Doping in Indian Sports: ଖେଳରେ ବଢ଼ୁଛି ଡୋପିଂ କଳଙ୍କ, ଚିନ୍ତାରେ ଭାରତୀୟ କ୍ରୀଡ଼ା, କେବେ ସୁଧୁରିବେ ?

ଭୁବନେଶ୍ୱର ୨୯/୦୮ (ବିମଳ କୁମାର ରାଉଳ): ଆଜି ‘ଜାତୀୟ କ୍ରୀଡ଼ା ଦିବସ’। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ସ୍ମରଣ କରି ସାରା ଦେଶରେ ଏହି ଦିବସ ପାଳିତ ହେଉଥିବା ବେଳେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଡୋପିଂ ଏବେ ବଡ଼ ଚିନ୍ତାର କାରଣ ପାଲଟିଛି। କ୍ରୀଡ଼ା ବଜେଟ୍ ଓ ଭିତ୍ତିଭୂମି ବଢ଼ୁଥିଲେ ମଧ୍ୟ ବିଶ୍ୱସ୍ତରୀୟ ମଞ୍ଚରେ ଆଶାନୁରୂପ ସଫଳତା ମିଳୁନାହିଁ। ଡୋପିଂ ଭଳି ଅନୈତିକ ପଦକ୍ଷେପ କ୍ରୀଡ଼ାର ମର୍ଯ୍ୟାଦାକୁ ପ୍ରଶ୍ନ ଭିତରକୁ ଠେଲି ଦେଉଛି। ଖେଳରେ ନିଷିଦ୍ଧ ପଦାର୍ଥର ବ୍ୟବହାର ରୋକିବା ସହ କ୍ରୀଡ଼ାବିତଙ୍କ ମଧ୍ୟରେ ସ୍ୱଚ୍ଛ ଓ ନିର୍ମଳ ପ୍ରତିଯୋଗିତାର ମନୋଭାବ ଗଢ଼ିତୋଳିବା ଏବେ ସମୟର ବଡ଼ ଆହ୍ୱାନ। ତେଣୁ ଜାତୀୟ କ୍ରୀଡ଼ା ଦିବସରେ ଡୋପିଂ ବିରୋଧରେ କଡ଼ା ପଦକ୍ଷେପ ସହ କ୍ରୀଡ଼ାକୁ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ନୂଆ ସଂକଳ୍ପର ଆବଶ୍ୟକତା ରହିଛି।
ଭାରତରେ ଡୋପ୍ କଳଙ୍କ
ସ୍ଥିତି ଅତି ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଯାହାକୁ ନେଇ ଆଥଲେଟିକ ସାଧୁତା ୟୁନିଟ୍ (ଏଆଇୟୁ) ଗତ ଏପ୍ରିଲ ମାସରେ ସତର୍କ କରାଇ ଦେଇଥିଲା । ୨୦୩୦ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ। ପୁଣି ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଆଗ୍ରହୀ ରହିଛି । ଏବେଠୁ ଯଦି ଡୋପ୍ କଳଙ୍କକୁ ନିୟନ୍ତ୍ରଣ କରାନଯାଏ ତେବେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ବାସନ୍ଦ ହେବାକୁ ପଡ଼ିବ । ଏମିତି ହେଲେ କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧା ଉପୁଜିପାରେ ।
ଏପ୍ରିଲ ମାସରେ ଏଆଇୟୁର ତାଲିକା ପ୍ରକାଶ ପାଇବା ପରେ ଏହି ଘଟଣାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଥିଲା । ଭାରତ ବିଶ୍ୱରେ କ୍ରୀଡ଼ା ମହାଶକ୍ତି ଭାବେ ଉଭା ହେବାକୁ ସ୍ୱପ୍ନ ଦେଖୁଥିବାବେଳେ ଆମ କ୍ରୀଡ଼ାବିତମାନଙ୍କ ସାଧୁତା ଓ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଛି । ଏଆଇୟୁ ପକ୍ଷରୁ କୁହାଯାଇଥିଲା, ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍ଆଇ) ଏବେ ଡୋପ କଳଙ୍କ ତାଲିକାର ବିପଦ ସଂକେତ ଉପରେ ରହିଛି । ଏବେ ଭାରତୀୟ ଖେଳାଳିଙ୍କୁ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କଠିନ ଡୋପ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ । ଡୋପ୍ ତାଲିକାରେ ଏଏଫ୍ଆଇ ଗ୍ରୁପ୍ ବି’(ମଧ୍ୟମ)ରୁ ଏ’ (ଅତି ବିପଜ୍ଜନକ) ବର୍ଗକୁ ଉନ୍ନୀତ ହୋଇଛି । ଏ’ ବର୍ଗରେ ରୁଷିଆ, ବେଲାରୁଷ, ଇଥିଓପିଆ, କେନିଆ, ନାଇଜେରିଆ ଓ ୟୁକ୍ରେନ ସହ ଭାରତ ସାମିଲ ରହିଛି । ଏହିସବୁ ଦେଶରେ ଆଥଲେଟମାନେ ମାତ୍ରାଧିକ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ।
ସୌଜନ୍ୟ ପ୍ରମେୟ




