ଦେଶ ବିଦେଶ

ନେପାଳ ଜଳପ୍ରଳୟ ; ବେଦନାର ଭୟାନକ ଚିତ୍ର

କାଠମାଣ୍ଡୁ : ନେପାଳ ଜଳ ପ୍ରଳୟ ଅସୁମାରୀ ଦୁଃଖ ଦେଇ ଯାଇଛି। ଜୀବନ ଓ ଜୀବିକାକୁ ଉଜାଡ଼ି ଦେଇଥିବା ଏହି ପ୍ରଳୟଙ୍କରୀ ବନ୍ୟାକୁ ୫ ଦିନ ବିତିଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଦିନ ବଢ଼ିବା ସହିତ ଦୁଃଖ, ଯନ୍ତ୍ରଣା ଓ ବେଦନାର ଭୟାନକ ଚିତ୍ର ସାମନାକୁ ଆସିବାରେ ଲାଗିଛି। ଅବଶେଷ ତଳୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଉଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୮୦୪ରେ ପହଞ୍ଚି ଯାଇଛି। ତିନି ହଜାରରୁ ଅଧିକ ଲୋକ ନିଖୋଜ ଥିବାବେଳେ ଉଦ୍ଧାର ଅଭିଯାନକୁ ଜୋରଦାର କରାଯାଇଛି। ନିଖୋଜଙ୍କ ମଧ୍ୟରେ ୫୮୯ ବିଦେଶୀ ନାଗରିକ ସାମିଲ ଅଛନ୍ତି। ମୃତ୍ୟୁର ତାଣ୍ଡବ ରଚିଥିବା ଏହି ଭୟାବହ ବନ୍ୟା ସିନା ଛାଡ଼ି ଯାଇଛି, ହେଲେ ଅନେକ ଘରକୁ ଶ୍ରୀହୀନ କରିଯାଇଛି। ବଢ଼ିଲା ପୁଅକୁ ହରାଇ ସର୍ବସ୍ବାନ୍ତ ହୋଇଥିବା ଘରେ ଅନ୍ଧାର ଛାଇ ରହିଛି। ବନ୍ୟାରେ ନିଖୋଜ ଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆଉ କିଛି ପରିବାର ଚାତକ ପରି ଚାହିଁ ରହିିଛନ୍ତି। ସମୟ ବଢ଼ିବା ସହିତ ପ୍ରିୟଜନଙ୍କୁ ଅପେକ୍ଷା କରି ବସିଥିବା ଲୋକଙ୍କ ଆଶା ହରାଇବାରେ ଲାଗିଛନ୍ତି। ବନ୍ୟାରେ ଘରଦ୍ବାର ହରାଇ ଥିବା ଲୋକେ ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। କେବଳ ନେପାଳ ରାମଚ୍ଛପା ଗ୍ରାମର ୪୨ ଲୋକ ଲୋକ ଏବେ ବି ନିଖୋଜ ଅଛନ୍ତି।
ସଙ୍କଟ ଥମୁ ନ ଥିବାବେଳେ ସେ ପଟେ ବିପଦ ବଢ଼ି ବଢ଼ି ଚାଲିଛି। ପ୍ରବଳ ବର୍ଷା ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି କରୁଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ର ପାଇଁ ନିର୍ମାଣ ଚାଲିଥିବା ସୁଡ଼ଙ୍ଗଗୁଡ଼ିକରେ ୮୯୮ ଜଣ କର୍ମଚାରୀ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ, ଚୀନ ଓ ନେପାଳ ବିଶେଷଜ୍ଞମାନେ ପ୍ରୟାସ ଜାରି ରଖିଛନ୍ତି। ଏହା ମଧ୍ୟରେ ଉପର ମୁଣ୍ଡରେ ସୃଷ୍ଟ ହୋଇଥିବା ହ୍ରଦକୁ ନେଇ ବିପଦ ଲାଗି ରହିଛି। ହଜାର ହଜାର ଫୁଟ ଉପରେ ଲେହେନ୍ଦୀ ନଦୀରେ ସୃଷ୍ଟି ହୋଇଥିବା ହ୍ରଦରୁ ପ୍ରାକୃତିକ ଭାବେ ପାଣି ତଳକୁ ଆସିବା ଜାରି ରହିଛି। ଯଦି ଏହା ଭାଙ୍ଗି ଯାଏ ତେବେ ପୁଣି ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି। ଏପରି ହେଲେ ସୁଡ଼ଙ୍ଗରେ ଫସିଥିବା କର୍ମଚାରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବେ। ଏପରି