରୀ ଜିଲ୍ଲାର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ମଧ୍ୟ ସନ୍ଦିଗ୍ଧ ଗତିବିଧି ସୂଚନା ମିଳିବା ପରେ ସୁରକ୍ଷାବଳ ପକ୍ଷରୁ ବଡ଼ ଧରଣର କୋମ୍ବିଂ ଅପରେସନ୍ ଜାରି ରହିଛି । ଖୁବାନ୍, ନଗାଇନ୍, ଖତ୍ରୈଲ୍, ଗୋଡୂ ଫଲାଲ୍, ପଡେତର, ଚୋର ମୋଟ୍ଟୂ, କିଆ, ଖେବା, ଭେଡ୍ ଏବଂ ଯୋଫର ଭଳି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଶୁକ୍ରବାର ସନ୍ଧ୍ୟାରୁ ମିଳିତ ସର୍ଚ୍ଚ ଅପରେସନ୍ ଚାଲିଛି । ରାଜୌରୀର ଗୈବାସ, ମିଠିୟାନୀ, ମୋଗଲା ଏବଂ ନରଲା ଅଞ୍ଚଳରେ ୨ ଜଣ ସନ୍ଦିଗ୍ଧ ସଶସ୍ତ୍ର ବ୍ୟକ୍ତି ବୁଲୁଥିବା ନେଇ ଗ୍ରାମବାସୀ ସୂଚନା ଦେଇଥିଲେ । ଏହାପରେ ସ୍ଥାନୀୟ ପୁଲିସ ଓ ସେନା ପକ୍ଷରୁ ପୂରା ଅଞ୍ଚଳକୁ ସିଲ୍ କରି ଛାନଭିନ୍ କରାଯାଉଛି । “ସୀମାପାରରୁ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଆତଙ୍କବାଦୀ ପ୍ରବେଶ କରାଇବା ପାଇଁ ପାକିସ୍ତାନର ଏହା ଏକ ନୂଆ ଚକ୍ରାନ୍ତ ହୋଇପାରେ । ତେବେ ଭାରତୀୟ ସୁରକ୍ଷାବଳ ହାଇଆଲର୍ଟରେ ରହିବା ସହ ସୀମାର ପ୍ରତ୍ୟେକ କୋଣ ଅନୁକୋଣ ଉପରେ କଡ଼ା ନଜର ରଖିଛନ୍ତି ।”

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button