ସମୟରେ ଭୋଟେକୋଶୀ ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇଛି। ଏହାକୁ ନେଇ ରସୁୱା ଜିଲା ପାଇଁ ଚେତାବନୀ ଜାରି କରାଯାଇଛି। ନୁଭାକୋଟର ଲୋକଙ୍କ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଜଳ ଯନ୍ତ୍ରଣାରୁ ମୁକୁଳିବା ଲାଗି ନେପାଳ ଅନ୍ୟ ଦେଶଙ୍କ ସହାୟତା ନେବା ଆରମ୍ଭ କରିଦେଇଛି। ବିଶ୍ବରୁ ସହାୟତାର ହାତ ମଧ୍ୟ ବଢ଼ିଛି।
ସୂଚନା ଅନୁଯାୟୀ, ଜଳ ବିଦ୍ୟୁତ୍‌ ପ୍ରକଳ୍ପର ସୁଡ଼ଙ୍ଗରୁ ୩୬୧ କର୍ମଚାରୀଙ୍କୁ ଉଦ୍ଧାର କରାଗଲାଣି। ଏବେ ବି ଆହୁରି ୮୯୮କର୍ମଚାରୀ ଫସି ରହିଛନ୍ତି। ଜୀବନ ବଞ୍ଚାଇବା ପାଇଁ ସେମାନେ ସଂଘର୍ଷ ଜାରି ରଖିଛନ୍ତି। ରସୁୱା ଓ ନୂଆକୋଟ ଜିଲାର ୯ଟି ଜଳ ବିଦ୍ୟୁତ୍‌ କେନ୍ଦ୍ରରେ କାମ କରୁଥିବା ଆହୁରି ୫୩୭ କର୍ମଚାରୀଙ୍କ କୌଣସି ଖୋଜ ଖବର ମିଳୁନାହିଁ। ୫୦୦ତ୍ରିଶୂଳୀ-୩ଏର ପ୍ରକଳ୍ପର ସୁଡ଼ଙ୍ଗରେ ଚାଲିଥିବା ଉଦ୍ଧାରକାର୍ଯ୍ୟରେ ଆଂଶିକ ସଫଳତା ମିଳିଛି। ଉଦ୍ଧାରକାରୀ ଦଳ ମେସିନ ମାଧ୍ୟମରେ ମାଟି ଓ କାଦୁଅ ହଟାଇ ଚାଲିଛନ୍ତି। ସୁଡ଼ଙ୍ଗରେ ୬ ଇଞ୍ଚ ଛିଦ୍ର କରି ପାଇପ ମାଧ୍ୟମରେ କର୍ମଚାରୀଙ୍କ ପାଖକୁ ଅମ୍ଳଜାନ ପଠାଯାଇଛି। ଏବେ ଏକ ବଡ଼ ଗର୍ତ୍ତ କରି ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି। ଏହା ମାଧ୍ୟମରେ ଭିତରକୁ ଯାଇ ଫସିଥିବା କର୍ମଚାରୀଙ୍କୁ ଉଦ୍ଧାର କରାଯିବ। ତେବେ ଏହି ପ୍ରକଳ୍ପରେ କାମ କରୁଥିବା କର୍ମଚାରୀଙ୍କ ପରିବାର ଚିନ୍ତାରେ କାଳ କାଟୁଛନ୍ତି। ପ୍ରତିଦିନ ରତ୍ନପାର୍କ ସ୍ଥିତ ନେପାଳ ବିଦ୍ୟୁତ ବିଭାଗ ମୁଖ୍ୟାଳୟକୁ ଯାଇ ଲୋକେ ନିଜ ପରିବାର ସଦସ୍ୟଙ୍କ ବିଷୟରେ ପଚାରି ବୁଝୁଛନ୍ତି।
ଅନ୍ୟପକ୍ଷରେ ନେପାଳରୁ ଏ ପର୍ଯ୍ୟନ୍ତ ୧୪୯ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୨୭୫ ଜଣ ଏବେ ବି ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୨୮ ଭାରତୀୟ ବଂଶୋଦ୍ଭବ ସାମିଲ ଅଛନ୍ତିି। ଭାରତ ସରକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। ସେପଟେ ତିବ୍ବତରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଥିବାବେଳେ ୫୫୦ ଜଣ ନିଖୋଜ ଅଛନ୍ତି। ଚୀନ ମଧ୍ୟ ଏହି ଘଟଣାକୁ ବିଶ୍ବ ସମ୍ମୁଖକୁ ଆସୁ ବୋଲି ଚାହୁଁନାହିଁ। ସେଥିପାଇଁ ଇଣ୍ଟରନେଟରୁ ତିବ୍ବତର ସବୁ ଭିଡିଓ ଓ ଫଟୋ ହଟାଇ ଦେଇଥିବା ଅଭିଯୋଗ ଲାଗିଛି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button